ପ୍ରତିଶ୍ରୁତି ରଖିଲେନି ସରପଞ୍ଚ, ପାଣି ଟାଙ୍କି ଗୃହରେ ତାଲା ମାରିଲେ ମହିଳା

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆରେ ପାଣି ସମସ୍ୟା ନେଇ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କରିବାର ୧୫ ଦିନର ପ୍ରତିଶ୍ରୁତି ନ ରଖିବାରୁ ଆଜି ମହିଳା ମାନେ ପାଣି ଟାଙ୍କିର ଗୃହକୁ ତାଲା ମାରିଛନ୍ତି । କାଳିଆବେଡାସାହି, ଚତୁରିସାହି ଓ ଭାଲୁପାହାଡି ସାହିର ବାସିନ୍ଦା ପାଇପ ପାଣି ପାଉ ନଥିବାରୁ ସରପଞ୍ଚ ଗୋଲାପ ନାୟକଙ୍କୁ ଏକ ଲିଖିତ ଅଭିଯୋଗ ଦାବି ପତ୍ର ପ୍ରଦାନ କରିଥିଲେ । ସରପଞ୍ଚ ୧୫ ଦିନ ଭିତରେ ସମସ୍ତ ସାହିକୁ ପାଇପ ଯୋଗେ ପାଣି ଯୋଗାଇ ଦେବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ୧୫ ଦିନ ଭିତରେ କିଛି ସମାଧାନ ନ ହେଲେ ପାଣି ଟାଙ୍କି ଗୃହରେ ତାଲା ପକାଇବୁ ବୋଲି ଚେତାବନୀ ଦେଇଥିଲେ ।  ହେଲେ ୧୫ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନାହାନ୍ତି ସରପଞ୍ଚ। ଘଟଣାରେ ଉତ୍ତ୍ୟକ୍ତ ହୋଇ ମହିଳା ମାନେ ଆଜି ଏକତ୍ର ହୋଇ ପାଣିଟାଙ୍କି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କୁ ଯୋଗାଯୋଗ କରିବାରେ କିଛି ସୂଚନା ମିଳି ନଥିବା ଜଣାପଡ଼ିଛି ।

Comments are closed.