ଉପସ୍ଥିତ ବୁଦ୍ଧି ଦ୍ବାରା ବଡ ବଡ ସମସ୍ୟାର ସମାଧାନ ସଫଳ

ଥରେ ଜଣେ ରାଜା ଏକ ସୁନ୍ଦର ମହଲ ତିଆରି କଲେ। ଏହାସହ ମହଲର ମୁଖ୍ୟ ଦ୍ବାରରେ ଏକ ସୂତ୍ର ଲେଖିଲେ। ତାପରେ ରାଜା ନିଜ ରାଜ୍ୟରେ ଘୋଷଣା କଲେ ଯେ, ଯେଉଁ ବ୍ୟକ୍ତି ଏହି ସୂତ୍ରର ସମାଧାନ କରିବ ତା ପାଇଁ ମୁଖ୍ୟ ଦ୍ବାରଟି ଖୋଲିଯିବ। ଏହାସହ ସେହି ବ୍ୟକ୍ତିଙ୍କୁ ରାଜାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ କରାଯିବ।

ଲୋକମାନେ ରାଜାଙ୍କର ଏହି ଘୋଷଣା ଶୁଣି ରାଜ ମହଲ ସମ୍ମୁଖରେ ପହଞ୍ଚି ଗଲେ। ଏହାସହ ସେହି ଗାଣିତିକ ସୂତ୍ରର ସମାଧାନ କରିବାକୁ ଚେଷ୍ଟା କଲେ। କିନ୍ତୁ କେହି ସେହି ସୂତ୍ରର ସମାଧାନ କରି ପାରିଲେ ନାହିଁ। ରାଜାଙ୍କର ଘୋଷଣା ଅନ୍ୟ ରାଜ୍ୟରେ ପହଞ୍ଚି ଗଲା। ସେହି ସୂତର ସମାଧାନ କରିବା ପାଇଁ ରାଜ୍ୟର ଦୂରଦୂରାନ୍ତରୁ ଅନେକ ଗଣିତଜ୍ଞ ଆସି ସେଠାରେ ପହଞ୍ଚିଲେ। କିଛି ଗଣିତଜ୍ଞ ନିଜର ବହି ଧରି ସେଠାରେ ପହଞ୍ଚି ସୂତ୍ରଟିର ସମାଧାନ କରିବାକୁ ଚେଷ୍ଟା କଲେ। କିନ୍ତୁ କେହି ତାହାକୁ ସମାଧାନ କରିପାରିଲେ ନାହିଁ।

ସେଠାରେ ଏକ ଗରିବ ବାଳକ ଛିଡା ହୋଇଥିଲା। ସେ ଭାବିଲା ସୂତ୍ରଟିର ସମାଧାନ କରିବ। ସେଥିପାଇଁ ବାଳକଟି ସୈନିକଙ୍କୁ ତାର ଇଚ୍ଛା ଜଣାଇଲା। ସେଠାରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ଭାବିଲେ ଯେ, ବଡ ବଡ ଗଣିତଜ୍ଞ ଯେଉଁ ସୂତ୍ରର ସମାଧାନ କରିପାରିଲେ ନାହିଁ ତାହାକୁ ଏ ବାଳକ କିପରି ସମାଧାନ କରିବ। କିନ୍ତୁ ବାଳକ କାହା କଥା ନ ଶୁଣି ସୂତ୍ରର ସମାଧାନ କରିବା ପାଇଁ କିଛି ସମୟ ଧ୍ୟାନର ସହ ବସି ତାପରେ ମୁଖ୍ୟ ଦ୍ବାର ନିକଟକୁ ଅଗ୍ରସର ହେଲା। ଏହାପରେ ବାଳକଟି ମୁଖ୍ୟ ଦ୍ବାରକୁ ହାତ ମାରିବା କ୍ଷଣି ଖୋଲିଗଲା। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଏହା ଦେଖି ରାଜା ବାଳକକୁ ପଚାରିଲେ ଯେ, ତୁମେ ଏହା କିପରି କଲ? ବାଳକ କହିଲା ଯେ, ମୁଁ ଯେତେବେଳେ ଧ୍ୟାନରେ ବସିଥିଲି ସେତେବେଳେ ମୋ ମନକୁ ଆସିଲା ଯେ ପ୍ରଥମେ ଯାଇ ସୂତ୍ରଟି ଠିକ୍‌ ଅଛି କି ନାହିଁ ପରୀକ୍ଷା କରିବାକୁ। ତେଣୁ ମୋ ମନକୁ ଆସିଥିବା କଥାକୁ ମାନି ମୁଁ ମୁଖ୍ୟ ଦ୍ବାର ସହ ସୂତ୍ରର ସମ୍ବନ୍ଧ ଅଛି କି ନାହିଁ ପରୀକ୍ଷା କରିବା ପାଇଁ ଗଲି। ମୁଖ୍ୟ ଦ୍ବାରରେ ହାତ ମାରିବା କ୍ଷଣି ତାହା ଖୋଲିଲା। ତେଣୁ ଏଥିରୁ ପ୍ରମାଣିତ ହେଉଛି ଯେ, ସୂତ୍ର ସହ ମୁଖ୍ୟ ଦ୍ବାରର କୌଣସି ସମ୍ବନ୍ଧ ନାହିଁ। ଏହାସହ ଦ୍ବାରରେ ଲେଖା ଥିବା ସୂତ୍ର ଠିକ ନ ଥିଲା ତେଣୁ ତାହାକୁ ସମାଧାନ କରିବାର କୌଣସି ଆବଶ୍ୟକ ନ ଥିଲା।

ରାଜା ବାଳକଟିର ବୁଦ୍ଧିମାନ କଥା ଶୁଣି ତା ଉପରେ ପ୍ରସନ୍ନ ହୋଇଗଲେ। ଏହାସହ ରାଜା ସେହି ବାଳକକୁ ନିଜର ଉତ୍ତରାଧିକାରୀ ଭାବେ ଘୋଷଣା କଲେ।

ଶିକ୍ଷଣୀୟ କଥା :

ଆମ ଜୀବନରେ କୌଣସି ଛୋଟ ସମସ୍ୟା ଆସିଲେ ଭାବନା ଦ୍ବାରା ଆମେ ତାକୁ ବଡ କରି ଦେଇଥାଉ।

ଯେପରି ରାଜା ମୁଖ୍ୟ ଦ୍ବାରରେ ଲେଖିଥିବା ସୂତ୍ର ସଠିକ ନ ଥାଇ ମଧ୍ୟ ତାକୁ ସମାଧାନ କରିବା ପାଇଁ ସମସ୍ତେ ପ୍ରୟାସ କଲେ। ତାହାକୁ ଏକ ଅସୁବିଧା ଭାବି ଦୂରଦୂରାନ୍ତରୁ ଅନେକ ଗଣିତଜ୍ଞ ଆସି ମଧ୍ୟ ବିଫଳ ହେଲେ। କିନ୍ତୁ ସାମାନ୍ୟ ସାଧାରଣ ବାଳକ ନିଜର ଉପସ୍ଥିତ ବୁଦ୍ଧି ଦ୍ବାରା ମୁଖ୍ୟ ଦ୍ବାରକୁ ବିନା ସୂତ୍ର ସମାଧାନ କରି ଖୋଲି ପାରିବାରେ ସଫଳ ହେଲା। ରାଜା ନିଜ ଉତ୍ତରାଧିକାରୀଙ୍କର ତାର୍କିକ ବୁଦ୍ଧି ପରଖିବା ପାଇଁ ଏପରି କରିଥିଲେ।

Comments are closed.