ଆରମ୍ଭ ହେଲା ନିୟମରାଜାଙ୍କ ୩ ଦିନିଆ ପୂଜା

ଗୁଣପୁର: ପ୍ରକୃତି ଉପାସକ ଡ଼ଙ୍ଗରିଆ କନ୍ଧ। ନିୟମ ରାଜାଙ୍କ ସ୍ମୃତିକୁ ମନେ ପକାଇ ଆଜିବି ନିୟମଗିରିକୁ ପୂଜାର୍ଚ୍ଚନା କରୁଛନ୍ତି ରାୟଗଡା ଜିଲ୍ଲାର ଆଦମ ଜନଜାତି ଡ଼ଙ୍ଗରିଆ କନ୍ଧ। ପ୍ରତିବର୍ଷ ପରି ରାୟଗଡା କଳାହାଣ୍ଡି ସୀମାନ୍ତ ନିୟମଗିରି ପାହାଡ଼ରେ ଥିବା ଧଅରାଭଟା ଗ୍ରାମରେ ଆୟୋଜିତ ହୋଇଛି ନିୟମରାଜାଙ୍କ ତିନି ଦିନିଆ ପୂଜା।

ପ୍ରଥମେ ଏହି ପୂଜା ପାଇଁ ଗାଁର ଜାନି, ବିଶୁମାଝୀ, ଡ଼ିସାରୀ, ପୂଜାରୀ ଏବଂ ମଣ୍ଡଳଙ୍କ ସହିତ ଗାଁର ମୁଖିଆମାନେ ଦିନ ଏବଂ ସମୟ ଧାର୍ଯ୍ୟ କରନ୍ତି। ଗାଁ ମୁଣ୍ଡରେ ଥିବା ନିୟମ ରାଜାଙ୍କ ଆସ୍ଥାନ ନିକଟରେ ଆସ୍ଥାୟୀ ମଣ୍ଡପ ତିଆରି କରାଯାଏ। ମଣ୍ଡପ ଚାରିପଟେ ପାରମ୍ପରିକ ବାଜା ବଜାଇ ଯୁବକ ଯୁବତୀମାନେ ନାଚଗୀତରେ ମସଗୁଲ ହୋଇଯାଆନ୍ତି। ଶେଷଦିନ ଦିସାରି ଦେଇଥିବା ସମୟ ନିର୍ଘଣ୍ଟ ଅନୁଯାୟୀ ବିଭିନ୍ନ ଗାଁରୁ ଆସିଥିବା ଶହ ଶହ ଟାଙ୍ଗିଆଧାରୀ ଜିଅନ୍ତା ପୋଢ଼ ବା ମଇଁଷିକୁ ଆକ୍ରମଣ କରନ୍ତି। ଶେଷରେ ପୋଢ଼ର ମୁଣ୍ଡକୁ କାଟି ଧରଣିପେନୁକୁ ଉତ୍ସର୍ଗ କରିବା ପରେ ପୋଢ଼ଟିର ମାଂସକୁ ବାଣ୍ଟି ନିଅନ୍ତି ପର୍ବକୁ ଆସିଥିବା ଲୋକେ। ଆଉ ଟାଙ୍ଗିଆ ଚୋଟରେ ଝରିଥିବା ପୋଢ଼ର ରକ୍ତକୁ ସଂଗ୍ରହ କରି ନିଜ ନିଜର କ୍ଷେତରେ ପୋତିଦିଅନ୍ତି।

ବିଶ୍ବାସ ରହିଛି ଏମିତି କଲେ କ୍ଷେତରେ ସୁନାର ଫସଲ ଫଳିବା ସହ ଗାଁ ଗଣ୍ଡାରେ ରୋଗ ବୈରାଗ୍ୟ ହେବନାହିଁ କି ଗାଁକୁ କୌଣସି ଦୁଷ୍ଟ ଶକ୍ତିର ନଜର ଲାଗିବନି। ସମୟର ପରିବର୍ତ୍ତନ ସାଙ୍ଗକୁ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି ଆଦିମ ଜନଜାତି ଡ଼ଙ୍ଗରିଆକନ୍ଧଙ୍କ ଯାନୀ ଜାତରା। ଲୁପ୍ତ ହେବାରେ ବସିଲାଣି ସେମାନଙ୍କ ନିତି ଦିନିଆ ବ୍ୟବହାର୍ଯ୍ୟ ସାମଗ୍ରୀ, କଳା, ସଂସ୍କୃତି, ସାଙ୍ଗକୁ ନାଚଗୀତ। ହେଲେ ଆଜି ମଧ୍ୟ ପ୍ରକୃତିକୁ ଭଲପାଉଥିବା ଓ ପ୍ରକୃତି ସୁରକ୍ଷା ଦେବାକୁ ପଣ କରିଥିବା ଡଙ୍ଗରିଆ ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାଙ୍କ ପୂଜାକୁ ଭୁଲିନାହାନ୍ତି।

ଏହି ଜନଜାତି ରାୟଗଡ଼ା, କଳାହାଣ୍ଡି ଜିଲ୍ଲାର ସୀମାନ୍ତକୁ ଲାଗିଥିବା ପୂର୍ବଘାଟ ପର୍ବତମାଳରେ ବସବାସ କରନ୍ତି। କିମ୍ବଦନ୍ତୀ ଅନୁଯାୟୀ ସେମାନେ ବସବାସ କରୁଥିବା ୨୦୦ କିଲୋମିଟର ପରିଧି ମଧ୍ୟରେ ନିୟମରାଜାର ଶାସନ ସାମ୍ରାଜ୍ୟ ରହିଥିଲା। ଏଣୁ ନିୟମରାଜାଙ୍କ ନାମାନୁଯାୟୀ ଏହି ପାହାଡକୁ ନିୟମଗିରି କୁହାଯାଏ ।ନିୟମ ରାଜାର ସ୍ମୃତିକୁ ମନେପକାଇ ପ୍ରତିବର୍ଷ ନିୟମଗିରିରେ ଆୟୋଜନ ହୋଇଥାଏ ନିୟମରାଜା ପୂଜା। ତେବେ ଚଳିତବର୍ଷ ଏହି ପୂଜା ଦେଖିବାକୁ ନିୟମଗିରିରେ ସାମିଲ ହୋଇଛନ୍ତି କେବିକେ ଜିଲ୍ଲା ସମେତ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡର ଆଦିବାସୀ ସଂଗଠନ।

Comments are closed.