ହରିଶଙ୍କରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଖପ୍ରାଖୋଲ: ପଶ୍ଚିମ ଓଡିଶାର ପ୍ରସିଦ୍ଧ ଧର୍ମପୀଠ ହରିଶଙ୍କର ମନ୍ଦିରରେ ମହାଶିବରାତ୍ରି ଧୂମଧାମରେ ପାଳିତ ହୋଇଛି। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଭୋର ୫ଟାରୁ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଧାଡିରେ ଠିଆ ହୋଇ ରହିଥିଲେ। ମନ୍ଦିରର ପହୁଡ ଫିଟିବା ପରେ ଦର୍ଶନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପୋଲିସ ଏବଂ ମନ୍ଦିର ସେବାୟତ ଶ୍ରଦ୍ଧାଳୁଙ୍କୁ ଦର୍ଶନ କାର୍ଯ୍ୟରେ ସାହାଯ୍ୟ କରିଥିଲେ। ଚଳିତ ବର୍ଷ ଶିବରାତ୍ରିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଦେବୋତର ବିଭାଗ ତଥା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ମନ୍ଦିରରେ ସ୍ୱତନ୍ତ୍ର ଆଲୋକ ବ୍ୟବସ୍ଥା କରାଯିବା ସହ ରଙ୍ଗୀନ ଆଲୋକ ମାଳାରେ ମନ୍ଦିରକୁ ସଜ୍ଜିତ କରାଯାଇଥିଲା।

ସମ୍ବଲପୁର ଅଞ୍ଚଳର ଜଣେ ଭକ୍ତ ଫୁଲ ଦାନ କରିଥିବା ବେଳେ ଏଥିରେ ମନ୍ଦିର ଭିତର ଓ ବାହାରକୁ ସଜା ଯାଇଥିଲା। ରମେଶ ପୁଝାରୀ, ନରସିଂହ ପୂଝାରୀ, ତ୍ରିନାଥ ପୂଝାରୀ, ବିଶ୍ୱନାଥ ପୂଝାରୀ ପୂଜାକାର୍ଯ୍ୟରେ ସହଯୋଗ କରିଥିଲେ। ପରମ୍ପରା ଅନୁସାରେ ଆଜି ମନ୍ଦିର ପହୁଡ ପଡି ନଥିଲା। ଅନ୍ନଭୋଗ ବଦଳରେ ପିଠା, କାକରା, କ୍ଷିରି ଭୋଗ ଲାଗି କରାଯିବା ବ୍ୟବସ୍ଥା କରାଯାଇଥିଲା। ସନ୍ଧ୍ୟାରେ ଚାରି ପ୍ରହର ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଭିନ୍ନ ପର୍ଯ୍ୟାୟରେ କ୍ଷୀର, ଦହି, ଘୃତ, ଦହିରେ ଠାକୁର ସ୍ନାନ କରିଥିଲେ। ରାତି ଉଜାଗର ରହିବା ପାଇଁ ବ୍ରତଧାରୀମାନେ ଆସି ସନ୍ଧ୍ୟା ମନ୍ଦିରରେ ଠୁଳ ହୋଇଥିଲେ। ସେମାନଙ୍କ ପାଇଁ ମନ୍ଦିର ପକ୍ଷରୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ସେହିପରି ହରିଶଙ୍କର ବଣିକ ସଂଘ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ଦିଆଯାଇଛି।

ଓଡିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ସମେତ ବହୁ ବିଶିଷ୍ଟ ମନ୍ଦିରକୁ ଆସି ଦର୍ଶନ କରିଥିଲେ। ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପାଟଣାଗଡ ଉପ ଜିଲ୍ଲାପାଳ ସୋମନାଥ ପଧାନ, ଖପ୍ରାଖୋଲ ତହସିଲଦାର ନିରଞ୍ଜନ ନାଏକ ପ୍ରମୁଖ ମନ୍ଦିରରେ ଉପସ୍ଥିତ ଥିଲେ। ପାଟଣାଗଡ ଏସ୍‍ଡିଆଇପିଆରଓ ରୀତାକାନ୍ତୀ ବଳିୟାର ସିଂଙ୍କ ତତ୍ୱାବଧାନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ସୂଚନା କେନ୍ଦ୍ର ଖୋଲାଯାଇଛି। ମନ୍ଦିର ସବ୍‍କମିଟି ସଭାପତି ବିପ୍ର ବିଶି, ଶଶୀଭୂଷଣ ପୂଝାରୀ, ଗୁପ୍ତେଶ୍ୱର କୁଅଁର, ଅଭୟ ତ୍ରିପାଠୀ, ଇନ୍ଦ୍ରମଣୀ ସାହୁ, ଗଜରାଜ ନାଗ, ଜୟକୃଷ୍ଣ ସାହୁ, ଧରମ ସିଂ ଧରୁଆ, ରୋହିତ ମେହେର ପ୍ରମୁଖ ସବ୍‍ କମିଟି ସଭ୍ୟ ବୃନ୍ଦ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Comments are closed.