ସଂଖ୍ୟା ଗରିଷ୍ଠତା ନ ମିଳିଲେ ଏନଡିଏକୁ ସମର୍ଥନ କରିପାରନ୍ତି ଏହିସବୁ ଦଳ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଶେଷ ୨ଟି ପର୍ଯ୍ୟାୟ ଭୋଟଗ୍ରହଣ ବାକି ରହିଛି। କିନ୍ତୁ କେବଳ ବିରୋଧୀ ନୁହନ୍ତି, ବିଜେପିର କିଛି ନେତା ଏବଂ ଏହାର ସହଯୋଗୀ ଦଳ ବି ବର୍ତ୍ତମାନ ସ୍ବୀକାର କରୁଛନ୍ତି ଯେ, ନରେନ୍ଦ୍ର ମୋଦୀ ସରକାର ଗଢ଼ିବା ଲାଗି ଏଥର ମ୍ୟାଜିକ ନମ୍ବର ଛୁଇଁପାରିବେ ନାହିଁ। ପ୍ରଥମେ ସବ୍ରମଣ୍ୟମ ସ୍ବାମୀ, ପରେ ରାମ ମାଧବ ଏବଂ ବର୍ତ୍ତମାନ ଶିବସେନା ମୁଖପାତ୍ର ସଞ୍ଜୟ ରାଓତ ବି ମତ ଦେଇଛନ୍ତି ଯେ, ବିଜେପି ନିଜ ଶକ୍ତି ବଳରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବା କଷ୍ଟକର ହୋଇପଡ଼ିବ। ସରକାର ଗଢ଼ିବା ପାଇଁ ବିଜେପିକୁ ସହଯୋଗୀ ଦଳଗୁଡ଼ିକର ଆବଶ୍ୟକତା ପଡ଼ିପାରେ। ତେବେ କେଉଁ କେଉଁ ଦଳ ବିଜେପିକୁ ସମର୍ଥନ କରିବେ ତାହାକୁ ନେଇ ଏବେଠାରୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଚଳିତ ଲୋକସଭା ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶ, ବିହାର, ମହାରାଷ୍ଟ୍ର, ପଞ୍ଜାବ ଏବଂ ତାମିଲନାଡୁ ସହିତ ପୂର୍ବାଞ୍ଚଳର କେତେକ ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକ ସହ ମେଣ୍ଟ କରି ମଇଦାନକୁ ଓହ୍ଲାଇଛି। ଏହା ବ୍ୟତୀତ ଅବଶିଷ୍ଟ ରାଜ୍ୟଗୁଡ଼ିକରେ ବିଜେପି ଏକାକୀ ନିର୍ବାଚନ ଲଢ଼ୁଛି। ୨୦୧୪ରେ ବିଜେପି ୨୭ଟି ଆଞ୍ଚଳିକ ଦଳ ସହିତ ମିଶି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲା। ବିଜେପିକୁ ୨୮୨ ଆସନ ଏବଂ ଏନଡିଏକୁ ମୋଟ ୩୩୬ ଆସନ ମିଳିଥିଲା। ପରବର୍ତ୍ତୀ ସମୟରେ ଟିଡିପି ଏବଂ ଆରଏଲଏସପି ଏନଡିଏ ହାତ ଛାଡ଼ିଥିଲେ। କିନ୍ତୁ ଚଳିତଥର ନିର୍ବାଚନ ସମୀକରଣ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। ବିଜେପି ବିରୋଧରେ ବିଭିନ୍ନ ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ମହାମେଣ୍ଟ ଗଠନ କରି ନିର୍ବାଚନ ଲଢ଼ୁଛନ୍ତି। ମହାମେଣ୍ଟକୁ କଡ଼ା ଟକ୍କର ଦେବା ଲାଗି ବିଜେପି ଉତ୍ତରପ୍ରଦେଶରେ ଆପନା ଦଲ୍‌, ବିହାରରେ ଜେଡିୟୁ-ଏଲଜେପି, ମହାରାଷ୍ଟ୍ରରେ ଶିବସେନା, ପଞ୍ଜାବରେ ଅକାଳୀ ଦଳ, ତାମିଲନାଡୁରେ ଏଆଇଏଡିଏମକେ ସହ ମିଶି ନିର୍ବାଚନ ଲଢ଼ୁଛି। ଏହାସତ୍ବେ ଯଦି ବିଜେପି ନିଜ ସହଯୋଗୀଙ୍କ ସହ ମିଶି ମ୍ୟାଜିକ ନମ୍ବର ହାସଲ କରି ନ ପାରେ ତେବେ ତାହାକୁ ସରକାର ଗଢ଼ିବା ଲାଗି ଅନ୍ୟ କେତେକ ଆଞ୍ଚଳିକ ଦଳର ସମର୍ଥନ ଦରକାର ପଡ଼ିବ ନିଶ୍ଚୟ। ଏଭଳି ସ୍ଥିତିରେ ବିଜେପିର ନଜର ସେହିସବୁ ଦଳ ଉପରେ ରହିବ ଯେଉଁଗୁଡ଼ିକ କଂଗ୍ରେସ ବିରୋଧୀ। ଏହାକୁ ଦୃଷ୍ଟିରେ ରଖିଲେ ବିଜେପିର ପ୍ରଥମ ପସନ୍ଦ ହେବ ଆନ୍ଧ୍ରପ୍ରଦେଶର ଜଗନ ମୋହନ ରେଡ୍ଡୀଙ୍କ ପାର୍ଟି ୱାଇଏସଆର କଂଗ୍ରେସ, ଯିଏ ୨୦୧୪ରେ କଂଗ୍ରେସଠାରୁ ଅଲଗା ହୋଇ ଅଲଗା ଦଳ ଗଠନ କରିଥିଲେ। କୁହାଯାଉଛି ​‌ଯେ, ଏଥର ଆନ୍ଧ୍ରରେ ୱାଇଏସଆର କଂଗ୍ରେସକୁ ରାଜ୍ୟରେ ଭଲ ଆସନ ମିଳିବ। ଅନ୍ୟପଟେ ଜଗନ ମୋହନ ବି କହିଦେଇଛନ୍ତି ଯିଏ ରାଜ୍ୟକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବ ସେ ତାହାକୁ ସମର୍ଥନ କରିବେ। କଂଗ୍ରେସଠାରୁ ଏହି ଦଳ ଅଲଗା ହୋଇଯାଇଥିବାରୁ ଏଥର ବିଜେପିକୁ ଦଳ ସମର୍ଥନ କରିପାରେ ବୋଲି ଚର୍ଚ୍ଚା ହେଉଛି।

ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଦଳ ଟିଆରଏସ ଉପରେ ବିଜେପିର ନଜର ରହିଛି। ଗତ ୫ବର୍ଷ ମଧ୍ୟରେ କେସିଆର ଅନେକ ସମୟରେ ବିଜେପିକୁ ସହାୟତା କରିଆସିଛି। ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ଟିଆରଏସ ବିଜେପିକୁ ସମର୍ଥନ କରିଥିଲା। ତେଲେଙ୍ଗାନାରେ ବି ଟିଆରଏସର ଆଭିମୁଖ୍ୟ କଂଗ୍ରେସ ବିରୋଧୀ ରହିଛି।

ସର୍ବଶେଷରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦଳ ବିଜେଡି ଉପରେ ବିଜେପିର ନଜର ରହିବ। ବିଜେଜି ପୂର୍ବରୁ ଅନେକ ସମୟରେ ଏନଡିଏକୁ ପରୋକ୍ଷ ଭାବେ ସମର୍ଥନ କରିଛି। ବିଗତ ୫ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦୀ ସରକାରଙ୍କ ବଡ଼ ବଡ଼ ନିଷ୍ପତ୍ତିକୁ ବିଜେଡି ସମର୍ଥନ କରିଛି। ତେଣୁ ମୋଦୀଙ୍କୁ ସରକାର ଗଢ଼ିବା ଦିଗରେ ଯଦି କିଛି ଆସନର ଆବଶ୍ୟକତା ପଡ଼େ ତେବେ ବିଜେଡି ସମର୍ଥନ କରିପାରେ ବୋଲି ଆଲୋଚନା ହେଉଛି। ଏହା ସହ ବିଜେପିର ନଜର ଶଦର ପାୱାରଙ୍କ ଦଳ ଏନସିପି, ଜାମ୍ମୁ-କାଶ୍ମୀରର ନ୍ୟାଶନାଲ କନ୍‌ଫରେନ୍ସ ସହିତ ଅନ୍ୟାନ୍ୟ ଛୋଟ ଦଳଗୁଡ଼ିକ ଉପରେ ମଧ୍ୟ ରହିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖୁଛନ୍ତି।

Comments are closed.