ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇପାରେ ଟ୍ବେଣ୍ଟି-୨୦ ସିରିଜ୍‌

ନୂଆଦିଲ୍ଲୀ  : ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ଦ୍ବିପାକ୍ଷିକ କ୍ରିକେଟ ମ୍ୟାଚ ଖେଳାଯିବ। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ ସୂଚନା ଦେଇଛି। ଦୁଇ ଦେଶ ମଧ୍ୟରେ ଖୁବଶୀଘ୍ର ସିରିଜ୍‌ ଆରମ୍ଭ ହେବ। ଏ ସମ୍ପର୍କରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ଶେଷ ଥର ପାଇଁ ଉଭୟ ଦେଶ ମଧ୍ୟରେ କ୍ରିକେଟ ସିରିଜ୍‌ ୨୦୧୨-୧୩ରେ ହୋଇଥିଲା। ଦୁଇ ଦେଶ ମଧ୍ୟରେ ପୁଣି କ୍ରିକେଟ ସିରିଜ୍‌ ଆରମ୍ଭ କରିବା ନେଇ କିଛି ଦିନ ତଳେ ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଜାକା ଅଶରଫ ପ୍ରସ୍ତାବ ଦେଇଥିଲେ। ଯଦି ଭାରତ ଓ ପାକିସ୍ତାନ ନିଜ ଦେଶ ମଧ୍ୟରେ କ୍ରିକେଟ ଖେଳି ନପାରୁଛନ୍ତି ତେବେ ୟୁଏଇ, ଶ୍ରୀଲଙ୍କା, ଦକ୍ଷିଣଆଫ୍ରିକା ଅବା ଅନ୍ୟ ଦେଶରେ କ୍ରିକେଟ ମ୍ୟାଚ ଆୟୋଜନ କରାଯାଇପାରିବ ବୋଲି ସେ ପ୍ରସ୍ତାବ ଦେଇଥିଲେ। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ବୃଦ୍ଧି ପାଇବ ବୋଲି ସେ କହିଥିଲେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପରିବର୍ତ୍ତିତ ନିୟମ ଅନୁଯାୟୀ ସଦସ୍ୟ ଦେଶ ନିଜ ଇଚ୍ଛା ଅନୁଯାୟୀ ଅନ୍ୟ ଦେଶ ସହିତ କ୍ରିକେଟ ମ୍ୟାଚ ଖେଳିପାରିବ। ତେବେ ଆଗକୁ ହେବାକୁ ଥିବା ଆଇସିସି ବୈଠକରେ ଦୁଇ ଦେଶ ମଧ୍ୟରେ କ୍ରିକେଟ ସିରିଜ୍‌ ନେଇ ଚୂୂଡାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ପିସିବି ପକ୍ଷରୁ କୁହାଯାଇଛି। କୋହଲିଙ୍କ ନେତୃତ୍ବାଧୀନ ଭାରତ ନିକଟରେ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ସିରିଜ୍‌ ବିଜୟୀ ହୋଇଥିଲା। ଅକ୍ଟୋବର-ନଭେମ୍ବରରେ ଟ୍ବେଣ୍ଟି-୨୦ ବିଶ୍ବକପ ରହିଥିବାରୁ ଭାରତ ଏକାଧିକ ଟ୍ବେଣ୍ଟି-୨୦ ମ୍ୟାଚ ଖେଳିବ। ଭାରତରେ ଆଇପିଏଲ ଏପ୍ରିଲ ୯ରୁ ମେ ୩୦ ପର୍ଯ୍ୟନ୍ତ ଖେଳାଯିବ। ଆଇପିଏଲ ପରେ ଜୁନ୍ ୧୮ରୁ ସାଉଥମ୍ପଟନରେ ଭାରତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ନ୍ୟୁଜିଲାଣ୍ଡ ସହିତ ଖେଳିବ। ଜୁଲାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ସିରିଜ୍‌ ଖେଳାଯାଇପାରେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ୨୦୧୯ ଫେବୃଆରୀରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ​ରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

Comments are closed.