ଅଗଷ୍ଟ ୫ସୁଦ୍ଧା ରାଜ୍ୟରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର : ମୌସୁମି ଦୁର୍ବଳ ହୋଇପଡ଼ିବା କାରଣରୁ ରାଜ୍ୟରେ ବର୍ଷା ପ୍ରାୟ ଛାଡ଼ିଯାଇଛି। ପାଗ ଶୁଖିଲା ରହିବା ସହିତ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ପ୍ରାୟ ଦୁଇ ସପ୍ତାହ ଧରି ଏଭଳି ସ୍ଥିତି ଚାଷ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ମୌସୁମି ସ୍ବାଭାବିକ ହେବ ଏବଂ ବର୍ଷା ଫଳରେ ଚାଷୀ ଭଲ ଫସଲ ଅମଳ କରିବା ନେଇ ଆଶା ବାନ୍ଧି ବସିଥିଲା। ମୌସୁମି ଦୁର୍ବଳ ହେବାରୁ ବର୍ଷା ଛାଡ଼ିଯିବାରୁ ବେଉଷଣ ବାଧାପ୍ରାପ୍ତ ହେବା ସହିତ ଚାଷୀ ମହଲରେ ବିଷାଦ ଦେଖାଦେଇଛି। ତେବେ ପାଣିପାଗ ବି​‌ଶେଷଜ୍ଞଙ୍କ ଆକଳନ ଯଦି ସତ ହୁଏ ତେବେ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାଦ୍ବାରା ଫସଲ ବେଉଷଣରେ ଯେଉଁ ପ୍ରତିବନ୍ଧକ ସୃଷ୍ଟି ହୋଇଛି ତାହା ଦୂର ହେବାର ଆଶା ରହିଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁସାରେ ଆସନ୍ତା ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।

ଏବେ ପାଣିପାଗ ବିଗିଡ଼ିଯିବା ସହିତ କାଁ ଭାଁ ବର୍ଷା ହେଉଛି। ଗତ ୨୪ଘଣ୍ଟାରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ ସବୁଠି ପାଖ ଖରାଟିଆ ରହିଛି। ଅଗଷ୍ଟ ୫ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବଡ଼ ଧରଣର ବର୍ଷାର ଲକ୍ଷଣ ଦିଶୁନାହିଁ। ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ସମ୍ପୂର୍ଣ୍ଣ ନିଷ୍କ୍ରିୟ ରହିଛି। ଅଗଷ୍ଟ ପରେ ସ୍ଥିତି ବଦଳିଯାଇପାରେ ବୋଲି ଆକଳନ କରାଯାଇଛି।

ପାଣିପାଗ ବି​‌ଶେଷଜ୍ଞଙ୍କ ଆକଳନ ଅନୁସାରେ ଆସନ୍ତା ୨୮​‌ରେ ଦକ୍ଷିଣ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତାହା ଉତ୍ତର ପଶ୍ଚିମରେ ଗତି କରିବ। ୧ରେ ଓଡ଼ିଶା ଉପକୂଳରେ ରହିବ, ବିଶେଷ ସକ୍ରିୟ ହେବ ନାହିଁ। କେବଳ ଉପକୂଳରେ ଜୁଲାଇ ୩୧ରୁ ଅଗଷ୍ଟ ୨ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ହୋଇପାରେ। ସେପଟେ ଜୁଲାଇ ୨୮ରେ ଝାଡ଼ଖଣ୍ଡରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ୨୮ରୁ ୩୦ ପର୍ଯ୍ୟନ୍ତ ବର୍ଷା ହେବ। ଅଗଷ୍ଟ ୨ରେ ଛତିଶଗଡ଼ରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ବଲାଙ୍ଗୀର ସଂଲଗ୍ନ ଅଞ୍ଚଳ ଏବଂ ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ତେବେ ଅଗଷ୍ଟ ୫ରେ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହିତ ୬ରେ ଲଘୁଚାପ ସକ୍ରିୟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ। ଲଘୁଚାପକୁ ଘୂର୍ଣ୍ଣିବଳୟ ସକ୍ରିୟ କରାଇବ। ଫଳରେ ଅଧିକ ବର୍ଷା ହୋଇପାରେ। ତେବେ ଅଗଷ୍ଟ ପହିଲାରୁ ଲଘୁଚାପ ସମ୍ପର୍କରେ ସଠିକ ସୂଚନା ମିଳିବ। ଏବେ ରାଜ୍ୟର ତାପମାତ୍ରା ବଢ଼ିଛି। ଏଥିସହିତ ବାଷ୍ପୀକରଣ ମାତ୍ରା ବଢ଼ିଛି। ହେଲେ ବାୟୁମଣ୍ଡଳରେ ଆର୍ଦ୍ରତା ଥିବାରୁ ତାପମାତ୍ରା ଅଧିକ ଅନୁଭୂତ ହେଉଛି। ଏ ସମୟରେ ଧାନ ତଳି ଅନ୍ୟାନ୍ୟ ଫସଲ ପ୍ରଭାବିତ ହେଉଛି। ତେଣୁ ଚାଷୀମାନେ ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଧାନ ତଳି ବଞ୍ଚାଇ ରଖିଲେ ଲଘୁଚାପ ବର୍ଷା ପରେ ପରିସ୍ଥିତି ସୁଧୁରିବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତଥ୍ୟ ଅନୁସାରେ ଆସନ୍ତା ୨୭ ଓ ୨୮ରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ତେବେ ବର୍ଷାର ପ୍ରଭାବ କିଛି ଜିଲା ଭିତରେ ସୀମିତ ରହିବ।

Comments are closed.