ଥମାସ୍‍ ଓ ଉବେର କପ୍‍ ଆୟୋଜନକୁ ନେଇ ସନ୍ଦେହ

କୁଆଲାଲୁମ୍ପୁର : ଚଳିତବର୍ଷ ଡେନ୍‍ମାର୍କରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ବିଶ୍ୱ ଦଳଗତ ବ୍ୟାଡ୍‍ମିଣ୍ଟନ୍‍ ଚମ୍ପିଆନ୍‍ସିପ ଥମାସ୍‍ କପ୍‍ (ପୁରୁଷ) ଓ ଉବେର କପ୍‍ (ମହିଳା) ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ଅଛି। ହେଲେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନକୁ ନେଇ ସନ୍ଦେହ ସୃଷ୍ଟିହୋଇଛି। ସାରାବିଶ୍ୱରେ କରୋନା ସଂକ୍ରମଣ ମହାମାରୀ ରୂପ ଧାରଣ କରିଥିବା ବେଳେ କିଛି ନାମୀ ଦେଶ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ପୁଣି ବିଶ୍ୱର କିଛି ନାମୀ ଖେଳାଳି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବା ନେଇ ଚିନ୍ତାପ୍ରକଟ କରିଛନ୍ତି। ସୂଚନାଯୋଗ୍ୟ, ଥମାସ୍‍ ଓ ଉବେର କପ୍‍ ଏକାଧିକ ଥର ସ୍ଥଗିତ ରହିବା ପରେ ଆସନ୍ତାମାସରୁ ଆୟୋଜନ ହେବାକୁ ସ୍ଥିର କରାଯାଇଛି। ହେଲେ ଏହି ଟୁର୍ଣ୍ଣାମେଣ୍ଟ ନିର୍ଦ୍ଧାରିତ ତାରିଖରେ ଆୟୋଜନ ହେବା ନେଇ ଆୟୋଜକ ଏବଂ ବିଶ୍ୱ ବ୍ୟାଡ୍‍ମିଣ୍ଟନ୍‍ ମହାସଂଘ ସନ୍ଦେହ ପ୍ରକାଶ କରିଛନ୍ତି।
କରୋନା ସଂକ୍ରମଣ ଯୋଗୁଁ ଖେଳାଳିଙ୍କ ନିରାପତ୍ତା ନେଇ ଆଶଙ୍କାକରି ପୂର୍ବରୁ ଥାଇଲାଣ୍ଡ, ଅଷ୍ଟ୍ରେଲିଆ ଓ ତାଇୱାନ୍‍ ଥମାସ୍‍ ଓ ଉବେର କପ୍‍ରୁ ଓହରି ଯାଇଥିଲେ। ତେବେ ଗତ ସପ୍ତାହରେ ୧୩ ଥର ଥମାସ୍‍ କପ୍‍ ଜିତିଥିବା ଇଣ୍ଡୋନେସିଆ ସହ ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ବ୍ୟାଡ୍‍ମିଣ୍ଟନ୍‍ ଦେଶ କୋରିଆ ମଧ୍ୟ ଥମାସ୍‍ ଓ ଉବେର କପ୍‍ରୁ ଓହରି ଯାଇଛନ୍ତି। ଏସିଆର ଆଉ ୨ ବ୍ୟାଡ୍‍ମିଣ୍ଟନ ଶକ୍ତି ଚୀନ୍‍ ଓ ଜାପାନ ପ୍ରତିଯୋଗିତାରୁ ଓହରି ନଥିଲେ ମଧ୍ୟ ଅଦ୍ୟାବଧି ଉଭୟ ଦେଶ ଥମାସ୍‍ ଓ ଉବେର କପ୍‍ ଖେଳିବା ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ମାଲେସିଆ ବ୍ୟାଡ୍‍ମିଣ୍ଟନ୍‍ ମହାସଂଘ ଚଳିତବର୍ଷର ଥମାସ୍‍ ଓ ଉବେର କପ୍‍କୁ ବାତିଲ କରିବା କିମ୍ବା ସ୍ଥଗିତ କରିବା ପାଇଁ ଦୃଢ଼ ଦାବିକରିଛି। ବିଶ୍ୱର ଅନ୍ୟତମ ନାମୀ ଖେଳାଳି ଭାରତର ସାଇନା ନେହୱାଲ ମଧ୍ୟ ଏପରି କରୋନା ସଂକ୍ରମଣ ସମୟରେ ଥମାସ୍‍ ଓ ଉବେର କପ୍‍ ଆୟୋଜନ କେତେ ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଛନ୍ତି। ମାର୍ଚ୍ଚରେ କରୋନା ସଂକ୍ରମଣ ଆରମ୍ଭ ପରେ ଥମାସ୍‍ ଓ ଉବେର କପ୍‍ ସବୁଠାରୁ ବଡ଼ ବ୍ୟାଡ୍‍ମିଣ୍ଟନ୍‍ ଟୁର୍ଣ୍ଣାମେଣ୍ଟ ହୋଇଥାଆନ୍ତା। ତେବେ ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ନେଇ ସନ୍ଦେହ ସୃଷ୍ଟିହୋଇଛି।

Comments are closed.