ଆଗାମୀ ୭ ଦିନରେ ସୁପ୍ରିମକୋର୍ଟରୁ ଆସିବ ୫ ଗୁରୁତ୍ବପୂର୍ଣ୍ଣ ରାୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ପଦରୁ ନଭେମ୍ବର ୧୭ରେ ଅବସର ଗ୍ରହଣ କରିବାକୁ ଯାଉଥିବା ଜଷ୍ଟିସ ରଞ୍ଜନ ଗୋଗଇଙ୍କ କାର୍ଯ୍ୟକାଳ ଆଉ ମାତ୍ର ପାଖାପାଖି ଗୋଟିଏ ସପ୍ତାହ ବାକି ରହିଛି। ଚଳିତ ସପ୍ତାହରେ ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୪ ଦିନ ଏବଂ ଆଗାମୀ ସପ୍ତାହରେ ସୋମବାର ଓ ମଙ୍ଗଳବାର ଛୁଟିଥିବାରୁ ମାତ୍ର ତିନି ଦିନ ଶୁଣାଣି ହେବ। ଏହି ୭ ଦିନ ମଧ୍ୟରେ ପ୍ରଧାନ ବିଚାରପତି ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ୫ଟି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିବେ। ଏଗୁଡିକ ମଧ୍ୟରେ ରହିଛି ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ମାମଲା, କେରଳର ସୁପ୍ରସିଦ୍ଧ ପୁରାତନ ଶାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଅନୁମତି ନେଇ ସର୍ବୋଚ୍ଚ ଅଦାଲତଙ୍କ ପୂର୍ବ ରାୟର ସମୀକ୍ଷା ମାମଲା, ରାଫେଲ କାରବାର ସମ୍ବନ୍ଧୀୟ ୨ଟି ମାମଲା ଏବଂ ସିଜେଆଇ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧୀ ଆବେଦନ। ରାଫେଲ କାରବାରରେ କୌଣସି ପ୍ରକାରର ଅର୍ଥନୈତିକ ଅନୁକମ୍ପା ପ୍ରଦାନ କରାଯାଇ ନାହିଁ ବୋଲି ୨୦୧୮ ଡିସେମ୍ବର ୧୪ରେ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏଥିସହ ଏହି ଭଳି ବୈଷୟିକ ଦିଗ ଉପ​‌େ​‌ର କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ରାୟ ଦେଇଥିଲେ। ଏହି ରାୟକୁ ବିରୋଧ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନା ଓ ଅରୁଣ ସୌରୀ ପ୍ରମୁଖଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ସେହିଭଳି ଲୋକସଭା ନିର୍ବାଚନବେଳେ ରାଫେଲ ମାମଲାରେ ସୁପ୍ରିମକୋର୍ଟଙ୍କ ଏକ ପୁରୁଣା ରାୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ‘ଚୌକିଦାର ଚୋର ହୈ’ ସ୍ଲୋଗାନ ଦେଇଥିଲେ। ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଅବମାନନା ଆବେଦନ ଦାଖଲ କରାଯାଇଥିଲା। ସେହିଭଳି ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟକୁ ଆରଟିଆଇ ପରିସରଭୁକ୍ତ କରିବା ନେଇ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ୨୦୧୦ରେ ସର୍ବୋଚ୍ଚ ଅଦାଲତର ସେକ୍ରେଟାରୀ ଜେନେରାଲ ଏବଂ ସେଣ୍ଟ୍ରାଲ ପବ୍ଲିକ ଇନଫ​‌େ​‌ର୍ମସନ ଅଫିସରଙ୍କ ପକ୍ଷରୁ ତିନୋଟି ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏପ୍ରିଲ ୪ରେ ରାୟ ସଂରକ୍ଷିତ ରଖିଥିଲେ। ଅନ୍ୟପଟେ ଅଯୋଦ୍ୟା ଏବଂ ଶାବରୀମାଳା ଉପରେ ମଧ୍ୟ ଶୁଣାଣି ଶେଷ ହୋଇଥିବାରୁ ନିଜର ବାକି ୭ ଦିନର କାର୍ଯ୍ୟକାଳ ମଧ୍ୟରେ ପ୍ରଧାନ ବିଚାରପତି ଗୋଗଇ ଏହି ୫ଟି ଗୁରୁତ୍ବପୂର୍ଣ୍ଣ ମାମଲାର ରାୟ ପ୍ରକାଶ କରିବେ।

Comments are closed.