ବିନା ପ୍ରଧାନଶିକ୍ଷକରେ ରାଜ୍ୟରେ ଚାଲିଛି ୧୦୦୩ ହାଇସ୍କୁଲ

ଭୁବନେଶ୍ବର : ରାଜ୍ୟର ସମସ୍ତ ଅଞ୍ଚଳରେ ସ୍କୁଲ ଅଛି ହେଲେ ସବୁ ସ୍କୁଲରେ ପ୍ରଧାନଶିକ୍ଷକ ନାହାନ୍ତି। ରାଜ୍ୟରେ ବିନା ପ୍ରଧାନ ଶିକ୍ଷକରେ ୧୦୦୩ଟି ସରକାରୀ ସ୍କୁଲ ଚାଲିଛି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।ଅନ୍ୟପକ୍ଷରେ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ ସ୍କୁଲରେ ୨୮୦ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡ଼ିଥିବା ନେଇ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ ରାଜ୍ୟରେ ୧୦୦୩ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ସେଥିରୁ ୯୩୯ ସିନିଅର ଏସ୍‌ଇଏସ୍‌ ପ୍ରଧାନ ଶିକ୍ଷକ ପଦବୀ ଖାଲି ରହିଛି । ବାଲେଶ୍ବରରେ ସର୍ବାଧିକ ୧୨୩ ସ୍କୁଲରେ ପ୍ରଧାନଶିକ୍ଷକ ପଦବୀ ଖାଲି ପଡିଛି । ସେହିପରି କେନ୍ଦ୍ରାପଡାରେ ୯୯, ଭଦ୍ରକରେ ୮୧, କଟକରେ ୬୩, ଯାଜପୁରରେ ୭୩, କେନ୍ଦୁଝରରେ ୭୨ ସ୍କୁଲରେ ଖାଲି ପଡିଛି ପଦବୀ । ସେହିପରି ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୨୮୦ ପ୍ରଧାନଶିକ୍ଷକ ପଦବୀ ଖାଲି ରହିଛି ।

Comments are closed.