ପୁରୁଣାକଟକରେ ଶିକ୍ଷକଙ୍କ ଘରୁ ଚୋରି ; ତାଲା ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା

ସନ୍ଧାନୀ କୁକୁର ଦ୍ୱାରା ଛାନଭିନ ପରେ ସନ୍ଦେହରେ ୪ ଜଣଙ୍କୁ ପଚରାଉଚରା

ହରଭଙ୍ଗା ; ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମାରୁତି କୋଲୋନୀର ଜନୈକ ଶିକ୍ଷକ ନିର୍ମଳ ରଣାଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା, ରୂପା ସହିତ ନଗଦ ୧୨ହଜାର ଟଙ୍କା, ଗୋଟିଏ ଡିଜିଟାଲ କ୍ୟାମେରା ଚୋରି ହୋଇଥିବା ଜଣାପଡିଛି। ଏ ନେଇ ଶିକ୍ଷକଙ୍କ ପକ୍ଷରୁ ଶନିବାର ପୁରୁଣା କଟକ ଥାନାରେ ଲିଖିତ ଅଭିଯୋଗ ପରେ ରବିବାର ସକାଳେ ଘଟଣାସ୍ଥଳରେ ପୁରୁଣାକଟକ ପୁଲିସ ସହିତ ସନ୍ଧାନୀ କୁକୁର ,ସାଇଣ୍ଟିଫିକ ଟିମ୍, ଫିଙ୍ଗର ପ୍ରିଂଟ ଏକ୍ସପର୍ଟ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଗତ ୨୦ତାରିଖରୁ ନିଜ ଶଳାଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଶିକ୍ଷକ ନିର୍ମଳ ରଣା ସପରିବାର ସହ ନୟାଗଡ ଜିଲ୍ଲା ଓଡଗାଁକୁ ଯାଇଥିଲେ। ଘରର ଲାଇଟ ଲଗାଇବାକୁ ପୋଡଶୀ ଘରକୁ ଦାୟିତ୍ୱ ଦେଇଥିଲେ। ପୋଡଶୀ ଘର ଲାଇଟ ଲଗାଇବାକୁ ଗଲାବେଳେ ଘରର ମୁଖ୍ୟ ଗେଟ ତାଲା ଭାଙ୍ଗି ଆସବାବପତ୍ର ପଡିଥିବା ସର୍ମ୍ପକରେ ଶ୍ରୀ ରଣାଙ୍କୁ ସୂଚନା ଦେଇଥିଲେ। ଖବରପାଇ ଶ୍ରୀରଣା ନୟାଗଡରୁ ଫେରି ପୁରୁଣାକଟକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପୁୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶିକ୍ଷକଙ୍କ ଘରୁ ୧୭ଗ୍ରାମ ସୁନା ,୧୦ଗ୍ରାମ ରୂପା ଅଳଙ୍କାର ସହିତ ନଗଦ ୧୨ ହଜାର ଟଙ୍କା ଏବଂ ଗୋଟିଏ ଡିଜିଟାଲ କ୍ୟାମେରା ଚୋରି ହୋଇଥିବା ଜଣାପଡିଛି। ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ପରେ ପୁଲିସ ସନ୍ଦେହରେ କୋଲୋନୀ ସାହିର ୪ଜଣଙ୍କୁ ଥାନାକୁ ଆଣି ପଚରାଉଚରା ଜାରିରଖିଛି।

ପୁରୁଣାକଟକ ଥାନା ଅଂଚଳରେ ସମାନ ଢଙ୍ଗରେ ଏଭଳି ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଚୋରି, ଅପରାଧ ବୃଦ୍ଧି ଘଟୁଥିବା ସାଧାରଣରେ ମତପ୍ରକାଶ ପାଉଛି । ସୂଚନା ଥାଉ କି ଗତ ମାର୍ଚ୍ଚ ୮ତାରିଖ ମଧ୍ୟ ଏହି ମାରୁତିକୋଲନୀର ବ୍ୟବସାୟୀ ସନ୍ତୋଷ ସାହୁଙ୍କ ଘର ଲୁହାଗ୍ରୀଲ ଭାଙ୍ଗି ଦୁର୍ବୃତମାନେ ସୁନା ଗହଣା ସହିତ ୨୦ହଜାର ନଗଦ ଟଙ୍କା ଚୋରି କରି ନେଇଥିଲେ। ଗତ ୧୨ ଅକ୍ଟୋବରରେ ଚାରିଛକ ଏସବିଆଇ କୋଲୋନୀର ଶିକ୍ଷକ ଦାମୋଦର ରାଉତଙ୍କ ଘରୁ ସୁନା ଅଳଙ୍କାର ସହିତ ଟଙ୍କା ଚୋରି ଘଟିଥିଲା। ଏହା ପୂର୍ବରୁ ଗତ ଦୁଇ ବର୍ଷତଳେ ଚାରିଛକ ଏସବିଆଇ କୋଲୋନୀର ରମେଶ ସାହୁଙ୍କ ଘରୁ ଟଙ୍କା ସହିତ ସୁନା ଅଳଙ୍କାର ମଧ୍ୟ ଚୋରି ଘଟିଥିଲା। ସେହିପରି ଗତଜାନୁୟାରୀ ୨୦୧୯ରେ ପୁରୁଣାକଟକସ୍ଥିତ ଭୈରବୀ ମନ୍ଦିରରୁ ରୂପା ଅଲଙ୍କାର ଚୋରି ଘଟିଥିଲା। ପୁଣି ଗତ ଫେବୃୟାରୀ୨୦୨୦ରେ ପୁରୁଣାକଟକସ୍ଥିତ ଭାରତ ଫାଇନାନ୍ସ କମ୍ପାନୀରୁ ଦିନ ଦ୍ୱିପହରରେ ଲକ୍ଷାଧିକ ଟଙ୍କା ଶସସ୍ତ୍ର ଡକାୟତି ଭଳି ଘଟଣା ଘଟିଥିଲା । ଏଭଳି ଚୋରି ଘଟଣା ବୃଦ୍ଧି ପାଉଥିଲେ ମଧ୍ୟ ଚିରାଚରିତ ଢଙ୍ଗରେ କେବଳ ସାଇନଟିଫିକ ଟିମ ଡଗ ସ୍କ୍ୱାର୍ଡ ଆଣି ପୁଲିସ ନିଜର ଦାୟିତ୍ୱ ଶେଷ କରୁଛି। ଏ ପର୍ଯ୍ୟନ୍ତ ୧୦ରୁ ଅଧିକ ଚୋରି, ଡକାୟତି ମାମଲାରେ ପୁଲିସ କୌଣସି ଅପରାଧିଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। ଫଳରେ ଦିନକୁ ଦିନ ସାଧାରଣ ଜନତା ପୁଲିସ ଉପରୁ ଆସ୍ଥା ହରାଉଥିବାରୁ ଆଉ ଥାନା ଦ୍ୱାର ମାଡିବାକୁ ମଧ୍ୟ ଅମଙ୍ଗ ହେଉଛନ୍ତି। ଏଥିପ୍ରତି ବୌଦ୍ଧ ଏସପି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କଠୋର ପଦକ୍ଷେପ ସହ ନାଇଟ ପେଟ୍ରୋଲିଂ କଡାକଡି କରିବାକୁ ସାଧାରଣରେ ଦାବୀ ଉଠୁଛି।

Comments are closed.