ରାତି କର୍ଫ୍ୟୁ ସୁଯୋଗରେ ଗ୍ରୀଲ୍ ତାଡ଼ି ଚୋର ଲୁଟିନେଲେ ମୋଟର ସାଇକେଲ

ଭୁବନେଶ୍ବର: କରୋନା ନିମନ୍ତେ ସରକାର ଜାରି କରିଛନ୍ତି ରାତି କର୍ଫ୍ୟୁ । ରାତି ୭ରୁ ସକାଳ ୭ ଯାଏ ଘରୁ ବାହାରିବା ମନା । ହେଲେ ଚୋରଙ୍କ ପାଇଁ ଏହି କର୍ଫ୍ୟୁ ବରଦାନ ହୋଇଛି । ଖଣ୍ଡଗିରି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ପାଚେରୀ ଡ଼େଇଁ ଗ୍ରୀଲ୍ ଭାଙ୍ଗି ଲୁଟି ନେଇଛନ୍ତି ମୋଟର ସାଇକେଲ । ସିସିଟିଭି କ୍ୟାମେରା ଫୁଟେଜ୍ ଆଧାର କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ମାତ୍ର ଚୋରଙ୍କ ପତ୍ତା ମିଳିନାହିଁ ।

ସୂଚନା ଅନୁସାରେ ଖଂଡ଼ଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା ଏମ୍‌ଆଇଜି କଲୋନୀ ପ୍ଲଟ୍‌ ନଂ-୮୭ରେ ଜଣେ ବ୍ୟାଙ୍କ ଅଧିକାରୀ ଗୋବିନ୍ଦ ପ୍ରଧାନ ରହୁଛନ୍ତି । ଗତକାଲି ଶ୍ରୀ ପ୍ରଧାନଙ୍କ ପରିବାରର ଲୋକମାନେ ଶୋଇବା ପରେ ଜଣେ ବ୍ୟକ୍ତି ତାଙ୍କ ପାଚେରୀ ଡ଼େଇଁ ଘର ଅଗଣାରେ ପଶିଥିଲା ଓ ଅଗଣାରେ ଥିବା ଏକ ବାଇକ ଚୋରି କରି ପଳାଇଥିଲା । ଏହି ଘଟଣା ପୁରା ସିସିଟିଭିରେ ରେକର୍ଡ଼ ହୋଇଛି । ବାଇକଟି ଶ୍ରୀ ପ୍ରଧାନଙ୍କ ଘରେ ରହୁଥିବା ଜଣେ ଭଡ଼ାଟିଆଙ୍କର ।  ସେହିପରି ଦୁଇଦିନ ତଳେ କ୍ୟାପିଟାଲ ଥାନା ଅନ୍ତର୍ଗତ ସୂର୍ଯ୍ୟନଗର ଅଞ୍ଚଳରୁ ସକାଳେ କିଛି ଦୁବୃର୍ତ୍ତ ମାରଣାସ୍ତ୍ର ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ବାଇକ୍, ମୋବାଇଲ ଓ ନଗଦ ୧୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା ।

Comments are closed.