ଚୋରି ଅଭିଯୋଗରେ ୪ ଗିରଫ

ବେଗୁନିଆ : ବିଭିନ୍ନ ଚୋରି ଘଟଣାରେ ସଂପୃକ୍ତ ଥାଇ ବେଗୁନିଆରେ ଘୁରିବୁଲୁଥିବା ୪ ଜଣ ଯୁବକଙ୍କୁ ଆଜି ବେଗୁନିଆ ପୋଲିସ ବିଭିନ୍ନ ସ୍ଥାନରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗତ ଜୁନ ମାସ ୮ ତାରିଖରେ ବେଗୁନିଆ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ କାର୍ୟ୍ୟ କରୁଥିବା ଠିକାଦାର ସନ୍ତୋଷ କୁମାର ସାହୁ ସ୍କୁଲ ଘରେ ତାଙ୍କର ସମସ୍ତ ଜିନିଷ ପତ୍ର ରଖିଥିବା ବେଳେ ଅଭିଯୁକ୍ତମାନେ ରାତିରେ ତାଲା ଭାଙ୍ଗି ତାଙ୍କର ହାଲୋଜେନ ଲାଇଟ, ରଙ୍ଗ ଭର୍ତ୍ତି ବାଲ୍ଟି ଏବଂ ୧ ଏଚପି କ୍ରମ୍ପଟନ ମୋଟର ପମ୍ପ ଚୋରି କରି ନେଇଯାଇଥିଲେ । ଏ ସଂକ୍ରାନ୍ତରେ ଶ୍ରୀ ସାହୁ ୧୦ ତାରିଖରେ ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ଏସ ଆଇ ଶ୍ରୀକାନ୍ତ ପଣ୍ଡା ୧୨୭/୨୧ ନଂ କେଶ ରୁଜୁ କରି ଘଟଣାର ଅନୁସନ୍ଧାନ କରିଥିଲେ । ଆଜି ସକାଳେ ବେଗୁନିଆ ବଜାର ଭିତରୁ ତାରିଣୀ ମନ୍ଦିର ନିକଟରୁ ଏବଂ ତଳସାହିରୁ ତପନ/ହଟିଆ ବେହେରା, ହାଡ଼ିଆ ବେହେରା, ସୁକାନ୍ତ ସାହୁ ଏବଂ ସଂଗ୍ରାମ /ବାବୁ ଜୁଝାର ସିଂହଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ଚୋରି ଜିନିଷଗୁଡିକ ଉଦ୍ଧାର କରିଛି । ଉଦ୍ଧାର ଜିନିଷ ଠିକାଦାରଙ୍କ ଜିମା ଦିଆଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସେହିପରି ଗତ ଦୁଇଦିନ ତଳେ ମଙ୍ଗଳାସାହିର ସ୍ବର୍ଗତ ରତ୍ନାକର ସାହୁଙ୍କ ପତ୍ନୀ ତାଙ୍କ ବାଡ଼ିପଟେ ଏକ ଲେଡିଜ କର୍ଣ୍ଣର ଦୋକାନ କରିଥିବାବେଳେ ତାଙ୍କ ଦୋକାନରୁ ଚୋରମାନେ ସବୁ ଜିନିଷ ଚୋରି କରି ନେଇଯାଇଛନ୍ତି । ମହିଳା ଜଣକ ସୋମବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତତ୍ପର ହୋଇ ଉଠିଥିଲା । ଫଳ ସ୍ୱରୂପ ଆଜି ଏହି ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Comments are closed.