ପ୍ରାଚୀନ କଳା ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିରରୁ ୪ ମୂର୍ତ୍ତି ଚୋରି

ପିପିଲି:ପିପିଲି ଥାନା ଅନ୍ତର୍ଗତ କାକୁଡିଆ ଗ୍ରାମ ସ୍ଥିତ ପ୍ରାଚୀନ କଳା ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଶ୍ରୀଗୋପୀନାଥ ଦେବଙ୍କ ମନ୍ଦିର ମଧ୍ୟରୁ ୪ଟି ପ୍ରାଚୀନ ମୂର୍ତ୍ତି ଚୋରି ହୋଇଥିବା ନେଇ ପିପିଲି ପୁଲିସରେ ଅଭିଯୋଗ ହୋଇଛି। ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଏହି ମୂର୍ତ୍ତି ଗୁଡିକୁ ଚୋରି କରି ନେଇଥିବା ବେଳେ ପିପିଲି ପୁଲିସ ଘଟଣାର ତଦନ୍ତ ଚଳାଇଛି। ତେବେ, ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ଚୋରି ହୋଇଥିବା ମୂର୍ତ୍ତି କିମ୍ବା ଚୋରଙ୍କ ସଂପର୍କରେ ପୁଲିସକୁ କୌଣସି ସୁରାକ ମିଳି ପାରିନଥିବା ଜଣାପଡ଼ିଛି।


ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ମନ୍ଦିର ଗ୍ରୀଲର ତାଲାକୁ ଭାଙ୍ଗି ମନ୍ଦିର ମଧ୍ୟରେ ପ୍ରବେଶ କରିବା ସହ ମନ୍ଦିରରେ ପୂଜା ପାଉଥିବା ଚଳନ୍ତି ପ୍ରତିମା ରାଧା, କୃଷ୍ଣ, ମହାଲକ୍ଷ୍ମୀ ଓ ନାରାୟଣଙ୍କ ମୂର୍ତ୍ତିକୁ ଚୋରାଇ ନେଇଥିବା ସୂଚନା ମିଳିଛି। ଆଜି ସକାଳୁ ମନ୍ଦିର ଖୋଲାଯିବା ସମୟରେ ମୂର୍ତ୍ତି ଚୋରି ହୋଇଥିବା ସଂପର୍କରେ ଜଣାପଡିଥିଲା। ଖବର ପାଇ ପିପିଲି ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ଏଏସ୍‍ଆଇ ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ପୁରୀ ସାଇଣ୍ଟିଫିକ୍‍ ଟିମ୍‍ ସହ ଘଟଣାସ୍ଥଳରେ ପହଞ୍ôଚ ଦୀର୍ଘ ସମୟ ଧରି ତଦନ୍ତ ଚଳାଇଥିଲେ। ମୂର୍ତ୍ତି ଥିବା ଦୁଇ ପିତ୍ତଳ ଖଟୁଲିରୁ ଆଙ୍ଗୁଳି ଓ ପାଦର ଛାପକୁ ସାଇଣ୍ଟିଫିକ୍‍ ଟିମ୍‍ ସଂଗ୍ରହ କରିଥିଲେ। ଏ ସଂପର୍କରେ ମନ୍ଦିରର ମୁଖ୍ୟପୂଜକ ଜନାର୍ଦ୍ଦନ ଦିକ୍ଷିତଙ୍କ ଲିଖିତ ଅଭିଯୋଗକୁ ଭିତ୍ତି କରି ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଛି। ପ୍ରାଚୀନ କଳା, ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁରାତନ ମନ୍ଦିରକୁ ଗଙ୍ଗ ବଂଶୀୟ ଦ୍ୱିତୀୟ ନରସିଂହ ଦେବଙ୍କ ରାଜତ୍ୱ କାଳରେ ନିର୍ମାଣ କରାଯାଇଥିଲା। ପୁରାଣ ପ୍ରସିଦ୍ଧ ଏହି ମନ୍ଦିରରୁ ମୂର୍ତ୍ତି ଚୋରି ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଅପରାଧିଙ୍କୁ ଗିରଫ କରି ଚୋରି ମୂର୍ତ୍ତିକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି। ତେବେ ଏହି ଘଟଣାରେ ଏକ ମୂର୍ତ୍ତି ଚୋର ରାକେଟ୍‍ ଓ ଅଞ୍ଚଳର କେତେକ ନିଶାଖୋର ଯୁବକ ସଂପୃକ୍ତ ଥିବା ନେଇ ସାଧାରଣରେ ସନ୍ଦେହ କରାଯାଉଛି।

Comments
Loading...