ଏହି ଛୋଟ ପିଲାଟି ନିକଟରୁ ଶିଖନ୍ତୁ ‘ଜୀବେ ଦୟା’

ଋାୟପୁର: ଆଧୁନିକ ମଣିଷ ପଶୁପକ୍ଷୀଙ୍କ ପ୍ରତି କ୍ରୁର ଆଚରଣ ପ୍ରଦର୍ଶନ କରୁଛି । ସେମାନଙ୍କୁ ଅମାନୁଷିକ ଭାବରେ ହତ୍ୟା କରୁଛି । ହେଲେ ସବୁ ମଣିଷ ଯେ ସମାନ ତାହା ନୁହେଁ । ଏହା କୋଭିଡ ମହାମାରୀ ସମୟରେ ପ୍ରତିପାଦିତ ହୋଇସାରିଛି । ଯେତେବେଳେ ତାଲାବନ୍ଦ କାରଣରୁ ଦୋକାନ ବଜାର, ଅଫିସ କଚେରୀ ସବୁକିଛି ବନ୍ଦ ରହିଲା, ସେତେବେଳେ ବୁଲା ଗାଈଗୋରୁ, କୁକୁର ଆଦି ଖାଇବାକୁ ନପାଇ ଡହଳ ବିକଳ ହେଲେ । କିଛି ଦରଦୀ ମଣିଷ ଏବଂ ସ୍ୱେଚ୍ଛାସେବୀ ସଂସ୍ଥା ସେମାନଙ୍କ ପାଇଁ ଖାଦ୍ୟ ଓ ପାଣି ବ୍ୟବସ୍ଥା କରିଥିଲେ । ହେଲେ ଜୀବ ଜନ୍ତୁଙ୍କ ପ୍ରତି ଦୟାଭାବ ପ୍ରଦର୍ଶନ କରିବାକୁ ଆମ ପୂର୍ବପୁରୁଷମାନେ ଯାହା କହିଯାଇଛନ୍ତି, ତାହା ଆମେ କେତେ ପାଳନ କରୁଛେ ସେକଥା ସମସ୍ତେ ଜାଣନ୍ତି । କିନ୍ତୁ ପାଖାପାଖି ଚାରିବର୍ଷର ଏକ ଶିଶୁ ଏକ ବୁଲା କୁକୁର ଛୁଆ ପ୍ରତି ଯେଉଁଭଳି ସହାନୁଭୂତି ଆଚରଣ ପ୍ରଦର୍ଶନ କରିଛି ତାହା ଯେକେହି ଲୋକର ହୃଦୟକୁ ଛୁଇଁବ । ଛତିଶଗଡର ଏହି ଶିଶୁଟି ଏକ କୁକୁର ଛୁଆ ସହିତ ବନ୍ଧୁତା ବାନ୍ଧିଥିଲା । ଦିନେ ମଧ୍ୟାହ୍ନରେ କୁକୁର ଛୁଆକୁ ଶୋଷ ଲାଗିବାରୁ ସେ ସେହି ଶିଶୁର ପାଦକୁ ଚାଟିବାକୁ ଲାଗିଲା । ଶିଶୁଟି ଏଥିରୁ କଣ ବୁଝିଲା ଜଣାନାହିଁ, କିନ୍ତୁ ତାଙ୍କ ଘର ପାଖରେ ଥିବା ଏକ ନଳକୂଅ ନିକଟକୁ ଗଲା ଏବଂ ତାହା ସହିତ ସେହି କୁକୁର ଛୁଆ ମଧ୍ୟ ଯାଇଥିଲା । ସେଠାରେ ଶିଶୁଟି ନଳକୂଅର ଢିଙ୍କିଆ ମାରିବାରେ ଲାଗିଲା ଏବଂ ସେଥିରୁ ବାହାରୁଥିବା ଅଳ୍ପ କିଛି ପାଣିକୁ କୁକୁର ଛୁଆ ଆନନ୍ଦରେ ପିଇଚାଲିଥିଲା । ସେହି ବାଟଦେଇ ଯାଉଥିବା ଛତିଶଗଡର ଜଣେ ଆଇପିଏସ ଅଧିକାରୀ ଦୀପାଂଶୁ କାବ୍ରା ଏହି ସମୁଦାୟ ଘଟଣାର ଚିତ୍ର ଉତ୍ତୋଳନ କରି ତାହାକୁ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି । ଏଥିରେ ଆଇପିଏସ ଅଧିକାରୀ ଜଣକ ଲେଖିଛନ୍ତି, ଜଣେ ଯେତେ ଛୋଟ ହେଲେ ମଧ୍ୟ ଯଦି ସାହାଯ୍ୟ କରିବାର ମନୋଭାବ ରହିଥିବ, ତେବେ ସେ ଅନ୍ୟକୁ ସାହାଯ୍ୟ କରିପାରିବେ । ଏଭଳି ପିଲାକୁ ଭଗବାନ ଆଶୀର୍ବାଦ କରନ୍ତୁ । ଏହା ଉପରେ ଅନେକ ମତାମତ ଆସିଥିବାବେଳେ ଜଣେ ଲେଖିଛନ୍ତି ଯେ ସାରା ବିଶ୍ୱ ଏହିଭଳି ହୋଇଯାଆନ୍ତା କି! ସେ ଆଉ ମଧ୍ୟ ଲେଖିଛନ୍ତି ଯେ ମାନବିକତା କେବେ ବୟସ, ଉଚ୍ଚତା ଓ ଜ୍ଞାନ ଦେଖେନାହିଁ । ଅନ୍ୟକୁ ସାହାଯ୍ୟ କରିବାର ଇଛା ହୃଦୟରେ ଜାଗ୍ରତ ହୋଇଥାଏ ।

Comments are closed.