ମାନସିକ ସ୍ବାସ୍ଥ୍ୟ ଉପରେ କରୋନା ପ୍ରଭାବ; ଅବସାଦଗ୍ରସ୍ତ ଲୋକଙ୍କ ସଂଖ୍ୟା ଦୁଇଗୁଣ

କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼ିଛି ଭୟଙ୍କର ପ୍ରଭାବ । ସଂକ୍ରମିତ ଲୋକ ତ ସ୍ବାଭାବିକ ଭାବରେ ଅବସାଦଗ୍ରସ୍ତ ହେଉଛନ୍ତି, ପକ୍ଷାନ୍ତରେ ଯେଉଁମାନେ ସଂକ୍ରମିତ ହୋଇ ନାହାନ୍ତି ସେମାନେ ମଧ୍ୟ ଚିନ୍ତା, ଚାପ ଓ ଅବସାଦର ଶିକାର ହେଉଛନ୍ତି ।  କରୋନା ମହାମାରୀ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟକୁ ଖରାପ କରିଦେଇଛି ।  ଦେଶରେ ମାନସିକସ୍ତରରେ ଅବସାଦଗ୍ରସ୍ତ ଲୋକଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି। କରୋନାରେ ଦିନକୁ ଦିନ ଲୋକଙ୍କ ମୃତ୍ୟୁ ସଂଖ୍ୟା ସ୍ବାଭାବିକ ଭାବରେ ଲୋକଙ୍କୁ ମାନସିକ ଅବସାଦ ମଧ୍ୟକୁ ଟାଣି ନେଉଛି । ଏହି ସମୟରେ ନିଜ ଜୀବନ ଜୀବିକାକୁ ନେଇ ମଧ୍ୟକିଛି ଲୋକ ଚିନ୍ତିତ ଅଛନ୍ତି । ଏହି କାରଣରୁ ମାନସିକ ରୋଗ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି ଗବେଷକମାନେ କହିଛନ୍ତି ।

ଦିଲ୍ଲୀ ଏମ୍ସର ମାନସିକ ରୋଗ ବିଭାଗ ପ୍ରଫେସର  ଡକ୍ଟର ରାଜେଶ ସାଗର କହିଛନ୍ତି ଯେ ଦେଶରେ ମାନସିକ ଅବସାଦଗ୍ରସ୍ତ ଲୋକଙ୍କ ସଂଖ୍ୟା ପ୍ରାକ୍ କରୋନା କାଳରେ ୩.୫%ରୁ ୫% ମଧ୍ୟରେ ରହିଥିଲା । ମାତ୍ର ବର୍ତମାନ ଏହି ସଂଖ୍ୟା ୧୦%କୁ ବୃଦ୍ଧି ପାଇଛି । ଏହା ସହ ସ୍ନାୟବିକ ରୋଗୀଙ୍କ ସଂଖ୍ୟା ମଧ୍ୟ ୨ରୁ ୩ ଗୁଣ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଲୋକମାନେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହେବା ଆବଶ୍ୟକ। ନ ହେଲେ ଏହାଦ୍ବାରା ଆତ୍ମହତ୍ୟା ମାମଲା ବୃଦ୍ଧି ପାଇବାର ଆଶଙ୍କା ରହିଛି ।  ଏପରି ପରିସ୍ଥିତିରେ ଯଦି କାହାର ମାନସିକ ସମସ୍ୟା ଥାଏ, ସେ ତୁରନ୍ତ ଡାକ୍ତରଙ୍କୁ ଦେଖିବା ଉଚିତ୍ । ଠିକ୍ ସମୟରେ ଚିକିତ୍ସା କରାଗଲେ ଆତ୍ମହତ୍ୟା ଘଟଣାକୁ ରୋକାଯାଇପାରିବ ବୋଲି ଡ଼. ସାଗର କହିଛନ୍ତି ।

ଅନୁରୂପ ଭାବରେ ଦିଲ୍ଲୀ ଆରଏମଏଲ ହସ୍ପିଟାଲର ମାନସିକ ରୋଗ ବିଭାଗର ବିଶେଷଜ୍ଞ ଡକ୍ଟର ଆର.ପି ବେନିୱାଲ କହିଛନ୍ତି ଯେ ଲକଡାଉନ୍ ସମୟରେ ଭାରତୀୟ ସାଇକ୍ରେଟ୍ରିକ୍ ସୋସାଇଟି ୧୬୮୫ ଜଣଙ୍କ ଉପରେ ଅନଲାଇନ୍ ସର୍ଭେ କରିଥିଲା। ଯେଉଁଥିରେ ୩୮.୨% ଲୋକ ସ୍ନାୟୁ ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଥିଲା।  ଏଥି ସହିତ ୧୦.୫% ଲୋକ ଉଦାସୀନତାର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ୭୪% ଲୋକଙ୍କ ମଧ୍ୟରେ ମଧ୍ୟମସ୍ତରର ଉଦାସୀନତା ଦେଖିବାକୁ ମିଳିଥିଲା। କରୋନାଜନିତ ଭୟ, ନିଯୁକ୍ତି ହରାଇବା ଓ ଆର୍ଥିକ ସମସ୍ୟାର ଆଶଙ୍କା ଏହାର ମୁଖ୍ୟ କାରଣ ବୋଲି ଡ଼ା. ବେନିୱାଲ କହିଛନ୍ତି ।

ବର୍ତ୍ତମାନ କରୋନା ଭୟ ବହୁତ ମାତ୍ରାରେ ହ୍ରାସ ପାଇଛି, କିନ୍ତୁ ମାନସିକ ସ୍ବାସ୍ଥ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଲୋକଙ୍କ ମଧ୍ୟରେ ସ୍ନାୟୁ, ଚାପ,  ମାନସିକ ଅବସାଦସମସ୍ୟା ମଧ୍ୟ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ମାନସିକ ସ୍ତରରେ ଶକ୍ତିଶାଳୀ ହେଲେ କରୋନା  ସଂକ୍ରମଣ ଜନିତ ଭୟକୁ ଅନେକାଂଶରେ ଦୂର କରାଯାଇ ପାରିବ । କରୋନା ରୋଗୀଙ୍କ ଶ୍ୱାସକ୍ରିୟାରେ ସମସ୍ୟା ରହିଛି। ଅନେକ ରୋଗୀଙ୍କ ମଧ୍ୟରେ କେବଳ ସ୍ନାୟୁ ଜନିତ ସମସ୍ୟାରେ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦିଏ । ଏପରି କ୍ଷେତ୍ରରେ ରୋଗୀମାନେ ହୃଦଘାତର ଶିକାର ହୋଇପାରନ୍ତି । ତେଣୁ ମାନସିକ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ଡ଼. ବେନିୱାଲ କହିଛନ୍ତି ।

Comments are closed.