୧୦୦ ବର୍ଷରେ ବିଲୁପ୍ତ ହୋଇ ପାରନ୍ତି କୀଟପତଙ୍ଗ !

0

ବିଶ୍ବରେ କୀଟ ପତଙ୍ଗ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଆଗାମୀ ୧୦୦ ବର୍ଷ ମଧ୍ୟରେ ବିଶ୍ବରୁ କୀଟ ପତଙ୍ଗ ବିଲୁପ୍ତ ହୋଇଯିବେ ବୋଲି ଏକ ଗବେଷଣାରୁ ଜଣାପଡିଛି । ଫ୍ରାନ୍ସସ୍କୋ ସଞ୍ଚେଜ ଏବଂ କ୍ରିସ୍ ଏଜି ୱାକ୍ୟୁସ ନାମକ ଦୁଇ ଜଣ ବୈଜ୍ଞାନିକ ଦୀର୍ଘ ୪୦ ବର୍ଷ ଧରି କୀଟ ପତଙ୍ଗକୁ ନେଇ କରିଥିବା ସର୍ବେକ୍ଷଣ ରିପୋର୍ଟରୁ ଏହି ସୂଚନା ମିଳିଛି ।

ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ, ଆଗାମୀ ଦଶନ୍ଧିରେ ୪୦ ପ୍ରତିଶତରୁ ଅଧିକ କୀଟ ପତଙ୍ଗ ବିଲୁପ୍ତ ହୋଇପାରନ୍ତି । ଏହା ପରିବେଶ ପାଇଁ ଏକ ବଡ ଧରଣର ବିପଦରୁ କମ୍ ନୁହେଁ ବୋଲି ବୈଜ୍ଞାନିକମାନେ ମତ ରଖିଛନ୍ତି । ଯଦି ବିଶ୍ବର ସବୁ କୀଟ ପତଙ୍ଗ ବିଲୁପ୍ତ ହୋଇଯିବେ ତେବେ ମାନବ ସମାଜ ବଞ୍ଚି ରହିବା ଏକ ପ୍ରକାର ଅସମ୍ଭବ । କାରଣ ପୁରା କୃଷି କାର୍ଯ୍ୟ କୀଟ ପତଙ୍ଗ ଉପରେ ନିର୍ଭର ।

ଫସଲ ପାଇଁ କୀଟ ପତଙ୍ଗର ଭୂମିକା

ଫସଲ ପାଇଁ କୀଟ ପତଙ୍ଗ ଅତ୍ୟନ୍ତ ଜରୁରୀ ଅଟେ । କୀଟପତଙ୍ଗ ବିନା ଜୈବଚକ୍ର ସମ୍ଭବ ନୁହେଁ । କୀଟପତଙ୍ଗ ବା ଫସଲରେ ଲାଗୁଥିବା ପୋକକୁ ମାରିବା ପାଇଁ ଚାଷୀ କୀଟନାଶକ ଔଷଧ ବ୍ୟବହାର କରନ୍ତି । କିନ୍ତୁ କେତେକ କୀଟପତଙ୍ଗ ଫସଲ ପାଇଁ ଉପକାରୀ ହୋଇଥାନ୍ତି । କାରଣ ଏହି କୀଟପତଙ୍ଗ ଗୁଡିକ ଫସଲ ନଷ୍ଟ କରୁଥିବା କୀଟ ବା ପୋକକୁ ଖାଇଥାଆନ୍ତି । ଫସଲରେ ଅଧିକ କୀଟନାଶକ ଔଷଧ ବ୍ୟବହାର କୀଟପତଙ୍ଗ ବିଲୁପ୍ତର ଏକ କାରଣ ବୋଲି ରିପୋର୍ଟରେ ଦର୍ଶାଯାଇଛି । କୀଟନାଶକ ପ୍ରଭାବରେ ଉପକାରୀ କୀଟ ଓ ଅନ୍ୟ ଜୀବଜନ୍ତୁ ନଷ୍ଟ ହୋଇଥାଆନ୍ତି । ଏହା ବ୍ୟତୀତ ଏହି କୀଟପତଙ୍ଗ ଖାଦ୍ୟ ଚକ୍ର ପାଇଁ ମଧ୍ୟ ଆବଶ୍ୟକ ।

ବୃକ୍ଷର ପରାଗରେଣୁ, ମାଟି ଓ ପାଣି ଶୁଦ୍ଧ, ଆବର୍ଜନାକୁ ପୁନଃବ୍ୟବହାରକ୍ଷମ କରିବାରେ କୀଟପତଙ୍ଗ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପ୍ରତିବର୍ଷ ଏମାନଙ୍କର ସଂଖ୍ୟା ୨.୫ ପ୍ରତିଶତ କମ୍ ହେଉଛି । ଜଳବାୟୁ ପରିବର୍ତ୍ତନ ଓ ସହରୀକରଣ କୀଟପତଙ୍ଗ ବିଲୁପ୍ତର ଏକ ମୁଖ୍ୟ କାରଣ ବୋଲି ମଧ୍ୟ ବୈଜ୍ଞାନିକମାନେ କହିଛନ୍ତି ।

କୀଟନାଶକ ଦ୍ରବ୍ୟର ବହୁଳ ବ୍ୟବହାର ଦ୍ବାରା ଫସଲ ଦୂଷିତ ହେବା ସହ ଅଧିକ ସଂଖ୍ୟକ କୀଟପତଙ୍ଗ ନଷ୍ଟ ହୋଇଥାଏ । ତେଣୁ ଚାଷୀଙ୍କୁ ସତର୍କ କରାଇ ଆବଶ୍ୟକୀୟ ଅନୁଯାୟୀ ରହି କୀଟନାଶକର ବ୍ୟବହାର କରିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି  ।

Leave A Reply