ରାଜ୍ୟ ଭାରୋତ୍ତୋଳନ ଚାମ୍ପିୟାନସିପ

ଭୁବନେଶ୍ବର: ରାଜ୍ୟ ଭାରୋତ୍ତୋଳନ ଚାମ୍ପିୟାନସିପ ୨୦୨୧-୨୨ ଆଜି କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ୱେଟଲିଫିଟିଂ ହଲ ପରିସରରେ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ କ୍ରୀଡା ଓ ଯୁବସେବା ବିଭାଗର ଯୁଗ୍ମ ଶାସନ ସଚିବ ଶୈଳେନ୍ଦ୍ର କୁମାର ଜେନା ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବରେ ଓଡ଼ିଶା ଭାରୋତ୍ତୋଳନ ସଙ୍ଘର ସଭାପତି ଚିତ୍ତ ରଞ୍ଜନ ସ୍ୱାଇଁ, ସମ୍ପାଦକ ନାରାୟଣ ସାହୁ ଏବଂ କ୍ରୀଡା ଓ ଯୁବସେବା ବିଭାଗର ଅନୁ ଶାସନ ସଚିବ ରାଜେନ୍ଦ୍ର ପ୍ରସାଦ ପାଣିଙ୍କ ସମେତ ଆୟୋଜକ, କର୍ମକର୍ତ୍ତା ଓ ପ୍ରତିଯୋଗୀ ମାନେ ଉପସ୍ଥିତ ଥିଲେ।

 

ଓଡ଼ିଶା ଭାରୋତ୍ତୋଳନ ସଙ୍ଘ ଓ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଦୁଇ ଦିନ କଳିଙ୍ଗ ଷ୍ଟାଡିୟମ୍‌ ସ୍ଥିତ ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍‌ରେ ରାଜ୍ୟ ଭାରୋତ୍ତୋଳନ ପ୍ରତିଯୋଗିତା ୨୦୨୧ ଆୟୋଜିତ ହେଉଉଛି। ବୟସ ଅନୁଯାୟୀ ଉଭୟ ପୁରୁଷ ଓ ମହିଳା ଖେଳାଳୀମାନେ ଯୁବ, କନିଷ୍ଠ ଓ ବରିଷ୍ଠ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । କଳିଙ୍ଗ ଷ୍ଟାଡିୟମ ସ୍ଥିତ ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ର ସମେତ ବିଭିନ୍ନ ଜିଲ୍ଲାରୁ ୧୬୦ ଜଣ ପ୍ରତିଯୋଗୀ ଓ ୪୦ ଜଣ ବୈଷୟିକ ଅଧିକାରୀ ଏଥିରେ ଅଂଶଗ୍ରହଣ କରିବେ । ସମସ୍ତ ପ୍ରତିଯୋଗୀ, ସହାୟକ ଅଧିକାରୀଗଣ ଓ ଆୟୋଜନରେ ସଂଶ୍ଳିଷ୍ଟ ବ୍ୟକ୍ତିବିଶେଷଙ୍କ ଆର୍‌ଟିପିସିଆର୍‌ ମାଧ୍ୟମରେ କୋଭିଡ୍‌ ପରୀକ୍ଷଣକୁ ବାଧ୍ୟତାମୂଳକ କରାଯାଇଛି । ପ୍ରତିଯୋଗିତାକୁ ସୁଚାରୁରୂପେ ସମ୍ପାଦନ ପାଇଁ ସମସ୍ତଙ୍କ ରହିବା, ଖାଦ୍ୟପେୟ ଓ ପରିବହନ ଆଦିର ସୁବନ୍ଦୋବସ୍ତ ହୋଇଛି ।
ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଜାନୁଆରୀ ୨୦୨୨ରେ ଭୁବନେଶ୍ୱର ସ୍ଥିତ କିଟ ବିଶ୍ୱବିଦ୍ୟାଳୟରେ ଭାରତୀୟ ରାଷ୍ଟ୍ରୀୟ ଭାରୋତ୍ତୋଳନ ଫେଡେରେସନ, ଓଡ଼ିଶା ଭାରୋତ୍ତୋଳନ ସଙ୍ଘ, କିଟ ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ପ୍ରତିଯୋଗିତାରେ ଭାଗନେବା ପାଇଁ ଯୋଗ୍ୟତା ଅର୍ଜନ କରିବେ ।

Comments are closed.