ଖୋର୍ଦ୍ଧା-ବଲାଙ୍ଗିର ରେଳପଥକୁ ହଜାରେ କୋଟି

ନୂଆଦିଲ୍ଲୀ: ୨୦୨୧-୨୨ ବଜେଟରେ ଓଡ଼ିଶାର ଖୋର୍ଦ୍ଧାରୋଡ଼-ବଲାଙ୍ଗୀର ୨୮୯ କିମି ରେଳପଥ ନିର୍ମାଣ ଲାଗି ୧ ହଜାର କୋଟି ୫୦ ଲକ୍ଷ ଅନୁଦାନ ରାଶି ମିଳିଛି। ପୂର୍ବତଟ ରେଳପଥର ନୂତନ ରେଳପ୍ରକଳ୍ପ ତାଲିକାରେ ଅନୁଗୁଳ-ସୁକିନ୍ଦା ୯୮ କିମି ରେଳପ୍ରକଳ୍ପକୁ ୪ଶହ କୋଟି, ହରିଦାସପୁର-ପାରଦ୍ୱିପ ୮୨ କିମି ପାଇଁ ଏକ ଶହ କୋଟି, ତାଳଚେର-ବିମଳାଗଡ଼ ୧୫୪ କି.ମିକୁ ୧୦ କୋଟି, ଜୟପୁର-ମାଲକାନଗିରି ୧୩୦ କି.ମିକୁ ୨୮ କୋଟି, ଜୟପୁର-ନବରଙ୍ଗପୁର ୩୮ କିମିକୁ ୧୫.୧ କୋଟି ରାଶି ଆବଣ୍ଟିତ ହୋଇଛି। ଦୋହରାକରଣ ବାବଦରେ ଖୋର୍ଦ୍ଧା-ବାରଙ୍ଗ ତୃତୀୟ ଲାଇନ ୩୫କିମିକୁ ୨୦ କୋଟି, ସମ୍ବଲପୁର-ଟିଟଲାଗଡ଼ ୧୮୨ କିମିକୁ ୨ଶହ କୋଟି, ବୃନ୍ଦାମାଳ-ଝାରସୁଗୁଡ଼ା ଫ୍ଲାଏ ଓଭର ୮.୬ କି.ମି ନିର୍ମାଣ ଲାଗି ୨୦ କୋଟି, ବାଂଶପାଣି-ଟମକା-ଦୈତାରୀ-ଯଖପୁରା ୧୮୦ କିମି ଦୋହରୀକରଣକୁ ୨୨୮ କୋଟି, ସମ୍ବଲପୁର-ତାଳଚେର ୧୭୪ କି.ମିକୁ ୧୭୩.୭ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ ୮୦ କି.ମିକୁ ୨୨୯ କୋଟି, ଜଗଦଲପୁର-କୋରାପୁଟ ୧୧୦.୨ କି.ମିକୁ ୧୬୪.୭୫ କୋଟି, ବିଜୟନଗରମ-ଟିଟଲାଗଡ଼-ସମ୍ବଲପୁର ତୃତୀୟ ଲାଇନ ୨୬୪ କି.ମି ନିର୍ମାଣ ବାବଦରେ ୪୫୦ କୋଟି, ଝରପଡ଼ା-ବୁଢ଼ାପଙ୍କ ତାଳଚେର ରୋଡ଼ ଫ୍ଲାଏ ଓଭର ୪୪ ଓ ୪୭ କି.ମି. ଲମ୍ବ ତୃତୀୟ ଏବଂ ଚତୁର୍ଥ ଲାଇନ ନିର୍ମାଣ ଲାଗି ୮୧ କୋଟି, ବୁଢ଼ାପଙ୍କ-ଶାଳଗାଁ ଭାୟା ରାଜାଆଠଗଡ଼ ୮୫.୮୫ ତୃତୀୟ ଓ ଚତୁର୍ଥ ଲାଇନକୁ ୨୧୫ କୋଟି, ଅରୁଗୁଳ-ହରିପୁରଗ୍ରାମ ବାଇପାସକୁ ୧୧ କୋଟି, ବାଘୁଆପାଳ ବାଇପାସକୁ ୫ କୋଟି ଅନୁଦାନ ରାଶି ମିଳିଛି।

ଦକ୍ଷିଣପୂର୍ବ ରେଳପଥ ଅନ୍ତର୍ଗତ ଚମ୍ପାଝରଣ-ବିମଳାଗଡ଼ ୨୧କି.ମି ଦୋହରୀକରଣ ଲାଗି ୨ କୋଟି, ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ ୧୦୧ କି.ମି ନିର୍ମାଣ ପାଇଁ ୨୩୦ କୋଟି, ବନ୍ଧମୁଣ୍ଡା-ରାଞ୍ଚି ୧୫୮ କି.ମି ଦୋହରୀକରଣକୁ ୩୨୦ କୋଟି, ନାରାୟଣଗଡ଼-ଭଦ୍ରକ ତୃତୀୟ ଲାଇନ ୧୫୫ କି.ମିକୁ ୩୦୨ କୋଟି, ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ ୯.୩ କି.ମିକୁ ୨୯ କୋଟି, ମନୋହରପୁର-ବନ୍ଧମୁଣ୍ଡା ତୃତୀୟ ଲାଇନ ୩୦ କି.ମିକୁ ୪୦ କୋଟି ଅନୁଦାନ ରାଶି ବଜେଟରେ ଦିଆଯାଇଛି। ରେଳରୁଟ ବିଦ୍ୟୁତକରଣ ଲାଗି ବିଜୟାନଗରମ-ରାୟଗଡ଼ା-ଟିଟଲାଗଡ଼-ରାୟପୁର ୪୬୫ କି.ମିକୁ ୨୨.୯୧ କୋଟି, ଝାରସୁଗୁଡ଼ା-ସମ୍ବଲପୁର-ଟିଟଲାଗଡ଼ ଓ

ଇବ ବାଇ ପାସ ରୁଟ ୨୩୮ କିଲୋମିଟରକୁ ୨୦ କୋଟି, ସମ୍ବଲପୁର-ଅନୁଗୁଳ ୧୫୬ କିଲୋମିଟରକୁ ୨୦ କୋଟି, ସିଙ୍ଗାପୁର ରୋଡ଼-ଦାମନଯୋଡ଼ି ୧୫୬ କିଲୋମିଟରକୁ ୨୦ ଲକ୍ଷ, ଖୋର୍ଦ୍ଧା-ବଲାଙ୍ଗୀର ୩୦୧ କି.ମିକୁ ୬୬.୫୧ କୋଟି, ଲାଞ୍ଜିଗଡ଼ ରୋଡ଼-ଜୁନାଗଡ଼ ରୋଡ଼ ୫୬ କି.ମିକୁ ୪.୭୪ କୋଟି, ନୌପଡ଼ା-ଗୁଣୁପୁର ୯୦ କି.ମିକୁ ୮.୪ କୋଟି, ରୁପସା-ବାଙ୍ଗିରିପୋଷି ୮୯ କି.ମିକୁ ୨୮.୭୧ କୋଟି, ଟାଟା ନଗର-ବାଦାମପାହଡ଼ ୮୯ କି.ମିକୁ ୨୮.୫୬ କୋଟି ବଜେଟ ଅନୁଦାନ ମିଳିଛି। ଆନ୍ଧ୍ର ପ୍ରଦେଶରେ ଦକ୍ଷିଣତଟ ରେଳପଥ ସ୍ଥାପନା ଏବଂ ରାୟଗଡ଼ା ଠାରେ ନୂତନ ରେଳ ଡିଭିଜନ ପ୍ରତିଷ୍ଠା ଲାଗି ୪୦ ଲକ୍ଷଟଙ୍କା ବ୍ୟୟ ବରାଦ ହୋଇଥିବା ଜଣାପଡ଼ିଛି। ସେହିପରି କଳାହାଣ୍ଡିରେ ବିଦ୍ୟୁତ ଇଞ୍ଜିନ ମରାମତି କାରଖାନା ସ୍ଥାପନା ଲାଗି ଏକ କୋଟି ଟଙ୍କା ବଜେଟ ଅନୁଦାନ ବ୍ୟବସ୍ଥା ହୋଇଛି।

ଦକ୍ଷିଣପୂର୍ବ ମଧ୍ୟ ରେଳପଥର ଚାମ୍ପା-ଝାରସୁଗୁଡ଼ା ୧୬୫ କି.ମି ତୃତୀୟ ଲାଇନ ନିର୍ମାଣ ପାଇଁ ୩୦ କୋଟି, ଝାରସୁଗୁଡ଼ା-ବିଳାସପୁର ଚତୁର୍ଥ ଲାଇନ ୨୦୬ କି.ମି ଲାଗି ୪୩୨ କୋଟି ଏବଂ ଇବ ଫ୍ଲାଏ ଓଭର ନିର୍ମାଣ ପାଇଁ ୪୬.୫୨ କୋଟି ଅନୁଦାନ ମଞ୍ଜୁର ହୋଇଛି। ବଜେଟରେ ଝାରସୁଗୁଡ଼ା-ବିଳାସପୁର ବାଇପାସ ୧୦ କି.ମି ନୂତନ ନିର୍ମାଣ ପ୍ରସ୍ତାବକୁ ସ୍ଥାନ ମିଳିଛି। ନୂତନ ଫ୍ଲାଏ ଓଭର ପ୍ରକଳ୍ପ ବାବଦରେ ସମୁଦାୟ ୨୧୦ କୋଟି ବ୍ୟୟ ଅଟକଳ ରହିଛି। ବଜେଟରେ ଫ୍ଲାଏ ଓଭର ନିର୍ମାଣ ବାବଦରେ ଏକ ହଜାର ଟଙ୍କାର ରାଶି ମଞ୍ଜୁର ହୋଇଛି। ସେହିପରି ରାୟପୁର-ଝାରସୁଗୁଡା ୩୧୦ କିଲୋମିଟର ନୂତନ ରେଳପଥ ନିର୍ମାଣ ଲାଗି ମାତ୍ର ୧ ହଜାର ଅନୁଦାନ ମଞ୍ଜୁର ହୋଇଛି। ଏହି ନୂତନ ରେଳପଥ ନିର୍ମାଣ ଲାଗି ସମୁଦାୟ ବ୍ୟୟ ଅଟକଳ ୨୧୬୧ କୋଟି ରହିଛି।

ରାଜ୍ୟର ଆଦିବାସୀ ତଥା ପଛୁଆ ଅଞ୍ଚଳରେ ନିର୍ମାଣଧିନ ୭ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ଲାଗି ବଜେଟରେ ମାତ୍ର ହଜାର ଟଙ୍କା ଲେଖାଏଁ ଟୋକନ ବ୍ୟୟ ବରାଦ ହୋଇଛି। ୨୦୧୦-୧୧ ବର୍ଷ ରେଳ ବଜେଟରେ ଘୋଷିତ ଜଳେଶ୍ୱର-ଦୀଘା ୪୧ କିଲୋମିଟର ଲମ୍ବ ନୂତନ ରେଳପଥ ନିର୍ମାଣ ଲାଗି ମାତ୍ର ଏକ ହଜାର ଟଙ୍କାର ଅନୁଦାନ ରାଶି ମିଳିଛି। ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ଏହି ରେଳ ପ୍ରକଳ୍ପକୁ ହଜାର ଟଙ୍କା ଲେଖାଏଁ ଅନୁଦାନ ରାଶି ମିଳିଥିଲା। ବଜେଟ ତଥ୍ୟ ଅନୁଯାୟୀ ଜଳେଶ୍ୱର-ଦୀଘା ରେଳ ପ୍ରକଳ୍ପର ବ୍ୟୟ ଅଟକଳ ୬୫୭.୧୫ କୋଟିରେ ପହଞ୍ଚିଲାଣି। ରୁପସା-ବାଙ୍ଗିରିପୋସି ସେକ୍ସନର ବୁଢ଼ାମରା ଠାରୁ ଝାଡ଼ଖଣ୍ଡର ଚାକୁଳିଆ ପର୍ୟନ୍ତ ୫୦ କିଲୋମିଟର ନୂତନ ରେଳପଥ ନିର୍ମାଣ ଲାଗି ବଜେଟରେ ମଧ୍ୟ ହଜାରେ ଟଙ୍କା ମିଳିଛି। ମୟୁରଭଞ୍ଜ ଜିଲାରେ ନିର୍ମାଣ ହେବାକୁ ଥିବା ଏହି ରେଳପ୍ରକଳ୍ପ ଖଡ଼ଗପୁର-ଟାଟାନଗର ମୁଖ୍ୟ ରେଳପଥକୁ ସଂଯୋଗ କରିବ। ଏବେ ଏହି ରେଳପଥ ପ୍ରକଳ୍ପ ବ୍ୟୟ ଅଟକଳ ୬୦୩.୧୧ କୋଟିରେ ପହଞ୍ଚିଲାଣି।

ଗତ ୨୦୨୦-୨୧ ବଜେଟରେ ସ୍ଥାନ ପାଇଥିବା କେନ୍ଦୁଝର ଜିଲାର ବଡ଼ବିଲ-କିରିବୁର ୨୪.୫ କିଲୋମିଟର ଲମ୍ବ ନୂତନ ରେଳପଥ ନିର୍ମାଣ ବାବଦକୁ ମଧ୍ୟ ହଜାର ଟଙ୍କା ଅନୁଦାନ ମିଳିଛି। ଏହି ପ୍ରକଳ୍ପ ନିର୍ମାଣ ଲାଗି ରେଳବାଇକୁ ୭୦୫.୧୭ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। କେବଳ ଉତ୍ତର ଓଡ଼ିଶା ନୁହେଁ ଦକ୍ଷିଣ ଏବଂ ମଧ୍ୟ ଓଡ଼ିଶାର ତିନୋଟି ନୂତନ ରେଳପ୍ରକଳ୍ପ ନିର୍ମାଣ ବାବଦରେ ମଧ୍ୟ ହଜାରେ ଟଙ୍କା ଲେଖାଏଁ ଅନୁଦାନ ରାଶି ମିଳିଛି। ନୌପଡ଼ା-ଗୁଣୁପୁର ରେଳପଥର ଥେରୁବାଲି ପର୍ୟ୍ୟନ୍ତ ୭୯.୧ କିଲୋମିଟର ସମ୍ପ୍ରସାରଣ ଲାଗି ମାତ୍ର ଏକ ହାଜର ଟଙ୍କା ଅନୁଦାନ ରାଶି ଦିଆଯାଇଛି। ବଜେଟ ତଥ୍ୟ ଅନୁଯାୟୀ ଏହି ରେଳ ପ୍ରକଳ୍ପ ନିର୍ମାଣ ବାବଦରେ ସମୁଦାୟ ୯୩୫.୭ କୋଟି ଟଙ୍କାର ଆବଶ୍ୟକତା ରହିଛି। ଗତ ବଜେଟରେ ସ୍ଥାନ ପାଇଥିବା ସମ୍ବଲପୁର-ଫୁଲବାଣୀ-ଗୋପାଳପୁର ରେଳପଥ ୨୪୧ କିଲୋମିଟର ରେଳପଥ ନିର୍ମାଣ ବାବଦରେ ମଧ୍ୟ ଏକ ହଜାର ଟଙ୍କା ମଞ୍ଜୁର ହୋଇଛି। ଏହି ରେଳପଥ ନିର୍ମାଣ ବାବଦରେ ରେଳମନ୍ତ୍ରାଳୟକୁ ସମୁଦାୟ ୨୯୫୭.୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତାଳଚେର-ଅନୁଗୁଳ ୧୪.୫ କିଲୋମିଟର ନୂତନ ରେଳପଥ ନିର୍ମାଣ ବାବଦରେ ବଜେଟରେ ମଧ୍ୟ ଏକ ହଜାର ଟଙ୍କା ମିଳିଛି। ଏହି ରେଳପ୍ରକଳ୍ପର ସମୁଦାୟ ବ୍ୟୟ ଅଟକଳ ୨୭୮.୭୬ କୋଟି ରହିଛି।

Comments are closed.