ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଥିଲେ, ଖାଦ୍ୟରେ ସାମିଲ କରନ୍ତୁ ଏହି ୮ଟି ଜିନିଷ

ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ, ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଲୋକମାନେ ସହଜରେ କରୋନା ସଂକ୍ରମିତ ହୋଇଥାନ୍ତି। ରୋଗ ପ୍ରତିରୋଧକ ଶକ୍ତି ଖାଦ୍ୟ ଏବଂ ପାନୀୟ ସହିତ ସିଧାସଳଖ ଜଡିତ। ଉତ୍ତମ ଖଦ୍ୟ ପାନୀୟ ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ତଥାପି, ଏ ପର୍ଯ୍ୟନ୍ତ କୌଣସି ଗବେଷଣାରୁ ଜଣାପଡିନାହିଁ ଯେ, କୌଣସି ଏକ ନିର୍ଦ୍ଦିଷ୍ଟ ଖାଦ୍ୟ କରୋନା ସହିତ ଲଢିବାରେ ସହାୟକ ହୋଇଥାଏ।

ସେହିପରି ପୂର୍ବରୁ କିଛି ଅଧ୍ୟୟନରୁ ଜଣାପଡିଛି ଯେ, କିଛି ଖାଦ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ଆଣିଥାଏ ଏବଂ ଶରୀରର ଅନ୍ୟ ଆକ୍ରମଣାତ୍ମକ ଭୂତାଣୁ ସହିତ ଲଢିବାର କ୍ଷମତାକୁ ଦୃଢ କରିଥାଏ। ଆସନ୍ତୁ ଜାଣିବା ସେହି ଖାଦ୍ୟ ପଦାର୍ଥ କ’ଣ………

ରେଡ୍ କ୍ୟାପ୍ସିକମ୍ – ରେଡ୍ କ୍ୟାପ୍ସିକମ୍ ରେ ସର୍ବାଧିକ ଭିଟାମିନ୍ ସି ଥାଏ। ଆମେରିକାର କୃଷି ବିଭାଗର ସୂଚନାନୁସାରେ, ଗୋଟିଏ କପ୍ କଟା ରେଡ୍ କ୍ୟାସ୍ପିକମ୍ ରେ ପ୍ରାୟ ୨୧୧ ପ୍ରତିଶତ ଭିଟାମିନ୍ ସି ଥାଏ। ଯାହା କମଳା ଫଳରୁ ମିଳୁଥିବା ଭିଟାମିନ୍ ସି ର ଦୁଇଗୁଣ। ୨୦୧୭ରେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଭିଟାମିନ୍ ସି ଶରୀରରେ ଥିବା କୋଷଗୁଡ଼ିକୁ ଶକ୍ତିଶାଳୀ କରିଥାଏ ଯାହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଏହା ଶ୍ୱାସକ୍ରିୟା ସଂକ୍ରମଣର ଆଶଙ୍କା ମଧ୍ୟ କମ କରିଥାଏ।

ବ୍ରୋକଲି – ବ୍ରୋକଲିରେ ଭିଟାମିନ୍ ସି ମଧ୍ୟ ଭରପୂର ମାତ୍ରାରେ ରହିଥାଏ। ଅଧା କପ୍ ବ୍ରୋକଲିରେ ୪୩ ପ୍ରତିଶତ ଭିଟାମିନ୍ ସି ଥାଏ। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଅନୁଯାୟୀ, ଆପଣଙ୍କ ଶରୀରକୁ ପ୍ରତିଦିନ ସମାନ ପରିମାଣର ଭିଟାମିନ୍ ସି ଦରକାର ହୋଇଥାଏ। ବ୍ରୋକଲିରେ ଫାଇଟୋକେମିକାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଥାଏ। ଯାହା ଆମ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ କରିଥାଏ।  ଏଥିରେ ଭିଟାମିନ୍ ଇ ମଧ୍ୟ ଥାଏ, ଯାହା ଏକ ଆଣ୍ଟିଅକ୍ସିଡାଣ୍ଟ। ଜୀବାଣୁ ଏବଂ ଭୂତାଣୁ ସହିତ ଲଢିବାରେ ସାହାଯ୍ୟ କରିଥାଏ।

ଚଣା – ଚଣାରେ ବହୁତ ପ୍ରୋଟିନ୍ ରହିଥାଏ। ଏଥିରେ ଆମିନୋ ଏସିଡରେ ନିର୍ମିତ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରର ଟିସୁକୁ ବୃଦ୍ଧି ଏବଂ ଦୃଢ କରିବାରେ ସାହାଯ୍ୟ କରିଥାଏ। ଏକାଡେମୀ ଅଫ୍ ନ୍ୟୁଟ୍ରିସନ୍ ଆଣ୍ଡ ଡାଏଟେଟିକ୍ସ ଅନୁଯାୟୀ ଏହା ଏନଜାଇମକୁ ସଠିକ୍ ଭାବରେ ବଜାୟ ରଖେ ଯାହା ଦ୍ବାରା ଆମ ଶରୀରର ସିଷ୍ଟମ୍ ସଠିକ୍ ଭାବରେ କାର୍ଯ୍ୟ କରିପାରିବ। ଡାଏଟିସିଆନ୍ ଏମିଲି ୱାଣ୍ଡର୍ କହିଛନ୍ତି ଯେ, ଚଣାରେ ଜିଙ୍କ ପ୍ରଚୁର ପରିମାଣରେ ମିଳିଥାଏ ଯାହା ରୋଗ ପ୍ରତିରୋଧକ ପ୍ରଣାଳୀ ଏବଂ ପ୍ରତିକ୍ରିୟାକୁ ନିୟନ୍ତ୍ରିତ କରିଥାଏ।

ଷ୍ଟ୍ରବେରୀ – ଡାଏଟିସିଆନ୍ ଏମିଲି ୱାଣ୍ଡର୍ କହିଛନ୍ତି ଯେ, ଗୋଟିଏ ଦିନର ଭିଟାମିନ୍ ସି ର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧା କପ୍ ଷ୍ଟ୍ରବେରି ଯଥେଷ୍ଟ। କାରଣ ଅଧା କପ୍ ଷ୍ଟ୍ରବେରିରେ ୫୦ ପ୍ରତିଶତ ଭିଟାମିନ୍ ସି ମିଳିଥାଏ। ଏମିଲି କୁହନ୍ତି, ପରିବେଶ ହେତୁ ଆମ କୋଷଗୁଡ଼ିକ ଅନେକ ଉପାୟରେ ନଷ୍ଟ ହୋଇଯାଏ ଏବଂ ଭିଟାମିନ୍ ସି ସେମାନଙ୍କୁ ନଷ୍ଟ ହେବାକୁ ରୋକିଥାଏ।

ରସୁଣ – ଡାକ୍ତର ସେମା ସରିନ୍ କୁହନ୍ତି, ରସୁଣ କେବଳ ଖାଦ୍ୟର ସ୍ୱାଦ ବଢାଏ ନଥାଏ, ଅନେକ ରୋଗରୁ ରକ୍ଷା କରିଥାଏ। ଏହା ରକ୍ତଚାପ ହ୍ରାସ କରିବା ଏବଂ ହୃଦୟ ସମ୍ବନ୍ଧୀୟ ବିପଦ ଭଳି ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ରସୁଣରେ ମିଳୁଥିବା ସଲଫର ଯୌଗିକ କାରଣରୁ ଏହା ସଂକ୍ରମଣ ସହ ଲଢିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ଏହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରାଇଥାଏ। ରସୁଣ ଶରୀରକୁ ଥଣ୍ଡା ଏବଂ କାଶରୁ ମଧ୍ୟ ରକ୍ଷା କରିଥାଏ।

ଛତୁ– ଏମିଲି ୱାଣ୍ଡର କହିଛନ୍ତି ଯେ ଭିଟାମିନ୍ ଡି ର ସର୍ବୋତ୍ତମ ଉତ୍ସ ହେଉଛି ସୂର୍ଯ୍ୟ କିରଣ କିନ୍ତୁ ଏହା ଛତୁ ସମେତ କିଛି ଖାଦ୍ୟ ମାଧ୍ୟମରେ ଶରୀରକୁ ମଧ୍ୟ ମିଳିପାରିବ। ୨୦୧୮ରେ ଭିଟାମିନ୍ ଡି ର ଉତ୍ସ ଭାବେ ଛତୁ ବ୍ୟବହାର ଉପରେ ଏକ ସମୀକ୍ଷା କରାଯାଇଥିଲା। ଏଥିରୁ  ଜଣାପଡିଛି ଯେ, ଛତୁ କ୍ୟାଲସିୟମର ଅବଶୋଷଣକୁ ବୃଦ୍ଧି କରାଇଥାଏ, ଯାହା ହାଡ ପାଇଁ ଉତ୍ତମ ହୋଇଥାଏ।

ପାଳଙ୍ଗା ଶାଗ– ଡାକ୍ତର ସରିନ୍ କୁହନ୍ତି, ‘ପାଳଙ୍ଗ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ। ଯାହା ଆମ କୋଷକୁ ନଷ୍ଟରୁ ରକ୍ଷା କରିଥାଏ। ଏହା ସହିତ ଏଥିରେ ବିଟା କାରୋଟିନ୍ ଥାଏ, ଯାହା ଭିଟାମିନ୍ ଏ ର ମୁଖ୍ୟ ଉତ୍ସ ଅଟେ। ଉପଯୁକ୍ତ ପ୍ରତିରକ୍ଷା କାର୍ଯ୍ୟ ପାଇଁ ଭିଟାମିନ୍ ଏ ଜରୁରୀ ଅଟେ। ବ୍ରୋକୋଲି ପରି ପାଳଙ୍ଗ ଶାଗ କଞ୍ଚା କିମ୍ବା ସାମାନ୍ୟ ରନ୍ଧା ଶରୀର ପାଇଁ ଉତ୍ତମ ବୋଲି ଧରାଯାଏ।

ଦହି – ଦହି ହେଉଛି ପ୍ରୋବୋଟିକ୍ସର ସର୍ବୋତ୍ତମ ଉତ୍ସ। ଡକ୍ଟର ସରିନଙ୍କ ଅନୁଯାୟୀ ଏହା ଏକ ଭଲ ବ୍ୟାକ୍ଟିରିୟା, ଯାହା ରୋଗପ୍ରତିରୋଧକ ପ୍ରଣାଳୀ ଏବଂ ହଜମ ପ୍ରକ୍ରିୟାକୁ ସଠିକ୍ ରଖେ। ସାମ୍ପ୍ରତିକ କେତେକ ଅଧ୍ୟୟନରେ ସାଧାରଣ ଥଣ୍ଡା ଏବଂ ସ୍ୱାଇନ୍ ଫ୍ଲୁ ଭଳି ଶ୍ବାସକ୍ରିୟା ସଂକ୍ରମଣରେ ମୁକାବିଲା କରିବାରେ ପ୍ରୋବୋଟିକ୍ସ ମଧ୍ୟ ପ୍ରଭାବଶାଳୀ ବୋଲି ଜଣାପଡିଛି। ସ୍ବାଦଯୁକ୍ତ ବଦଳରେ ସାଧା ଦହି ଖାଇବାକୁ ଡାକ୍ତର ସରିନ୍ ପରାମର୍ଶ ଦିଆଯାଇଛି।

Comments are closed.