ମଇଁଷି ଚୋରି ଅଭିଯୋଗରେ ଯୁବକଙ୍କୁ ପିଟି ପିଟି ହତ୍ୟା

0

ଲକ୍ଷ୍ନୌ : ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ସତ୍ତ୍ବେ ଦେଶରେ ପୁନର୍ବାର ଗୋଷ୍ଠୀବଦ୍ଧ ଆକ୍ରମଣ ପୂର୍ବକ ପିଟିପିଟି ହତ୍ୟା ଘଟଣା ଘଟିଛି। ଉତ୍ତରପ୍ରଦେଶର ବରେଲିଠାରେ ୨୨ ବର୍ଷ ବୟସ୍କ ଜଣେ ଯୁବକଙ୍କୁ ମଇଁଷି ଚୋର ସନ୍ଦେହରେ କିଛି ଲୋକ ସମୁହ ଆକ୍ରମଣ ପୂର୍ବକ ନିସ୍ତୁକ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକଙ୍କ ନାମ ଶାହରୁଖ ଖାନ୍‍ ଏବଂ ସେ ଦୁବାଇରୁ ବରେଲି ଜିଲା ଅନ୍ତର୍ଗତ ଭୋଲାପୁର ହିନ୍ଦୋଲିଆ ଗ୍ରାମକୁ ଆସିଥିଲେ। ପୁଲିସ ଏହି ଘଟଣାରେ ୨ ଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମଙ୍ଗଳବାର ରାତିରେ ହିନ୍ଦୋଲିଆ ଗ୍ରାମର କିଛି ଲୋକ ଶାହରୁଖ ଏବଂ ତାଙ୍କର ଅନ୍ୟ ତିନି ଜଣ ବନ୍ଧୁ ମଇଁଷି ଚୋରି ଉଦ୍ୟମ କରୁଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନା ନେଇଥିଲା। ମାତ୍ର ସେଠାରେ ଶାହରୁଖଙ୍କ ମୃତ୍ୟୁ ଘଟିଥିଲା ବୋଲି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ ଅଭିନନ୍ଦନ ବୁଧବାର ପ୍ରକାଶ କରିଛନ୍ତି। ଯକୃତ ଏବଂ ବୃକକ୍‍ରେ ଆଭ୍ୟନ୍ତରିଣ କ୍ଷତ କାରଣରୁ ଶାହରୁଖଙ୍କର ମୃତ୍ୟୁ ଘଟିଥିବା ତାଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି। ଶାହରୁଖ ମାତ୍ରାଧିକ ନିଶା ସେବନ କରିଥିବା ପ୍ରଥମେ କୁହାଯାଉଥିଲା। ମାତ୍ର ତାହା ମିଥ୍ୟା ବୋଲି ଅଭିନନ୍ଦନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ମଙ୍ଗଳବାର ରାତି ୨ଟା ୩୦ରେ ଶାହରୁଖଙ୍କ ସମେତ ୪ ଜଣ ଯୁବକ ଉକ୍ତ ଗ୍ରାମକୁ ମଇଁଷି ଚୋରି କରିବାକୁ ଯାଇଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଧରିପକାଇଥିଲେ। ୩ ଜଣ ଯୁବକ ନିକଟସ୍ଥ ପୋଖରୀକୁ ଡେଇଁ ଖସି ପଳାଇଥିଲେ। ମାତ୍ର ଶାହରୁଖ ସନ୍ତରଣ ଜାଣି ନ ଥିବାରୁ ପୋଖରୀକୁ ଡେଇଁ ନ ଥିଲେ। ଫଳରେ ସେ ଗ୍ରାମବାସୀଙ୍କ ହାତରେ ପଡିଯାଇଥିଲା। ଶାହରୁଖଙ୍କ ଭାଇ ଫିରୋଜ କହିଛନ୍ତି, ସେ ଦୁବାଇର ଏକ ଏମ୍ବ୍ରୋଡୋରୀ କମ୍ପାନୀରେ କାମ କରୁଥିଲେ। ଏକ ମାସ ପୂର୍ବେ ସେ ଗ୍ରାମକୁ ଫେରିଥିଲେ। ଏକ ଟେଲିଫୋନ କଲ ପାଇ ସେ ରାତିରେ ଘରୁ ବାହରକୁ ଯାଇଥିଲେ। ସକାଳ ହେଲେ ସେ ଫେରିଆସିବେ ବୋଲି ପରିବାର ଲୋକେ ଭାବିଥିଲେ। ମାତ୍ର ବୁଧବାର ପୂର୍ବାହ୍ଣରେ ସେ ଡାକ୍ତରଖାନାରେ ଥିବା ପୁଲିସ ସେମାନଙ୍କୁ ଟେଲିଫୋନ୍‍ କରି କହିଥିଲା। ଶାହାରୁଖ ମଇଁଷି ଚୋରି କରିବାକୁ ଯାଇଥିବା ଅଭିଯୋଗକୁ ପରିବାର ଲୋକେ ଅସ୍ୱୀକାର କରିଛନ୍ତି। ପୂର୍ବରୁ ଦବାଇ ଓ ଉପସାଗରୀୟ ଅଞ୍ଚଳ ତଥା ମୁମ୍ବାଇ ଓ ଦିଲ୍ଲୀରେ ରହିବା ବେଳେ ଶାହାରୁଖଙ୍କ ବିରୋଧରେ କୌଣସି ଅଭିଯୋଗ ଆସି ନ ଥିବା ସେମାନେ କହିଛନ୍ତି। ପୁଲିସ ଏହି ଘଟଣାରେ ୨୫ ଜଣଙ୍କ ବିରୋଧ ହତ୍ୟା ଅଭିଯୋଗରେ ଏକ ମାମଲା ରୁଜୁ କରିଛି। ମୃତ ଶାହାରୁଖ ଏବଂ ଅନ୍ୟ ୩ ଯୁବକଙ୍କ ବିରୋଧରେ ମଇଁଷି ଚୋରି ଅଭିଯୋଗରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି।

Leave A Reply