ଅସ୍ତ୍ରୋପଚାର ମାଧ୍ୟମରେ ଯମଜ କିନ୍ନର ହେଲେ ଯୁବତୀ

ସାଓ ପାଓଲୋ: ବ୍ରାଜିଲର ଦକ୍ଷିଣ-ପୂର୍ବ ପ୍ରଦେଶ ମିନାସ ଗେରାଇସ୍‌ ଅନ୍ତର୍ଗତ ତାପିରାଠାରେ ବାସ କରୁଥିବା ଦୁଇ ୧୯ବର୍ଷୀୟ ଯମଜ ମାୟଲା ଓ ସୋଫିଆ ମିଳିତ ଭାବେ ଲିଙ୍ଗ ନିରୂପଣ ଅସ୍ତ୍ରୋପଚାର କରିଛନ୍ତି। ଏଭଳି ଘଟଣା ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି। ସବୁବେଳେ ସବୁକାମ ଏକତ୍ର କରିଆସୁଥିବା ମାୟଲା ଓ ସୋଫିଆ ନିଜକୁ ଝିଅ ଭାବେ ପରିଚିତ କରିବାକୁ ଯାଇ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ। ଜନ୍ମରୁ ସେମାନେ ପୁଅ ଭଳି ଚଳୁଥିଲେ; କିନ୍ତୁ ସେମାନଙ୍କୁ କେହି ପୁଅ ବୋଲି ଗ୍ରହଣ କରୁ ନ ଥିଲେ। ସେଥିପାଇଁ ସେମାନେ ଅସ୍ତ୍ରୋପଚାର ମାଧ୍ୟମରେ ଝିଅ ହେବାକୁ ଇଚ୍ଛା ବ୍ୟକ୍ତ କରିଥିଲେ। ଏଭଳି ଲିଙ୍ଗ ନିରୂପଣ ବା ପରିବର୍ତ୍ତନ ନୂଆ ନୁହେଁ; କିନ୍ତୁ ଯମଜ ସନ୍ତାନ ଏକ ସମୟରେ ଏହି ପଦକ୍ଷେପ ନେବା ବିଶ୍ବରେ ପ୍ରଥମ ବୋଲି ବ୍ରାଜିଲର କିନ୍ନର ବିଶେଷଜ୍ଞ ଡା. ଯୋସ୍‌ କାର୍ଲସ୍‌ ମାର୍ଟିନ୍ସ କହିଛନ୍ତି।

ଉଭୟଙ୍କର ଲିଙ୍ଗ ନିରୂପଣ ଏକକାଳୀନ କରାଯାଇଥିଲା ଓ ଏଥିପାଇଁ ୫ଘଣ୍ଟାର ଅସ୍ତ୍ରୋପଚାର କରାଯାଇଥିଲା ବୋଲି ସେ କହିଛନ୍ତି। ଏହି କାର୍ୟ୍ୟ ପାଇଁ ଦୁଇ ଯୁବତୀଙ୍କ ଜେଜେ ବାପା ସମ୍ପତ୍ତି ବିକ୍ରି କରି ୨୦ହଜାର ଡଲାର ଦେଇଥିବା ପ୍ରକାଶ। ଏବେ ସେମାନେ ଦୁଇ ଭଉଣୀ ମାୟଲା ରିଜେଣ୍ଡେ ଓ ସୋଫିଆ ଆଲବୁକର୍କ ନାମରେ ପରିଚିତ। ମାୟଲା ସମ୍ପ୍ରତି ଆର୍ଜେଣ୍ଟିନାରେ ଡାକ୍ତରୀ ଶିକ୍ଷା ଲାଭ କରୁଥିବାବେଳେ ସୋଫିଆ ସାଓ ପାଓଲୋରେ ସିଭିଲ ଇଞ୍ଜିନିୟରିଂ ଛାତ୍ରୀ। ସୂଚନାଯୋଗ୍ୟ ଯେ ବ୍ରାଜିଲରେ କିନ୍ନରଙ୍କୁ ସମାଜରେ ନାନା ନିର୍ୟାତନାର ଶିକାର ହେବାକୁ ପଡ଼େ। ଗତ ବର୍ଷ ଦେଶରେ ୧୭୫ କିନ୍ନରଙ୍କୁ ହତ୍ୟା କରାଯାଇଛି।

Comments are closed.