ସାମାଜିକ ଦୂରତ୍ବ ମାର୍ଗଦର୍ଶିକା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସାରା ବିଶ୍ବବାସୀ କରୋନାର ପ୍ରଭାବକୁ ନେଇ ଚିନ୍ତିତ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ପାଇଁ ସୋମବାର ସାମାଜିକ ଦୂରତ୍ବ ସମ୍ପର୍କିତ ଏକ ମାର୍ଗଦର୍ଶିକା ଜାରି କରାଯାଇଛି। ଓଡ଼ିଶାରେ ଏହାର ସଫଳ ରୂପାୟନ ଲାଗି ରାଜ୍ୟ କୃଷି ଉତ୍ପାଦନ କମିସନର(ଏପିସି) ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

କରୋନାକୁ ନେଇ ସାଧାରଣ ଜନତା ଯେଭଳି ଆତଙ୍କିତ ନହୋଇ ନିଜକୁ ପ୍ରସ୍ତୁତ ରଖିବେ ଏବଂ ଜିଲା ପ୍ରଶାସନର ଭୂମିକା ଏକ୍ଷେତ୍ରରେ କ’ଣ ରହିବ ସେନେଇ ମାର୍ଗଦର୍ଶିକାରେ ପ୍ରଦୀପ୍ତ କୁମାର ମହାପାତ୍ର ସ୍ପଷ୍ଟ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକ ପରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଜିଲା ପ୍ରଶାସନ ପକ୍ଷରୁ ସାଧାରଣରେ ୧୪୪-ଧାରା ଭଳି ପଦକ୍ଷେପ ଜାରି କରା ନ ଯାଉ। ଜିଲାରେ ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୁଏ ତେବେ ସେକ୍ଷେତ୍ରରେ ସଂପୃକ୍ତ ଜିଲାପାଳ ସରକାରଙ୍କ ସହିତ ପରାମର୍ଶ କରି ଯାହା ପଦକ୍ଷେପ ନେଇପାରିବେ; ମାତ୍ର ଜିଲା ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ କୌଣସି ପ୍ରକାର କଟକଣା ଲଗାଯାଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏପିସିଙ୍କ ମାର୍ଗଦର୍ଶିକା ଅନୁଯାୟୀ ରାଜ୍ୟରେ ସବୁ ସପିଂ ମଲ୍‌, ତେଜରାତି ଦୋକାନ ଖୋଲା ରହିବ। ତେବେ ସପିଂ ମଲ୍‌ରେ ପ୍ରବେଶ ଓ ପ୍ରସ୍ଥାନ ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସପିଂ ମଲ୍‌ ପ୍ରବେଶ ବେଳେ ସଫାସୁତୁରା ହୋଇ ଯିବା ଏବଂ ବିନା କାର୍ୟ୍ୟରେ ଭିତରକୁ ନ ପଶିବାକୁ ବାରଣ କରାଯାଇଛି। ଏହାସହିତ ଆହାର କେନ୍ଦ୍ର, ଓମଫେଡ୍‌ ବୁଥ୍, କ୍ୟାଣ୍ଟିନ ଓ ରେସ୍ତୋରାଁକୁ ସାନିଟାଇଜ କରିବାକୁ ମଧ୍ୟ କୁହାଯାଇଛି। ଯାତ୍ରୀ ସେବା

ଯୋଗାଉଥିବା ବସଗୁଡିକ ସିଟ୍, ହ୍ୟାଣ୍ଡେଲ ଓ ଦୁଆର ଝରକାକୁ ସଫାସୁତୁରା ରଖିବେ। ସବୁ ଜିଲା ପ୍ରଶାସନ ପକ୍ଷରୁ କରୋନାର ମୁକାବିଲା ପାଇଁ ଏକ ନୋଡାଲ ଅଫିସର ନିଯୁକ୍ତ କରିବେ। ରାଜ୍ୟରେ ଯେତେ ସବୁ ଧାର୍ମିକ ଅନୁଷ୍ଠାନ ରହିଛି ସେସବୁରେ ଭକ୍ତମାନେ ନିର୍ଦିଷ୍ଟ ଦୂରତ୍ବ ରଖି ଦର୍ଶନ କରିପାରିବେ।

ସେ ଦର୍ଶାଇଛନ୍ତି ଯେ ଯଦି କୌଣସି କ୍ଷେତ୍ରରେ ବ୍ୟକ୍ତିବିଶେଷ କରୋନାର ଲକ୍ଷଣ ଥିବା ଅନୁଭବ କରିବେ ସେ କ୍ଷେତ୍ରରେ ତୁରନ୍ତ ଟୋଲଫ୍ରି ନମ୍ବ-୧୦୪ରେ ଯୋଗାଯୋଗ କରି ପରାମର୍ଶ ନେବେ। ବିଦେଶ ଫେରନ୍ତାମାନେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ସାଧାରଣ ଲୋକେ ଆଲିଙ୍ଗନ ଓ କର ମର୍ଦନ ନକରିବାକୁ ଏପିସି ପରାମର୍ଶ ଦେଇଛନ୍ତି। ଏହାସହିତ ପାରିବାରିକ ମିଳନ କାର୍ୟ୍ୟକ୍ରମରୁ ଦୂରେଇ ରହିବା, ବିବାହ ଓ ବ୍ରତ ଭଳି ବିଭିନ୍ନ ସାମାଜିକ କାର୍ୟ୍ୟକ୍ରମ ବେଳେ ୫୦ରୁ ଅଧିକ ଲୋକ ଏକତ୍ରିତ ନହେବା, କର୍ମକ୍ଷେତ୍ରରେ ମୁହାମୁହିଁ କଥା ନହେବା, ସ୍କୁଲ, କଲେଜ,ଜିମ୍, ସଂଗ୍ରହାଳୟ, ସିନେମାହଲ ଓ ସାମାଜିକ କାର୍ୟ୍ୟକ୍ରମ ବନ୍ଦ କରିବାକୁ ଦର୍ଶାଯାଇଛି। ଏହାସହିତ ଖେଳ, କୁଦ କାର୍ୟ୍ୟକ୍ରମ ବାତିଲ ସାଙ୍ଗକୁ କୋରିଅର କମ୍ପାନୀଗୁଡିକ ସେମାନଙ୍କ ସେବା ପ୍ରଦାନ ବେଳେ ଯଥେଷ୍ଟ ସତର୍କତା​‌ ଅବଲମ୍ବନ କରିବାକୁ ସେ ଦର୍ଶାଇଛନ୍ତି। ଏହାବାଦ୍ ଘରୋଇ କ୍ଲିନିକ ଓ ଘରୋଇ ହସ୍ପିଟାଲଗୁଡିକ ଏଦିଗରେ ସ୍ବତନ୍ତ୍ର ପଦକ୍ଷେପ ନେବା ସହିତ ବ୍ୟାଙ୍କ ଓ ପୋଷ୍ଟ ଅଫିସଗୁଡିକ ସଫାସୁତୁରା ରଖିବେ। ପ୍ରତି ଏଟିଏମ କାଉଣ୍ଟର ନିକଟରେ କରୋନା ସତର୍କତା ପୋଷ୍ଟର ଲଗାଇବା ସହିତ ଏଟିଏମ୍ କାଉଣ୍ଟର ପ୍ରତି ସମୟରେ ସାନିଟାଇଜ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏହାବାଦ୍ ଗାଁ ଓ ସହରରେ ଥିବା ହାଟ ଖୋଲା ରହିବ, ମାତ୍ର ବେପାର ବେଳେ ଲୋକେ ନିଜ ମଧ୍ୟରେ ନିର୍ଦିଷ୍ଟ ଦୂରତା ରଖି କିଣାବିକା କରିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା କେନ୍ଦ୍ର ଭିତରକୁ ଛାତ୍ରଛାତ୍ରୀମାନେ ସାନିଟାଇଜର ନେଇପାରିବେ ଏବଂ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ରରେ ସାନିଟାଇଜର ଓ ହାତସଫାର ବ୍ୟବସ୍ଥା କରିବା ସହିତ ନିଜ ମଧ୍ୟରେ ଏକ ମିଟର ଦୂରତ୍ବ ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.