ସ୍କୁଲରେ ଛାତ୍ରକୁ ଛୁରୀ ଭୁଶିଲା ଛାତ୍ର

ଭଞ୍ଜନଗର: ବିନା କାରଣରେ ଜଣେ ଦଶମ ଶ୍ରେଣୀର ଛାତ୍ର ସେହି ଶ୍ରେଣୀର ଅନ୍ୟ ଜଣେ ଛାତ୍ରକୁ ଛୁରୀ​‌େ​‌ର ପେଟକୁ ଭୁଶି ଗୁରୁତର ଆହତ କରିଛି। ଏପରି ଘଟଣା ଘଟିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ। ଗୁରୁତର ଅବସ୍ଥାରେ ପ୍ରଥମେ ଛାତ୍ରଟିକୁ ଭଞ୍ଜନଗର ଉପଖଣ୍ଡ ସରକାରୀ ହସପିଟାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି। ଘଟଣା ଘଟିଛି ବୁଧବାର ଦିନ ପ୍ରାୟ ୧୧ଟା ବେଳେ । ଛାତ୍ରଛାତ୍ରୀଙ୍କ ଖେଳକୁଦ ସମୟରେ ଏପରି ଘଟଣା ଘଟିଛି। ଛାତ୍ରଜଣକ ବହିବସ୍ତାନୀ ଭିତରେ ଛୁରୀ ଧରି ଆସି ଅନ୍ୟ ଜଣେ ଛାତ୍ରକୁ ଆକ୍ରମଣ କରିଛି।

ଆକ୍ରମଣକାରୀ ଛାତ୍ର ଗୁରୁତର ଆହତ କରି ପକାଇଥିବା ଛାତ୍ରର ନାଁକୁ ନେଇ କୁଆଡେ ଟାହିଟାପରା କରି ଆସୁଥିଲା। ଆହତ ଛାତ୍ରଜଣକ ପ୍ରତିବାଦ କରି ଆସୁଥିଲା। କିଛି ବୁଝିବା ଆଗରୁ ଆକ୍ରମଣକାରୀ ଛାତ୍ରଟି ଟାହିଟାପରା ସହ୍ୟ କରି ଆସୁଥିବା ଛାତ୍ରକୁ ପ୍ରଥମେ ଗଳାଧକ୍କା ମାରିଥିଲା। ତଳେ ପଡିଯିବା କ୍ଷଣି ପ୍ୟାଣ୍ଟ ପକେଟ୍‍ରୁ ହଠାତ୍‍ ଏକ ଛୁରୀ ବାହାର କରି ତାର ତଳି ପେଟକୁ ଭୁଶି ପକାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାତ୍ରଟି ଚିତ୍କାର ଛାଡିବା କ୍ଷଣି ଶିକ୍ଷକ, କର୍ମଚାରୀ ଓ ଛାତ୍ରମାନେ ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ। ପରେ ଗ୍ରାମବାସୀ ବିଦ୍ୟାଳୟରେ ପହଞ୍ଚି ଯାଇଥିଲେ। ତତ୍‌କ୍ଷଣାତ୍‌ ଭଞ୍ଜନଗର ହସପିଟାଲକୁ ପିଲାଟିକୁ ନିଆଯାଇଥିଲା।

ପେଟର ଆଭ୍ୟନ୍ତରଣ ଅଂଶକୁ ଛୁରୀ ଆଘାତ ଲାଗିଥିବାରୁ ତାକୁ କାଳବିଳମ୍ବ ନକରି ବ୍ରହ୍ମପୁର ବଡମେଡିକାଲକୁ ପଠାଇ ଦିଆଯାଇଛି। ଘଟଣା ପ୍ରଚାର ହେବା କ୍ଷଣି ହସପିଟାଲ ଲୋକାରଣ୍ୟ ହୋଇ ପଡିଥିଲା। ଛାତ୍ରଟି ବିଦ୍ୟାଳୟକୁ ଛୁରୀ କିପରି ଧରି ଆସିଲା ତାହା ଏବେ ପ୍ରଶ୍ନବାଚୀ। ଛାତ୍ରଟି କିଛିଦିନ ହେଲା ଏକ ଛୁରୀ କିଣି ବହିବ୍ୟାଗ ଭିତରେ ଧରି ବିଦ୍ୟାଳୟ ପରିସରକୁ ଆସୁଥିଲା ବୋଲି ସାଥିରେ ଆସିଥିବା ଅନ୍ୟ କିଛି ଛାତ୍ର ଡାକ୍ତରଖାନାରେ ପ୍ରକାଶ କରିଛନ୍ତି। ଛାତ୍ରଟି କାହିଁକି ଏପରି ପଥକୁ ଆପେଣେଇଛି ତାହାର କାରଣ ଜଣାପଡିନି। ଗାଙ୍ଗପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

Comments are closed.