ଶାନ୍ତିପଡାରେ ଘରେ ପଶି କଳାକନା ବୁଲାଇଲେ ଚୋର, ଅସୁରକ୍ଷିତ ମଣୁଛନ୍ତି ସହରବାସୀ

ବଲାଙ୍ଗିର: ଅସୁରକ୍ଷିତ ବଲାଙ୍ଗିର ସହର। କିଛି ଦିନ ଭିତରେ ସହର ଭିତରେ ଏକାଧିକ ଚୋର. ଲୁଟ ଘଟଣା ସାମ୍ନାକୁ ଆସିଛି । ଘର କିମ୍ବା କ୍ୱାର୍ଟରରେ ତାଲା ପକାଇ ବାହାରକୁ ଗଲେ ଆସିବା ବେଳକୁ ତାହା ସୁରକ୍ଷିତ ଥିବ ନା ନାହିଁ ତାହା କହିବା ମୁସ୍କିଲ । ଶୁକ୍ରବାର ରାତ୍ରୀରେ ଶାନ୍ତିପଡାରେ ରହୁଥିବା ଜୟନ୍ତ ଦାସଙ୍କ ଘରେ ଚୋର କଳାକନା ବୁଲାଇଥିବା ଥାନାରେ ଅଭିଯୋଗ ହୋଇଛି । ପାଖ ଘରେ ଶୋଇଥିବା ବେଳେ ରାତ୍ରୀରେ ଚୋର ପଶି ଟଙ୍କା ଓ ସୁନାଗହଣ ଚୋରୀ କରିଥିବା ନେଇ ଲିଖିତ ଅଭିଯୋଗ କରିଛନ୍ତି ଶ୍ରୀ ଦାସ।
ସୂଚନା ଅନୁସାରେ ଶାନ୍ତିପଡାରେ ରହୁଥିବା ଜୟନ୍ତ ଦାସ ଶୁକ୍ରବାର ରାତ୍ରୀରେ ଅନ୍ୟତ୍ର ସେ ଶୋଇଥିଲେ। ଏହାର ସୁଯୋଗ ନେଇ ଚୋରମାନେ ଘର ଭିତରେ ପ୍ରବେଶ କରି କଳାକନା ବୁଲାଇଛନ୍ତି। ସକାଳୁ ସେ ଘରକୁ ଯିବା ପରେ ଆଲମାରୀ ଫଡା ହୋଇପଡିଥିବା, କପଡା ସବୁ ଇତଃସ୍ତତଃ ହୋଇପଡିଥିବା ଦେଖିବାକୁ ପାଇଥିଲେ । ଚୋରମାନେ ସେ ରଖିଥିବା ୪୦ହଜାର ନଗଦ ଟଙ୍କା ଓ ପାଖାପାଖି ୧୫ ଭରି ସୁନା ଚୋରୀ ହୋଇଥିବା ସେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ଟାଉନ ପୁଲିସ ଅଭିଯୋଗକାରୀଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଟାଉନ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ତେବେ ସହର ଭିତରେ ଦିନକୁଦିନ ଚୋରୀ ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି। ସହରରେ କରୋନାରେ ସଂକ୍ରମିତ ହୋଇ ଲୋକ ମାନେ ଘରେ ତାଲା ପକାଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ବେଳେ ଏହାର ସୁଯୋଗ ନେଇ ଚୋର ମାନେ ହାତସଫା କରୁଥିବା ଅଭିଯୋଗ ହୋଇଛି । ଗତ କିଛି ମାସ ତଲେ ଲକଡାଉନ ପାଇଁ ଗାଁ କୁ ଯାଇଥିବା ଜଣଙ୍କ ଘରେ ଚୋର ସବୁକିଛି ସଫା କରିଦେଇଥିବା ଅଭିଯୋଗ ହୋଇଥିଲା । କିଛି ଦିନ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣେ ଔଷଧ ବ୍ୟବସାୟୀ ଚିକିତ୍ସିତ ହେଉଥିବା ସମୟରେ ତାଙ୍କ ଘରୁ ଚୋରୀ ହୋଇଥିବା ଜଣାପଡିଥିଲା । ଏମିତିରେ ଛୋଟମାଟେ ଅନେକ ଚୋରୀ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏନେଇ ପୁଲିସ ପକ୍ଷରୁ କୈାଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଏମିତିରେ ଲୋକେ ଚୋରମାନଙ୍କ ଉତ୍ପାତ କୁ ନେଇ ଅସୁରକ୍ଷିତ ମନେ କରୁଥିବା ବେଳେ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସହରବାସୀ ଦାବି କରିଛନ୍ତି।

Comments are closed.