ଲକ୍ଡାଉନ ଉଲ୍ଲଂଘନକାରୀଙ୍କ ବିରୋଧରେ ରୁଜୁ ମାମଲା ରଦ୍ଦ ହେବ, ଏହି ରାଜ୍ୟ ସରକାର କଲେ ଘୋଷଣା

କରୋନା ମହାମାରୀକୁ ରୋକିବା ଲାଗି ଗତବର୍ଷ ମାର୍ଚ୍ଚରୁ ବିଭିନ୍ନ ରାଜ୍ୟରେ ଲକ୍ଡାଉନ ଜାରି କରାଯାଇଥିଲା। ଏହି ସମୟରେ ଲକଡାଉନ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ରହିଥିଲା। କିନ୍ତୁ ଅନେକ ଲୋକ ନିୟମ ଉଲ୍ଲଂଘନ କରିଥିଲେ। ସେଥିଲାଗି ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏବେ ସେସବୁ ମାମଲାକୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଏ ନେଇ ଘୋଷଣା କରିଛନ୍ତି। ପୂର୍ବରୁ ବ୍ୟବସାୟୀଙ୍କ ନାମରେ ରୁଜୁ ମାମଲା ରଦ୍ଦ କରାଯାଇଥିଲା।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କୁ ଅଶ୍ବସ୍ତି ମିଳିବ। ମାମଲା ଯୋଗୁ ଥାନା ଏବଂ କୋର୍ଟର ଚକ୍କର କାଟୁଥିବା ରାଜ୍ୟର ଲକ୍ଷାଧିକ ଜନସାଧାରଣ ଏବଂ ବ୍ୟବସାୟୀଙ୍କୁ ଖୁବଶୀଘ୍ର ଏଥିରୁ ମୁକ୍ତି ମିଳିବ। ଏହା ପୂର୍ବରୁ ରାଜ୍ୟ ସରକାର ବ୍ୟବସାୟୀଙ୍କ ବିରୋଧରେ ରୁଜୁ ହୋଇଥିବା ଲକଡାଉନ ନିୟମ ଉଲ୍ଲଂଘନ ମାମଲା ପ୍ରତ୍ୟାହାର ଲାଗି ନିର୍ଦେଶ ଜାରି କରିଥିଲେ।
ରାଜ୍ୟ ସରକାର କହିଛନ୍ତି ଯେ, କୋଭିଡ ମାମଲାକୁ ନେଇ ଜନସାଧାରଣଙ୍କୁ ଅନାବଶ୍ୟକ ଭାବେ ସମସ୍ୟାର ସାମ୍ନା କରିବାକୁ ପଡ଼ିବ। ଏବେ ରାଜ୍ୟରେ କରୋନା ପ୍ରଭାବ କମ୍ ହେଉଛି। ଏପରି ସ୍ଥିତିରେ ମାମଲା ରଦ୍ଦ କରିଦିଆଯିବା ଜରୁରୀ। ତେବେ ଏହି ମାମଲା ପ୍ରତ୍ୟାହାର କରିବାରେ ଉତ୍ତର ପ୍ରଦେଶ ପ୍ରଥମ ରାଜ୍ୟ ହୋଇଛି।