ଅରୁଣାଚଳରେ ଗାଁ ବସାଇଛି ଚୀନ୍‌

ମ୍ୟାକ୍‌ମୋହନ ଲାଇନ୍‌ର ସାଢ଼େ ୪କିମି ଭିତରେ ୧୦୧ ଘର
 ସୁବନ୍‌ସିରି ଜିଲାର ୭୦କିମି ଭିତରେ ଦୁଇ ଲେନ୍‌ ବିଶିଷ୍ଟ ସଡ଼କ
 ସ୍ଥାନୀୟ ସାଂସଦଙ୍କ ସୂଚନାକୁ ଭାରତ ସରକାରଙ୍କ ଅବଜ୍ଞା
ଖବର ପାଇବା ପରେ ସରକାର କହିଲେ ସତର୍କ ଦୃଷ୍ଟି ରଖିଛନ୍ତି

ନୂଆଦିଲ୍ଲୀ: ଭୂଟାନ ପରେ ଏବେ ଅରୁଣାଚଳ ପ୍ରଦେଶ ସୀମାରେ ଚୀନ ସ୍ବତନ୍ତ୍ର ଗାଁ ବସାଇଛି। ଅରୁଣାଚଳ ପ୍ରଦେଶର ସାରି ଚୁ ନଦୀ ନିକଟ ଉପର ସୁବନ୍‌ସିରି ଜିଲାରେ ଏହି ଗାଁ ସ୍ଥାପନ ହୋଇଛି। ଭାରତୀୟ ଅଞ୍ଚଳର ସାଢ଼େ ୪ କିଲୋମିଟର ଭିତରେ ଏହି ଗାଁ ନିର୍ମିତ। ସମ୍ପୃକ୍ତ ଅଞ୍ଚଳ ଭାରତ ଓ ଚୀନ ମଧ୍ୟରେ ବିବାଦୀୟ ଭାବେ ଚିହ୍ନଟ ହୋଇ ରହିଥିଲେ ମଧ୍ୟ ଚୀନ ଜୋର ଜବରଦସ୍ତ ଏହି ଗ୍ରାମ ନିର୍ମାଣ କରିଥିବା ଏବେ ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ସୂଚନାନୁଯାୟୀ, ଗତ ନଭେମ୍ବର ୧ ସୁଦ୍ଧା ଏହି ଗ୍ରାମ ନିର୍ମାଣ ହୋଇଛି; ଯେଉଁଠାରେ ୧୦୧ ଗୋଟି ଘର ରହିଛି। ବର୍ତ୍ତମାନର ଚୀନ ସାମରିକ ଘାଟିଠାରୁ ଏହା ମାତ୍ର ଗୋଟିଏ କିଲୋମିଟର ମଧ୍ୟରେ ଏବଂ ମ୍ୟାକ୍‌ମୋହନ ଲାଇନ୍‌ର ଦକ୍ଷିଣକୁ ଭାରତୀୟ ପଟରେ ଅବସ୍ଥିତ। ସୂଚନାଯୋଗ୍ୟ ଯେ ସାରି ଚୁ ନଦୀ ଦୁଇ ଦେଶ ମଧ୍ୟରେ ୧୯୫୯ଠାରୁ ଆରମ୍ଭକରି ଅଦ୍ୟାବଧି ଏକାଧିକ ବିବାଦ ଓ ସଂଘର୍ଷର ସାକ୍ଷୀ। ବିସ୍ମୟର କଥା ହେଉଛି, ଭାରତୀୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଜାଣିପାରି ନାହାନ୍ତି। ଏବେ ବୈଦେଶିକ ମନ୍ତ୍ରଣାଳୟକୁ ଉକ୍ତ ଉପଗ୍ରହ ଚିତ୍ର ପ୍ରଦାନ କରାଯିବା ପରେ ମନ୍ତ୍ରଣାଳୟ ପକ୍ଷରୁ ସରକାର ଏଥିପ୍ରତି ସତର୍କ ଧ୍ୟାନ ରଖିଛନ୍ତି ବୋଲି କୁହାଯାଇଛି; କିନ୍ତୁ ଏହାକୁ ଅସ୍ବୀକାର କରାଯାଇ ନାହିଁ। ଅପରପକ୍ଷରେ ଭାରତ ମଧ୍ୟ ସୀମାନ୍ତରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଏକ ବିବୃତିରେ କୁହାଯାଇଛି।

ହସ୍ତଗତ ଉପଗ୍ରହ ଚିତ୍ର ଅନୁସାରେ ସମ୍ପୃକ୍ତ ଅଞ୍ଚଳ ହିମାଳୟ ପର୍ବତର ପୂର୍ବ ରେଞ୍ଜ୍‌ରେ ଏବଂ ସୀମାନ୍ତ ପ୍ରାଚୀରର ଦକ୍ଷିଣରେ ଅବସ୍ଥିତ। ଏଠାରେ ସାମରିକ ଘାଟି ରହିଥିବା ପ୍ରତୀୟମାନ କରାଯାଉଛି। ସେଠାରେ ପୂର୍ବରୁ କୌଣସି ଘର କି ଗାଁ ନ ଥିଲା। ଏମିତିକି ୨୦୧୯ ଅଗଷ୍ଟ ୨୬ ପର୍ଯ୍ୟନ୍ତ ସେଠାରେ ଗାଁର ଚିହ୍ନବର୍ଣ୍ଣ ନ ଥିବାରୁ ମାତ୍ର ବର୍ଷକ ମଧ୍ୟରେ ଏହା ପ୍ରତିଷ୍ଠା କରାଯାଇଛି। ଏହି ବର୍ଷକ ମଧ୍ୟରେ ଲଦାଖ ସୀମାରେ ଭାରତ ଓ ଚୀନ ସଂଘର୍ଷରେ ଲିପ୍ତ ଅଛନ୍ତି; ଯାହାକି ୨୦୨୦ ମେ’ ୫ରେ ଅରୁଣାଚଳ ପ୍ରଦେଶରୁ ହିଁ ଆରମ୍ଭ ହୋଇ ପରବର୍ତ୍ତୀ ସମୟରେ ଲଦାଖ ସୀମାରେ ପହଞ୍ଚିଥିଲା। ଗତ ଅକ୍ଟୋବରରେ ଚୀନର ବୈଦେଶିକ ମନ୍ତ୍ରଣାଳୟ କହିଥିଲା ଯେ ଭାରତ ସୀମାନ୍ତରେ ସାମରିକ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଜାରି ରଖିଛି ଏବଂ ଏହା ହିଁ ବିବାଦର ମଞ୍ଜି। ଏହା ସତ୍ତ୍ବେ ଅରୁଣାଚଳ ସୀମାର ଭାରତ ପ​‌େ​‌ଟ କୌଣସି ଭିତ୍ତିଭୂମି ବିକାଶ କାର୍ଯ୍ୟ ଲକ୍ଷ୍ୟ କରାଯାଇ ନାହିଁ।

ଗତ ବର୍ଷ ନଭେମ୍ବରରେ ଅରୁଣାଚଳ ପ୍ରଦେଶରୁ ନିର୍ବାଚନ ବିଜେପି ସାଂସଦ ଟାପିର ଗାଓ ଲୋକସଭାରେ କଥିତ ସୁବାନସିରି ଜିଲାରେ ଚୀନର ଅନୁପ୍ରବେଶ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏଥିନେଇ ସପ୍ରମାଣ ତଥ୍ୟ ଉପସ୍ଥାପନ କରିବା ସହ ସରକାରଙ୍କୁ ସତର୍କ କରିଥିଲେ। ସୋମବାର ଟାପିର କହିଛନ୍ତି ଯେ ଚୀନ କେବଳ ଗାଁ ବସାଇ ନାହିଁ; ବରଂ ସୁବାନସିରି ଜିଲାର ୬୦ରୁ ୭୦କିଲୋମିଟର ମଧ୍ୟକୁ ପଶିଆସି ଦୁଇ ଲେନ୍‌ ବିଶିଷ୍ଟ ସଡ଼କ ନିର୍ମାଣ କାର୍ଯ୍ୟ ଚଳାଇଛି। ସେଠାକାର ଲେନ୍‌ସୀ ନଦୀ କୂଳରେ ଏହି ସଡ଼କ ନିର୍ମାଣ ଚାଲିଛି। ଭାରତୀୟ ଅଞ୍ଚଳ ମଧ୍ୟରେ ଏସବୁ ନିର୍ମାଣ କାର୍ଯ୍ୟ ସର୍ଭେୟର ଜେନେରାଲ ଅଫ୍‌ ଇଣ୍ଡିଆ ଦ୍ବାରା ପ୍ରକାଶିତ ସରକାରୀ ମାନଚିତ୍ରରେ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟକୁ ଅବଗତ କରାଯାଇଥିଲେ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚୀନ ପ୍ରତିପକ୍ଷଙ୍କ ନିକଟରେ କୂଟନୈତିକସ୍ତରରେ କୌଣସି ଆପତ୍ତି ଅଭିଯୋଗ କରାଯାଇ ନାହିଁ। ଫଳତଃ ଏହା ଭାରତର ସାର୍ବଭୌମତ୍ବ ଓ ଆଞ୍ଚଳିକ ସୁରକ୍ଷା ପ୍ରତି ଅଧିକ ବିପଦ ସୃଷ୍ଟି କରୁଥିବା ସେ କହିଛନ୍ତି। ଭାରତ-ଚୀନ ବ୍ୟାପାର ବିଶେଷଜ୍ଞ କ୍ଲାଉଡେ ଆର୍ପିଙ୍କ ମତରେ ଚୀନର ଏଭଳି କାର୍ଯ୍ୟ ଏବଂ ଏଥିପ୍ରତି ଭାରତର ଅଜ୍ଞତା ଅତୀବ ଗୁରୁତର ସମସ୍ୟା। ଦୁଇ ଦେଶ ମଧ୍ୟରେ ସ୍ବାକ୍ଷରିତ ଏକାଧିକ ରାଜିନାମାକୁ ଏହା ଉଲ୍ଲଙ୍ଘନ କରୁଛି। ଭାରତ-ଚୀନ ସମ୍ପର୍କ ଉପରେ ଏହା ଅଧିକ ପ୍ରଭାବ ପକାଇବା। ଲଦାଖ ପରେ ଏଠାରେ ପୁଣି ବନ ସଂଘର୍ଷର ସୂତ୍ରପାତ ହେବା ଆଶଙ୍କା ରହିଛି।

Comments
Loading...