ବଦଳୁଛି ଯୁବପିଢିଙ୍କ ଚିନ୍ତାଧାରା, ଓକିଲାତି ଛାଡ଼ି ଛେଳି ଚାଷ କରୁଛନ୍ତି ତିରୁପତି

ଜେମାଦେଇପେଣ୍ଠ: ଯୁଗ ବଦଳିବା ସହ ଯୁବପିଢିଙ୍କର ଚିନ୍ତାଧାରା ମଧ୍ୟ ବଦଳିଯାଇଛି। ପୂର୍ବରୁ ପାଠ ପଢି ନଥିବା ଯୁବକ ପେଟପୋଷିବା ପାଇଁ ଚାଷକୁ ଆପଣାଉଥିଲେ। କିନ୍ତୁ ଏବେକାର ଶିକ୍ଷିତ ଯୁବକ ଚାଷ ପ୍ରତି ବହୁମାତ୍ରାରେ ଆକର୍ଷିତ ହେଲେଣି। ସାମ୍ପ୍ରତିକ ସମୟରେ କିଛି ନୂଆ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଯୁବଗୋଷ୍ଠୀ। ଏପରି ଜଣେ ଯୁବକ ହେଲେ ଶେଷଖାଲ ପଞ୍ଚାୟତର ଗାଗ୍ନାପେଟା ଗ୍ରାମର ତିରୁପତି ରାଓ। ପେଶାରେ ସେ ଓକିଲ।

ଆନ୍ଧ୍ର ପ୍ରଦେଶ ବିଶ୍ବବିଦ୍ୟାଳୟରୁ ଏଲଏଲବି ପାସ ପରେ ବାପାଙ୍କୁ ସମ୍ମାନ ଜଣାଇ ପାର୍ବତିପୁରମ ସହରରେ ଓକିଲାତି ଆରମ୍ଭ କରନ୍ତି। ଓକିଲାତିରେ ପେଟ ଯଦିଓ ପୁରିଲା, କିନ୍ତୁ ଆଜିକାଲି ସତ ମିଛ ଦୁନିଆରେ ଏହି ପେସା ତାଙ୍କୁ ଆତ୍ମତୃପ୍ତି ଦେଇ ପାରିଲା ନାହିଁ। କିଛି ନୂଆ କରିବାର ଇଚ୍ଛାପ୍ରକାଶ କରି ଛେଳି ଚାଷ ଆରମ୍ଭ କରନ୍ତି। ପ୍ରଥମେ ୨୦ରୁ ୨୨ଟି ବେଙ୍ଗଲ ପ୍ରଜାତିରର ଛେଳି ସେ ରଖିଥିଲେ। ଏହା ବୃଦ୍ଧି ହୋଇ ପ୍ରାୟ ୬୦୦ରେ ପହଞ୍ଚିଲାଣି।

ନିଜ ରାଜ୍ୟ ତଥା ଅନ୍ୟ ରାଜ୍ୟ ଚାଷୀଙ୍କଠାରୁ ଟୁଇଟର ମାଧ୍ୟମରେ ଚାଷର କୌଶଳଶିକ୍ଷା କରି ଆଜି ଯୁବପୀଢ଼ି ପାଇଁ ସେ ଉଦାହରଣ ପାଲଟିଛନ୍ତି। ଏବେ ପ୍ରାୟ ପାଞ୍ଚ/ଛଅ ପ୍ରଜାତିର ଛେଳି ମାଲୱା, ସିରୋହି, ଯମୁନାପରି, ତୋତାପରି, ହାଇଦ୍ରାବାଦୀ ଭଳି ଛେଳି ତାଙ୍କ ଫାର୍ମରେ ରହିଛନ୍ତି। ପୁଣି ପ୍ରଜନନ ପାଇଁ ପ୍ରାୟ ୨୬ଟି ବୋଦା ରଖିଛନ୍ତି। ୨୪ ଜଣ ପ୍ରବାସୀ ଶ୍ରମିକଙ୍କୁ ଫାର୍ମରେ ନିୟୋଜିତ କରିଛନ୍ତି ତିରୁପତି। ସବୁଠାରୁ ବଡ କଥା ହେଲା ଏହି ନୂଆବର୍ଷରେ ପ୍ରାୟ ୯ କ୍ବିଣ୍ଟାଲ ମାଂସ ବିକ୍ରି କରି ଛଅ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି ତିରୁପତି।

Comments are closed.