ନାଳରେ ବୁଡ଼ି ୩ ଅଲକାଏଦା ଆତଙ୍କବାଦୀ ମୃତ

ଇସଲାମାବାଦ : ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଶନିବାର ଏକ ନାଳରେ ବୁଡ଼ି ୩ ଜଣ ଅଲକାଏଦା ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସୁରକ୍ଷା କର୍ମୀଙ୍କ ନିକଟରୁ ଖସି ପଳାଉଥିବା ସମୟରେ ନାଳରେ ପଡ଼ି ସେମାନଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।
ସୂଚନା ଅନୁସାରେ ଲାହୋରଠାରୁ ୨୦୦ କିଲୋମିଟର ଦୂର ଝେଲମ ନଦୀ କୂଳରେ ଥିବା ଏକ ଘରେ କେତେକ ଆତଙ୍କବାଦୀ ଲୁଚି ରହିଥିବା ପାକିସ୍ତାନ ଆତଙ୍କବାଦ ନିରୋଧୀ ବିଭାଗ (ସିଟିଡି)କୁ ଗୁଇନ୍ଦା ସୂଚନା ମିଳିଥିଲା। ଫଳରେ ପାକିସ୍ତାନ ସୁରକ୍ଷା କର୍ମୀ ଏବଂ ପୁଲିସ୍‍ ମିଳିତ ଭାବେ ଏହି ଘର ଉପରେ ଚଢଉ କରିଥିଲେ। ସୁରକ୍ଷା କର୍ମୀଙ୍କ ଭୟରେ ଅଲକାଏଦା ଆତଙ୍କବାଦୀମାନେ ଏକ କାର ଯୋଗେ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ। ସୁରକ୍ଷା କର୍ମୀମାନେ ଉକ୍ତ କାରକୁ ପିଛା କରିଥିଲେ। ବାଟରେ ଭାରସାମ୍ୟ ହରାଇ ଆତଙ୍କବାଦୀଙ୍କ କାର ଏକ ନାଳରେ ଖସିପଡିଥିଲା। ପରେ ନଦୀରୁ ଆତଙ୍କବାଦୀଙ୍କ ଶବ ମିଳିଥିଲା। ସେମାନଙ୍କ ଠିକଣାରୁ ବନ୍ଧୁକ, ହାତବୋମା ଏବଂ ବିସ୍ଫୋରକ ଜବତ କରାଯାଇଛି।

Comments are closed.