ଯାତନା ଦେଉଛି ସ୍ମାର୍ଟସିଟି-୧୪ : ପ୍ରସ୍ତାବରେ ଅଟକିଛି ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ୍‌

ଭୁବନେଶ୍ବର : ସ୍ମାର୍ଟସିଟିର ପ୍ରମୁଖ ପ୍ରକଳ୍ପ ମଧ୍ୟରେ ଭୁବନେଶ୍ବର ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ୍‌ ଅନ୍ୟତମ। ଏଜି ଛକ ନିକଟରେ ପ୍ରାୟ ସାଢ଼େ ଦୁଇ ଏକର ଜମିରେ ଏହି ମ୍ୟୁଜିୟମ୍‌ ପ୍ରତିଷ୍ଠା ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏନେଇ ୨୦୧୬ରେ ସଚିବାଳୟରେ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ପ୍ରକଳ୍ପ କାର୍ଯ୍ୟକାରୀ ନେଇ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ପ୍ରସ୍ତାବିତ ପ୍ରକଳ୍ପ ନିମନ୍ତେ ଏଜି ଛକ ନିକଟରେ ୨.୩୪ ୧ ଏକର ଜମି ଚିହ୍ନଟ ହୋଇଥିଲା। ହେଲେ ବିଭିନ୍ନ କାରଣରୁ ଏହି ପ୍ରକଳ୍ପ ଘୁଞ୍ଚି ଘୁଞ୍ଚି ଚାଲିଛି।

ଏଜି ଛକ ନିକଟସ୍ଥ ନେହରୁ ଯୁବକେନ୍ଦ୍ର ୦.୧୦୭ ଏକର, ଏହା ନିକଟସ୍ଥ ଇନ୍ଦିରା ଇଂରାଜୀ ମାଧ୍ୟମ ସ୍କୁଲ ଦଖଲରେ ଥବା ୧.୦୯୪ ଏକର ସରକାରୀ ଜମି, ସାଧାରଣ ପ୍ରଶାସନର ୧.୪୨ ଏକର ପଡ଼ିଆ ଜମି ଚିହ୍ନଟ ହୋଇଥିଲା। ଜବରଦଖଲ ଉଚ୍ଛେଦକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ସରକାରଙ୍କ ମଧ୍ୟରେ ବିବାଦ ହେବାରୁ ମାମଲା କୋର୍ଟରେ ପହଞ୍ଚିଥିଲା। ପରେ ସରକାରଙ୍କ ସପକ୍ଷରେ କୋର୍ଟ ରାୟ ଦେବା ପରେ ଜମିରେ ଥିବା ସମସ୍ତ ଜବରଦଖଲ ଉଚ୍ଛେଦ ସରିିଛି। ହେଲେ ଏହି ମ୍ୟୁଜିୟମ୍‌ ଆଉ ଏଜି ଛକ ନିକଟ‌େର ସ୍ଥାପନ ହେବ ନାହିଁ।

ଏଥିନିମନ୍ତେ ପୋଖରୀପୁଟରେ ନୂତନ ସ୍ଥାନ ଚିହ୍ନଟ ହୋଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦର ପଛ ପାର୍ଶ୍ବ ନିକଟବର୍ତ୍ତୀ ଅଞ୍ଚଳରେ ହେବ। ବିମାନ ବନ୍ଦରରୁ ଜାଗମରା-ସୁନ୍ଦରପଦାକୁ ପଡ଼ିଥିବା ରାସ୍ତା ନିକଟ ଅଞ୍ଚଳରେ ଏଥିପାଇଁ ଜମି ଅଧିଗ୍ରହଣ ହୋଇଛି। ସେଠାରେ ମ୍ୟୁଜିୟମ୍‌ ସ୍ଥାପନ ହେବ ବୋଲି ବିଡିଏ ପ୍ଲାନିଂ ବିଭାଗ ପକ୍ଷରୁ କୁହାଯାଇଛି। ପ୍ରକଳ୍ପ ନିମନ୍ତେ ପ୍ଲାନ୍‌ ନକ୍ସା ପ୍ରସ୍ତୁତି ଚାଲିଛି। ଏବେ ମ୍ୟୁଜିୟମ୍‌ର ଭିତର ସାଜସଜ୍ଜା କାମ ନିମନ୍ତେ ନକ୍ସା ପ୍ରସ୍ତୁତି ଚାଲିଛି। ଆସନ୍ତା ବର୍ଷ ପ୍ରଥମ ସପ୍ତାହାରୁ କାମ ଚାଲିବ ବୋଲି ବିଡିଏ ଅଧିକାରୀ ହରିଶ୍‌ ନାୟକ କହିଛନ୍ତି। ଉକ୍ତ ମ୍ୟୁଜିୟମ୍‌କୁ ଲାଗି ପାର୍କ ନିର୍ମାଣ ହେବ ବୋଲି ବିଡିଏ ପକ୍ଷରୁ ସୂଚନା ଦିଆଯାଇଛି। ବିମାନ ବନ୍ଦରକୁ ଦେଶ ଏବଂ ବିଦେଶରୁ ବହୁ ଲୋକ ଆସୁଥିବାରୁ ସେମାନେ ଉକ୍ତ ମ୍ୟୁଜିୟମ୍‌ ପରିଦର୍ଶନ କରିବାର ସୁଯୋଗ ପାଇବେ। ଏହାଦ୍ବାରା ଓଡ଼ିଶା ଏବଂ ରାଜଧାନୀ ଭୁବନେଶ୍ବରର ଗୌରବମୟ ଇତିହାସ ପ୍ରସାରିତ ହେବ।

ପ୍ରକଳ୍ପରେ କ’ଣ ରହିଛି:

ସହରର କ୍ରମବିକାଶ(କ୍ୟାପିଟାଲ ସିଟି ହେବା ପରଠୁ ଆଜିଯାଏ), ସ୍ଥାପତ୍ୟ, ବାଣିଜ୍ୟ, କଳା, ସଂସ୍କୃତି, ସାମାଜିକ ବିକାଶ, ଅଭିନବ କାର୍ଯ୍ୟପନ୍ଥା, ଓଡ଼ିଶାର ବିକାଶ କିଭଳି ଭାରତର ଆଧୁନିକ ସଭ୍ୟତା ବିକାଶରେ ଅବଦାନ ରଖିଛି ସେ ସମ୍ପର୍କ‌େ‌ର ଏହି ମ୍ୟୁଜିୟମ୍‌ରେ ସ୍ଥାନିତ ହେବ। ଦୃଶ୍ୟ ଶ୍ରାବ୍ୟ ଏବଂ ଡକ୍ୟୁମେଣ୍ଟେସନ ଆକାରରେ ରହିବ। ଏହାସହିତ ପ୍ରଦର୍ଶିତ ତଥ୍ୟ ସମ୍ପର୍କରେ ପରିଦର୍ଶକଙ୍କ ମଧ୍ୟରେ ମତବିନିମୟ ବ୍ୟବସ୍ଥା କରାଯିବ। ଭୁବନେଶ୍ବର ସହର ଐତିହ୍ୟର ଉଭୟ ମୂର୍ତ୍ତି ବା ଦୃଶ୍ୟମାନ କଳା ଏଠାରେ ପ୍ରଦର୍ଶିତ ହେବ। ଶିଶୁପାଳ ଗଡ଼ର ପୁରାତନ ଐତିହ୍ୟ ମଧ୍ୟ ବିଶେଷ ସ୍ଥାନ ଅଧିକାର କରିବ।

ଅଗ୍ରଗତି: ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ୍‌ ସ୍ଥାପନ ନିମନ୍ତେ ୨୦୧୬ରେ ସରକାର ନିଷ୍ପତ୍ତି ନେଲେ। ଜବରଦଖଲ ଉଚ୍ଛେଦକୁ ୨ବର୍ଷ ବିତିବାକୁ ବସିଥିବା‌େ‌ବଳେ ପ୍ରକଳ୍ପ କାମ ହୋଇପାରି ନାହିଁ। ପ୍ରକଳ୍ପ ନିମନ୍ତେ ପ୍ଲାନ୍‌ ନକ୍ସା ପ୍ରସ୍ତୁତି ଚାଲିଛି। ୨୦୧୬ରୁ ୨୦୨୦ ଏପରି ୪ବର୍ଷ ବିତିଗଲାଣି। ୨୦୨୧ରେ କାମ ଆରମ୍ଭ ହେବ। ଏହାପରେ ମଧ୍ୟ ଦୁଇରୁ ଊର୍ଦ୍ଧ୍ବ ବର୍ଷ ସମୟ ଲାଗିବା ଅନୁମାନ କରାଯାଉଛି। ଏହି ପ୍ରକଳ୍ପ ସ୍ମାର୍ଟ ସିଟିର। ପ୍ରକଳ୍ପର କାମ ବିଡିଏ କରିବ। ବୈଷୟିକ ସହାୟତା ସ୍ମାର୍ଟସିଟି ଯୋଗାଇଦେବେ। ସ୍ମାର୍ଟ ସଲ୍ୟୁସନ୍‌ ଉପଯୋଗ କରି ସମସ୍ତ କାମ ହେବ ବୋଲି ସ୍ମାର୍ଟସିଟି ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.