ଦେଶର ଅଖଣ୍ଡତା ସହ ସାଲିସ୍‍ ନାହିଁ : ଲେପ୍ଟନାଣ୍ଟ ଜେନେରାଲ ୱାଇକେ ଜୋଷୀ

ନୂଆଦିଲ୍ଲୀ : ବାସ୍ତବ ନିୟନ୍ତ୍ରଣ ରେଖାର ଲଦାଖରେ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି। ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି ଚୀନ ସହିତ କଥାବାର୍ତ୍ତା ଜାରି ରହିଛି। ତେବେ ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି ଭାରତ ଏହାର ଅଖଣ୍ଡତା ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ ବୋଲି ନଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେପ୍ଟନାଣ୍ଟ ଜେନେରାଲ ୱାଇକେ ଜୋଷୀ କହିଛନ୍ତି। ଏକ ସାକ୍ଷାତକାରରେ ଜୋଷୀ କହିଛନ୍ତି ଯେ ଲଦାଖରେ ଏବେ ଅପେକ୍ଷାର ଖେଳ ଚାଲିଛି। ଚୀନର ପ୍ରତିଟି ଗତିବିଧିକୁ ଅନୁଧ୍ୟାନ କରାଯାଉଛି। ଦୀର୍ଘ ୧୨ ସପ୍ତାହ ହେଲା ସୀମାରେ ଯେଉଁ ଉତ୍ତେଜନା ଲାଗି ରହିଛି ତାକୁ ମୁକାବିଲା କରିବା ଲାଗି ଭାରତ ସେନା ମଧ୍ୟ ନିଜର ପ୍ରସ୍ତୁତି ଚଳାଇଛି। ପ୍ରତିଦିନ ଟ୍ରକ ଯୋଗେ ସୀମାକୁ ରେସନ, ଗରମ ପୋଷାକ, କିରାସିନି, ଔଷଧ ଓ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପଠାଯାଉଛି। ଆଗାମୀ ଶୀତ ଋତୁରେ ଲଦାଖ ସୀମାରେ ୪୦ହଜାର ସୈନ୍ୟଙ୍କ ରହିବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯାଉଛି। କାରଣ ଏହି ସମୟରେ ଲଦାଖର ତାପମାତ୍ରା ବିଯୁକ୍ତ ୨୦ଡିଗ୍ରୀକୁ ଖସିଆସିବ। ଲଦାଖର ପୂର୍ବ ସ୍ଥିତାବସ୍ଥା ଫେରିବା ପର୍ଯ୍ୟନ୍ତ ଭାରତ ନିଜର ପ୍ରସ୍ତୁତିକୁ ଜାରି ରଖିବ। ଲେପ୍ଟନାଣ୍ଟ ଜେନେରାଲ ଜୋଷୀ କହିଛନ୍ତି ଯେ କଥାବାର୍ତ୍ତା ଓ ଆଲୋଚନାରେ ତାଙ୍କର ବିଶ୍ୱାସ ରହିଛି। ଉଭୟ ପକ୍ଷ ନିର୍ଦ୍ଧାରିତ ପ୍ରକ୍ରିୟା ଆଧାରରେ ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିବେ।

ଲେପ୍ଟନାଣ୍ଟ ଜେନେରାଲ ଜୋଷୀ କହିଛନ୍ତି ଯେ କଥାବାର୍ତ୍ତା ଅନୁଯାୟୀ ଗଲୱାନ ଉପତ୍ୟକା ଓ ହଟସ୍ପ୍ରିଙ୍ଗରୁ ଉଭୟ ଦେଶର ସୈନ୍ୟ ପଛକୁ ହଟିଛନ୍ତି; ମାତ୍ର ପାଙ୍ଗଅଙ୍ଗ ସୋ ଓ ପିପି୧୭ ଗୋଗ୍ରା ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ବହୁତ୍‍ କମ୍‍ ରହିଛି। ଘଟଣାର ବାସ୍ତବତା ସମ୍ପର୍କରେ ପ୍ରଶ୍ନ କରାଯାଇଥିବାବେଳେ ସେ କହିଛନ୍ତି ଯେ ପ୍ରତ୍ୟେକ ପ୍ରକ୍ରିୟାର ଏକ ଧାରା ରହିଥାଏ। ଆମର ସାମରିକ କଥାବାର୍ତ୍ତା ଅନୁଯାୟୀ ସୀମାର ଉତ୍ତେଜନା ପରିସ୍ଥିତିକୁ ହ୍ରାସ କରିବା ଚାଲୁ ରହିଥିବା ପ୍ରକ୍ରିୟା ଏକ ଧାରାରେ ଚାଲିଛି। ତେବେ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ବଜାୟ ରଖି ସୀମାରେ ଶାନ୍ତି ଓ ସ୍ଥିରତା ଫେରାଇ ଆଣିବା ଜରୁରୀ ଆବଶ୍ୟକ। ଦେଶବାସୀ ସୈନ୍ୟ ବାହିନୀ ଉପରେ ଯେଉଁ ଆଶା ଓ ବିଶ୍ୱାସ ରଖିଛନ୍ତି ତାକୁ ସର୍ବଦା ବଜାୟ ରଖିବା ଦିଗରେ ସେନା କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

Comments are closed.