ପ୍ରବଣତାର ପ୍ରତିଧ୍ବନି

‘ଆଖି ନାହିଁ କାନ ନାହିଁ, ବାଜିଗଲେ ଦୋଷ ନାହିଁ’। ପିଲାଦିନ ଖେଳର ଏ ଗୋଟେ ‘ବୋଲି’। ଅନ୍ୟଠି ବାଡ଼େଇ ହୋଇଯିବାର ଦୁଷ୍ଟାମି ବା ଅସାବଧାନତାକୁ ଧର୍ତ୍ତବ୍ୟମୁକ୍ତ କରିବାକୁ, ଆଖି ନାହିଁ କାନ ନାହିଁ ଅବସ୍ଥାର ବୋଲି କହିଦେଲେ ସତରେ କିଏ ବା ଦୋଷ ଦେବ? କାହାଠି ଟିକିଏ ବାଡ଼େଇ ହୋଇଗଲେ କି ଝୁଣ୍ଟି ପଡ଼ିଗଲେ କଥା ସଇଲା। ଆଜିକାଲି ଏମିତି ଘଟଣାରେ ‘ବିଷ୍ଣୁ ବିଷ୍ଣୁ’ ବୋଲି କେହି କହୁନି। ‘ସରି’ ଇଂରାଜୀ ଶବ୍ଦଟା ବେଶ୍ କୁଳଉଛି। ତେବେ ଯେତେ ‘ସରି’ କହିଲେ ବି ଖିଙ୍କାରି ଶୁଣିବା ସାରା। ମାତ୍ର ଅନ୍ଧଟିଏ କୁଦିଦେଲେ ବି, ତାକୁ ଗାଳି ଦେଇହୁଏନି। ଏକୁ ଆଉ ଟିକିଏ ବଢ଼େଇ ଅନିଚ୍ଛାକୃତ ଅଜଣା ତ୍ରୁଟି ପାଇଁ ଦଣ୍ଡ ବିଧାନ ଟିକିଏ କୋହଳିଆ ହୋଇଥାଏ। ମାତ୍ର ୟାର ସୁବିଧା ବଦମାସିଆଗୁଡ଼ା ନେବାକୁ ଆରମ୍ଭ କରିଦେଇଛନ୍ତି। ଆଉ ଆଖି ଥାଇ, କାନ ଥାଇ, ବିିଚାର ବିବେକ ଥାଇ ଦୋଷ କଲେ ତାକୁ କିଏ କ୍ଷମା ଦେବ? ସେଇଥିପାଇଁ ଭାରତୀୟ ଦଣ୍ଡବିଧି ଆଇନରେ ଅପରାଧ ପଛରେ ଥିବା ମାନସିକତାର ତର୍ଜମା କରାଯାଏ। ଏକୁ ଇଂରାଜୀରେ ‘ମେନସିରିଆ’ କହୁଛନ୍ତି।

ପେଟ ବିକଳରେ ବେଲ ପାଇଁ ବୁଢ଼ୀ ମାରୁଥିବା ଢେଲା ମହାରାଜ ରଣଜିତ୍ ସିଂଙ୍କ ମୁଣ୍ଡରେ ବାଜିଲା। ଲୋକେ ପାଟିକଲେ, ‘‘ଭାରି ବେଲ ଖାଇଲାବାଲା’’। ଅସାବଧାନ ବୁଢ଼ୀକୁ ଦଣ୍ଡ ଦିଆଯାଉ। ମାତ୍ର ପ୍ରଶସ୍ତ ହୃଦୟର ଉଦାରମନା ମହାରାଜ ରଣଜିତ୍ ସିଂ ବୁଢ଼ୀର ଆଜୀବନ ଭୋଜନର ବ୍ୟବସ୍ଥା କରିଦେଲେ। ଲୋକଙ୍କୁ କହିଲେ, ‘ସାମାନ୍ୟ ବେଲଗଛଟେ ବୁଢ଼ୀର କ୍ଷୁଧା ନିବାରଣ କରିପାରୁଥିଲା ବେଳେ ମହାରାଜା ରଣଜିତ୍ ସିଂଙ୍କଠାରୁ କ’ଣ ଜେଲ୍ ଜୋରିମାନା ଝରିବ। ବେଲଗଛଟା କେମିତି ମୋଠୁ ଅଧିକ ଉଦାର ହୋଇପାରିବ’? ଇୟେ ଥିଲା ଗୋଟେ ବିଚାର।

ମହାଦାନୀ ସୂର୍ୟ୍ୟପୁତ୍ର କର୍ଣ୍ଣ ଧନୁର୍ବିଦ୍ୟା ଶିକ୍ଷା ପାଇଁ ପର୍ଶୁରାମଙ୍କ ପାଖୁ ଗଲେ। ବ୍ରାହ୍ମଣ ବ୍ୟତୀତ ସେ ତ ଆଉ କାହାକୁ ବିଦ୍ୟା ଶିକ୍ଷା ଦିଅନ୍ତିନି। ତେଣୁ କ୍ଷତ୍ରିୟ ବା ଶୂଦ୍ର କୁଳର କର୍ଣ୍ଣ କେମିତି ଏ ବିଦ୍ୟା ଲାଭ କରିପାରିବେ? ନିଜକୁ ବ୍ରାହ୍ମଣ ସନ୍ତାନ ପରିଚୟ ଦେଇ ବିଦ୍ୟା ଗୁରୁଙ୍କ ଠାରୁ ହାସଲ କରିନେଲେ। ମାତ୍ର ଧରାପଡ଼ିଲେ। ଗୁରୁଙ୍କୁ ମିଛ କହିଥିବା ଦୋଷରେ ଅଭିଶପ୍ତ ହେଲେ। ମହାଭାରତ ଯୁଦ୍ଧରେ ଏଇ ଅଭିଶାପରେ ବି ଅର୍ଜୁନଙ୍କଠାରୁ ପରାସ୍ତ ହୋଇଗଲେ। ଇୟେ କଦଳୀଟେ ଖାଇଦେଲା ଭଳି ମିଥ୍ୟାଚାର ନୁହେଁ, ଗୋଟେ ବ୍ୟବସ୍ଥା, ପ୍ରଥା ଓ ଶୃଙ୍ଖଳାର ବିରୁଦ୍ଧାଚରଣ। ଗୁରୁ ପର୍ଶୁରାମଙ୍କର ତା ଥିଲା ବିଚାର। ସୀତା ଲକ୍ଷ୍ମଣରେଖା ଡେଇଁଲେ କ’ଣ ମେଲୋଡ଼ି ଦେଖି ଯିବାକୁ ନା ବଣରେ ଲୁଚକାଳି ଖେଳ ଖେଳିବାକୁ? ଜଣେ ସନ୍ନ୍ୟାସୀଙ୍କୁ ଭିକ୍ଷାପ୍ରାପ୍ତିରୁ ନିରାଶ ନ କରିବାକୁ, ତାଙ୍କ ପ୍ରବଣତା, ଦୟାର୍ଦ୍ର ହୃଦୟ ଏ ରେଖା ଲଙ୍ଘିବାକୁ ପ୍ରବର୍ତ୍ତେଇଥିଲା। କ’ଣ ହେଲା ପରିଣତି? ରାବଣ ଦ୍ବାରା ଅପହୃତା ହେଲେ, ସାରା ଜୀବନ ତାଙ୍କର ହାହୁତାଶ ବନିଲା। ନୀତି ନିୟମ ଅର୍ଗଳ, ଆକଟକୁ ନମାନିଲେ ଫଳ ଏଇଆ ହେବ ହିଁ ହେବ। ତାକୁ ଯେତେ କାରଣ ଦେଇ ସାବ୍ୟସ୍ତ କରୁଥା’ ପଛେ। ଆଖି କାନ ଥିବା ଦୁର୍ଯ୍ୟୋଧନ, ଆଖି କାନ ଥିବା ବିବେକ ନ ଥିବା ଭଳି ଢେର ସରଳତା ଦେଖେଇ କୃଷ୍ଣଙ୍କୁ କହିଲେ, ‘ଜାନାମିଧର୍ମଂ ନ ଚ ମେ ପ୍ରବୃତ୍ତି, ଜାନାମ୍ୟ ଧର୍ମଂ ନ ଚ ମେ ନିବୃତ୍ତି, ତ୍ବୟା ହୃଷୀକେଶ, ହୃଦିସ୍ଥିତେନ, ଯଥା ନିଯୋକ୍ତୋଽସ୍ମି ତଥା କରୋମି’ ଅର୍ଥାତ୍, ‘ହେ କୃଷ୍ଣ! ଧର୍ମ କ’ଣ ଜାଣେନି, ସେଥିପାଇଁ ସେଥିକୁ ପ୍ରବୃତ୍ତି ହେଉନି। ସେମିତି ଅଧର୍ମ କ’ଣ ବୁଝିନି, ତେଣୁ ସେଥିରୁ ନିବୃତ୍ତି ପ୍ରଶ୍ନ କାହିଁ ଉଠୁଛି?’ ସତରେ ଅବୋଧ ବାଳକର ନିଷ୍ପାପ ସରଳତାର ଇୟେ ଏକ କଥା। ମାତ୍ର ସତରେ ସେ କ’ଣ ତା’ ଥିଲେ। ତେଣୁ ପରିଣତି ତ ଅଗ୍ରେ ଧାବତି ଧାବତି।

ଫେଣେଇ କଥା କହିବା, ପ୍ରବଚନ ଦେବା କାହାକୁ ଅଜଣା? ତେବେ ବିଧାତା ବା ଭାଗ୍ୟ ବଙ୍କା ହେଲେ ବିବେକ ଢକ୍ ଧରିଥାଏ। ମାତ୍ର ବିବେକ ଓଲିଆ ହେଲେ, ଭାଗ୍ୟ ବିପର୍ୟ୍ୟୟ ହୁଏ, କି ଦଶା ପଡ଼ିଲେ ବୁଦ୍ଧି ଭ୍ରଷ୍ଟ ହୁଏ, ଇୟେ ଏକ ଗହୀରା, ଅସମାହିତ ପ୍ରଶ୍ନ। କବିଚନ୍ଦ୍ର ଭୁବନେଶ୍ବର ତାଙ୍କ ରୁକ୍ମିଣୀ ପରିଣୟ ମହାକାବ୍ୟରେ ଲେଖିଛନ୍ତି, ‘ବକ୍ରେ ବିଧାତରି ବିବେକବତୋପିଚେତୋ, ବୃତ୍ତିବିପର୍ୟ୍ୟୟ ମୁପୈତି ନ ଚାତି ଚିତ୍ରଂ, ସ୍ତ୍ରୀ ନିର୍ଜିତୋଦଶରଥଃ ସୁତମଗ୍ରଜରତମ୍ ପ୍ରଚୋଦୟାତ୍ଖଳୁନୃପାସନୋତବନାୟ’। ବିଧାତା ବକ୍ର ନୋହିଥିଲେ କି ଅବିବେକୀ ଭଳି କାଲି ରାଜା ହେବାକୁ ଥିବା ରାମଙ୍କୁ ଦଶରଥ ବଣକୁ ପଠାଇଥାନ୍ତେ? ତେବେ ସଂସାର ଯେ ଏକ ନିର୍ଦିଷ୍ଟ ନୀତିନିୟମରେ ଚାଲିଛି ଏକୁ ତେଢ଼ି ହେବନି। ମାତ୍ର କ୍ରମ ଥିଲେ ତ ବ୍ୟତିକ୍ରମ ଥିବ। ତେବେ ବ୍ୟତିକ୍ରମ କି ନିୟମ? ବ୍ୟତିକ୍ରମ ତ ଉଦାହରଣ ବା ନଜିର ବି ଆଦୌ ନୁହଁ। ମାତ୍ର ବଦମାସିଆଗୁଡ଼ା କାଳେ କାଳେ ଏମିତି ନଜିର ଦେଇ ସଜମାଛରେ ପୋକ ପକେଇଥାନ୍ତି। ସ୍ବାମୀର ବିନାନୁମତିରେ, ବାପ ଘରେ ଦୀର୍ଘଦିନ ରହିଥିବା ରଜକୀ କେମିତି ସୀତାଙ୍କ ରାବଣ ଘରେ ରହିବା ଉଦାହରଣ ଦେଇଥିଲା?

ଏ ଯୁଗକୁ ଜଘନ୍ୟ ଅପରାଧମାନ ଏମିତି ଘଟୁଛି ଯେ ଲୋକେ ଆଉ ୟା ପଛରେ ଥିବା ମନ, କାରଣକୁ ଘେନୁ ନାହାନ୍ତି। ସଖୀଟେ ସୀତାଙ୍କୁ ରାବଣ କେମିତି ବୋଲି ପଚାରିଲା। ସୀତା କହିଲେ, ‘ଆଲୋ ମୁଁ କ’ଣ ସେ ରାକ୍ଷସ ମୁହଁକୁ ଚାହିଁଛି ଯେ ତତେ ବର୍ଣ୍ଣନା କରିବି?’ ତେବେ ପୁଷ୍ପକ ବିମାନ ସମୁଦ୍ର ଉପରେ ସେ ମୋତେ ଜବରଦସ୍ତ ନେଇଯାଉଥିବା ବେଳେ ସମୁଦ୍ର ପାଣିରେ ତା’ ମୁହଁ ଦେଖିଥିଲି। ସେଇଥିରୁ ଅନୁମାନ କରି ଖଡ଼ିରେ ରାବଣର ଚିତ୍ର ଆଙ୍କିଦେଲେ। ଅନ୍ତଃସତ୍ତ୍ବା ଥିଲେ, ଅଳସରେ ସେଇ ଚଟାଣରେ ସେ ସେଇଠି କେତେବେଳେ ଶୋଇପଡ଼ିଛନ୍ତି। ମନ୍ଥରା ଅନ୍ତୁଡ଼ିଶାଳ ତ ଥିଲା ଅଯୋଧ୍ୟା ରାଜନଅର। ଜଣେ କିଏ ଦୁଷ୍ଟବୁଦ୍ଧିର ପରିଚାରିକା ଶ୍ରୀରାମଙ୍କୁ ଦେଖେଇଦେଲା। କହିଲା, ‘ମା’ ରାବଣକୁ ମନେ ପକେଇ ଏ ଛବିକରି ତା’ରି ଉପରେ କେମିତି ଶୋଇପଡ଼ିଛନ୍ତିଲୋ ମା’।’ ସୀତାପ୍ରାଣ ଶ୍ରୀରାମ ତାଙ୍କୁ ବୁଝିଥିଲେ ସିନା, ମାତ୍ର ସୀତାଙ୍କ ଏମିତି ଆଉ ଏକ ଅସାବଧାନତାକୁ ସେ ଗ୍ରହଣ କରିପାରି ନ ଥିଲେ। ମନରେ ଗମରା ଧରୁଥିବା ଏକଥା ସହ ରଜକୀ କଥା ମିଶିଯିବାରୁ ନିଷ୍ପାପ ସୀତା ବନବାସୀ ହେଲେ। ତେଣୁ ଦୋଷ ତମାଦି ଯୋଗ୍ୟ ଆଦୌ ନୁହଁ। ମାତ୍ର ଦୋଷଦ୍ରଷ୍ଟାଗୁଡ଼ା ନୀତିନୈତିକତା ଧ୍ବଜାଧାରୀ ଆ‌େଦୗ ବି ନୁହନ୍ତି। ସେମାନେ ‘ନଇଁ ପଡ଼ିଥିବା ବେଳେ ବିଧାଏ ମାରିବ ବଳେ’ ଦଳିଆ।

ପୁଣ୍ୟାତ୍ମା, ପୁଣ୍ୟଶ୍ଳୋକ ଗୋପବନ୍ଧୁଙ୍କ ସ୍ମୃତିର କର୍ମର ଜୀବନ୍ତ ପ୍ରହରୀ ‘ସମାଜ’ରେ ତାଙ୍କ ଜନ୍ମଦିନରେ ଶୀର୍ଷରେ ଦିଆଯାଇଥିବା ଏକ ପୁଷ୍ପଗୁଚ୍ଛ ସମ୍ବଳିତ ଫଟୋଚିତ୍ର ପ୍ରକାଶ ପାଇଥିଲା। ତା’ ତଳକୁ ଏକ ଜୋତା କମ୍ପାନୀର ବିଜ୍ଞାପନରେ ଜୋତା ଚପଲର ଛବି ପ୍ରକାଶିତ ହୋଇଥିଲା। ଏମିତି ପୃଷ୍ଠାଟା ଅରୁଚିକର ଓ ଅସମ୍ମାନଜନକ ମନେହେଲା। ‘ସମାଜ’ ଖବରକାଗଜର କୋଉ କର୍ମକର୍ତ୍ତା କି କର୍ମଚାରୀ ଗୋପବନ୍ଧୁଙ୍କୁ ଏମିତି ଅସମ୍ମାନ କରିବା ଚାହିଁବେ? ଆଦୌ ନୁହଁ। ତେବେ ଏହାକୁ ଗୁରୁତର ଅପରାଧ ଭାବେ ସ୍ବୀକାର କରି ସମ୍ପାଦକ ନିଃସର୍ତ୍ତ କ୍ଷମା ଭିକ୍ଷା କରିବା ଯଥାର୍ଥ ହୋଇଛି। ଏହାର ପୁନରାବୃତ୍ତି ନ ହେବାର ଦୃଢ଼ ପ୍ରତିଶ୍ରୁତି ବି ଦିଆଯାଇଛି। ମାତ୍ର ବିସ୍ମିତ ହେବାକୁ ହୋଇଛି କେତେକ ବ୍ୟକ୍ତିଙ୍କ ତୀବ୍ର ଅସୌଜନ୍ୟ ପ୍ରତିକ୍ରିୟା।

‘ସମାଜ’ ଖବରକାଗଜ ତା’ର ମୂଲ୍ୟ, ଅନ୍ୟମାନଙ୍କର ବୃଦ୍ଧି ସତ୍ତ୍ବେ ସାଧାରଣ ଜନତାଙ୍କ ପାଇଁ ବଢ଼ାଇ ନାହିଁ। ଏଥକୁ କେତେ ତାରିଫ ମଜୁରା ହୋଇଛି? ମଦ ଆଦି ନିଶା, ଯୌନୋଦ୍ଦୀପକ ଆକର୍ଷଣୀୟ ଦରର ବିଜ୍ଞାପନ ‘ସମାଜ’ ଛାପୁନାହିଁ। ଜୋତା ବିଜ୍ଞାପନରୁ ବାରବର୍ଷର ତପସ୍ୟା ଶୁଖୁଆପୋଡ଼ାରେ ଗଲା ପରି ତା’ ତ୍ୟାଗ, ଲଢ଼େଇ ପାଣି ଫାଟିଗଲା। ଏଥିପାଇଁ ଯେ ‘ସମାଜ’କୁ ଆଗେଇ ନେବାକୁ କାନ୍ଧମାନେ କାନ୍ଧ ଖସେଇଦେବେ ତା’ ନୁହଁ। ପୁଣ୍ୟଶ୍ଳୋକ ଗୋପବନ୍ଧୁଙ୍କ ଏ ଜନ୍ମତିଥିକୁ ଆଉ କୋଉ ସମ୍ବାଦପତ୍ର କେତେ ପାଳିଛନ୍ତି ତା’ର ସମୀକ୍ଷା କାଇଁ? ଛାଡ଼ନ୍ତୁ ସେକଥା। ପାଠକ, ‘ସମାଜ’ପ୍ରେମୀମାନଙ୍କ ଏ ଆବେଗକୁ ଆମେ ମହୌଷଧୀ ପରି ଗ୍ରହଣ କରୁଛୁ। ସୀତା ରାବଣ ଚିତ୍ର ଆଙ୍କି ଚଟାଣରେ ଶୋଇପଡ଼ିବାକୁ, ସୀତା ରାବଣ ପାଖେ ଶୋଇବା ଚାହୁଁଛନ୍ତି କହିବା ଲୋକର ଜିଭ ସେ ଯୁଗରେ ତ ଛିଡ଼ିନଥିଲା, ଏ ଯୁଗ କଥାକୁ ପଚାରେ କିଏ?

‘ସମାଜ’ ଖବରକାଗଜରେ ସବୁତକ ଚାକେରିଆ, ପେଟପୋଷାଳି ନୁହନ୍ତି। ଢେର ପ୍ରବଣତା ଥିବା ବହୁ କର୍ମଚାରୀ ବି ଅଛନ୍ତି। ସେଦିନ ପୃଷ୍ଠା ବସାଇଥିବା ଲୋକର ଆଖିର ଲୁହରୁ ବାରିହୋଇ ପଡ଼ୁଥିଲା ତା’ ନିର୍ଦୋଷତା। ମାତ୍ର ତା’ର କାଣ୍ଡଜ୍ଞାନ ନ ଥିବାକୁ କୋଉ ଏଡ଼େଇହେବ? ଏଥିପାଇଁ ମଜୁରା ଦେବାକୁ ହିଁ ହେବ। ତା’ପରେ ‘ସମାଜ’ ଖବରକାଗଜର ପ୍ରାଣ, ପୃଷ୍ଠପୋଷକ ଏ ଓଡ଼ିଆ ଜନତାଙ୍କ ପ୍ରବଣତାର ପ୍ରତିଧ୍ବନି, ପ୍ରତିକ୍ରିୟା କୋଉ କାନ୍ଧୁଆଳିଙ୍କୁ ବିଦ୍ଧ ନକରିବ? ଜଣେ କହିଲେ, ‘ଆଉ କୋଉ କାଗଜ ହୋଇଥିଲେ କିଆଁ କୁହନ୍ତୁ, ‘ସମାଜ’ ବୋଲି ବାଡ଼େଇ ପିଟି ଲାଗୁଛି।’ ସତରେ ତାଙ୍କର ପ୍ରତିବାଦ ଆମକୁ ନିର୍ବାକ୍ କରିଦେଇଛି। ‘ସମାଜ’ର ଯେ କୋଟିଏ ମୁରବି ଅଛନ୍ତି, ତା’ ବୁଝିହେଉଛି। ଅବଶ୍ୟ ଏହାର ପ୍ରସାର ସଂଖ୍ୟା ଏଥିରେ ଯୋଡ଼ିଲେ ଟିକିଏ ଅଡ଼ୁଆ ଲାଗିବ। ଗ୍ରାହକେ ବଢ଼ୁଛନ୍ତି କାଇଁ? ଛାଡ଼ନ୍ତୁ ସେ କଥା। ଏଇ ଘଟଣାରେ, ଏଇ ମଉକାରେ ‘ସମାଜ’କୁ ନୁଆଁଇ ଦେବାର ଏକ ଭିନ୍ନ ପ୍ରୟାସକୁ ଗୋପବନ୍ଧୁ କୋଉ ସହିବେ? ସେ ଯାହା ହେଉ, କାହାର କେଉଁ ଭାବ ଥାଉ ପଛେ, ଆମକୁ ତାଗିଦା, ଆମ ଉପରେ ଅଭିମାନ, ଆମକୁ ଗାଳି, ଆମ ପାଇଁ ମାହାର୍ଦ, ମହାପ୍ରସାଦ।

ଏମିତି ଛାଟ ଧରନ୍ତୁ ପଛେ ଆମକୁ ପର କରନ୍ତୁନି। ଇଏ ପରା ଗୋପବନ୍ଧୁଙ୍କ ନିର୍ମାଲ୍ୟ।

Comments are closed.