ତୁରୁମୁଙ୍ଗା ପୁଲିସକୁ ଚ୍ୟାଲେଞ୍ଜ ମହଙ୍ଗା ପଡିଲା, ସବ ଇନ୍ସପେକ୍ଟରଙ୍କ ଘରୁ ଚୋରି ସମୟରେ ୨ ଡକାୟତ କାବୁ

ପାଟଣା : ପାଟଣା ବ୍ଲକ୍ ଅନ୍ତର୍ଗତ ତୁରୁମୁଙ୍ଗା ପୁଲିସକୁ ଚ୍ୟାଲେଞ୍ଜ ଦବାକୁ ଯାଇ ଆଜି ଯାଜପୁର ଅଞ୍ଚଳର ଦୁଇ ଜଣ ଡକାୟତ ଥାନା ସବ ଇନ୍ସପେକ୍ଟର ଦୀନଦୟାଲ ମୋଦୀଙ୍କ ଭଡା ଘରେ ପଶି ଚୋରୀ ଉଦ୍ୟମ କରୁଥିଲେ। ସନ୍ଧ୍ୟା ୮ ଟା ସମୟରେ ସବ ଇନ୍ସପେକ୍ଟର ଦୀନଦୟାଲଙ୍କ ଘରୁ ଖଡ ଖଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଏହି ଦୁଇ ଜଣ ଚୋରଙ୍କୁ ମାଡ଼ି ବସିବା ସହ ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତିଙ୍କ ଜିମା ଦେଇଛନ୍ତି। ଗତ କାଲି ତୁରୁମୁଙ୍ଗା ଭଡା ଘରେ ତାଲା ମାରି ଦୀନଦୟାଲ ନିଜ ଗ୍ରାମକୁ ଛୁଟିରେ ଯାଇଥିବା ବେଳେ ଏଭଳି ଘଟଣା ଘଟିଛି। ଦୁଇ ଡକାୟତଙ୍କୁ କାବୁ କରିଥିବା ଲୋକମାନଙ୍କ ସାହସକୁ ସାଧାରଣରେ ସାବାସି ଦିଆଯାଇଥିବା ବେଳେ ତୁରୁମୁଙ୍ଗା ଅଞ୍ଚଳରୁ କ୍ରମାଗତ ଚୋରର ପର୍ଦ୍ଦାଫାସ କରିବା ସମ୍ଭବ ହେବ ବୋଲି ଆଶା କରାଯାଉଛି। ପୁଲିସକୁ ଜିମା ଦିଆଯାଇଥିବା ଡକାୟତ ଦ୍ବୟ ଫୁଲନଖରା ଓ ଯାଜପୁରର ବୋଲି କହୁଥିବା ବେଳେ ସେମାନଙ୍କର ସଠିକ୍ ପରିଚୟ ମିଳିପାରିନାହିଁ। ଡକାୟତ ଦ୍ବୟକୁ ପୁଲିସ ଜିମା ଦିଆଯିବା ପରେ ତୁରୁମୁଙ୍ଗାର ବହୁ ଲୋକ ଥାନାରେ ଭିଡ଼ ଜମାଇଥିବା ଜଣାପଡିଛି।

Comments are closed.