କୃଷକ ଆନ୍ଦୋଳନ ଓ କୃଷି ଆଇନ-୨୦୨୦

ପଞ୍ଜାବ ଓ ହରିୟାଣାର ୩୨ଟି କୃଷକ ସଙ୍ଗଠନ ପକ୍ଷରୁ ଦେଶର ରାଜଧାନୀ ନୂଆଦିଲ୍ଲୀର ପ୍ରବେଶପଥରେ ଆରମ୍ଭ କରାଯାଇଥିବା ଆନ୍ଦୋଳନ ଅଭୂତପୂର୍ବ। ଦିଲ୍ଲୀର ହାଡ଼ଭଙ୍ଗା ଶୀତରେ ଚାଲିଥିବା କୃଷି ଆଇନ ୨୦୨୦ ବିରୁଦ୍ଧରେ ଆନ୍ଦୋଳନ ଏବେ କେନ୍ଦ୍ର ସରକାରଙ୍କ ପାଇଁ ଏକ ଆହ୍ୱାନ ହୋଇଯାଇଛି। ଯେହେତୁ ଏହି ଆନ୍ଦୋଳନରେ କୌଣସି ରାଜନୈତିକ ଦଳର ସିଧାସଳଖ ସମ୍ପୃକ୍ତି ନାହିଁ, ତେଣୁ ସ୍ୱଭାବ ସୁଲଭ ଢଙ୍ଗରେ ବିରୋଧ କରିବା ପାଇଁ ବିରୋଧୀଙ୍କ ଏହା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଶାସକ ଦଳର ନେତାମାନେ କହିବାର କୌଣସି ସୁଯୋଗ ମଧ୍ୟ ନାହିଁ। ଗୃହମନ୍ତ୍ରୀ ଅମିତ ଶାହା ନିଜେ ଏ କଥା ସ୍ୱୀକାର ମଧ୍ୟ କରିଛନ୍ତି ଯେ ଏହି କୃଷକ ଆନ୍ଦୋଳନ ରାଜନୈତିକ ପ୍ରରୋଚିତ ନୁହେଁ; କିନ୍ତୁ ତା ସତ୍ତ୍ବେ କୃଷକମାନଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବେଳେ ସେମାନଙ୍କ ଉପରେ ପାଣିମାଡ଼, ଲାଠିଚାର୍ଜ ଆଦି କରାଯିବା କୃଷକଙ୍କୁ ଆହୁରି ଉତ୍‍କ୍ଷିପ୍ତ ଓ ଉତ୍ତେଜିତ କରିଛି। ସବୁଠାରୁ ରୋଚକ କଥା ହେଲା ଯେ, ଏହି ଆନ୍ଦୋଳନ କେବଳ ବୁରାରି ଗ୍ରାଉଣ୍ଡରେ କରାଯିବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିବା ବେଳେ ଆନ୍ଦୋଳନକାରୀ ନେତାମାନେ ଏହାକୁ ପ୍ରତ୍ୟାଖ୍ୟାନ କରି କେନ୍ଦ୍ର ଦିଲ୍ଲୀରେ କରିବାକୁ ଜିଦ୍‍ ଧରି ବସିଛନ୍ତି। ସରକାରଙ୍କ ପକ୍ଷରୁ ମନ୍ତ୍ରିଗୋଷ୍ଠୀ ଓ କୃଷକଙ୍କ ମଧ୍ୟରେ ପାଞ୍ଚଥର ବୈଠକ ହୋଇଥିଲେ ହେଁ ତାହା ନିଷ୍ଫଳ ହୋଇଛି। ଭାରତର ୬୨ କୋଟି କୃଷକଙ୍କ ପାଇଁ ଏହି କୃଷି ଆଇନ-୨୦୨୦ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ସବୁ ବର୍ଗର ଚାଷୀଙ୍କୁ ସେମାନଙ୍କ ସୁଯୋଗ ଓ ଅଧିକାର ପ୍ରଦାନ ନିମିତ୍ତ ଏହା ଉଦ୍ଦିଷ୍ଟ ବୋଲି ସରକାର ସଫେଇ ଦେଉଥିବାବେଳେ ଏତେ ସଂଖ୍ୟକ ଚାଷୀ ଓ କୃଷକ ସଙ୍ଗଠନ ଏହି ଆନ୍ଦୋଳନ କରିବା ସମ୍ପର୍କରେ ଚର୍ଚ୍ଚାର ଆବଶ୍ୟକତା ଅଛି।

ଇତିହାସର ପୃୃଷ୍ଠା ଓଲଟାଇଲେ କୃଷକ ଆନ୍ଦୋଳନ କ୍ଷେତ୍ରରେ ଭାରତର ଏକ ସୁଦୀର୍ଘ ଇତିହାସ ରହିଛି। କେବେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ ଓ ଗୁଜରାଟର ଜମିଦାରମାନଙ୍କ ବିରୁଦ୍ଧରେ ସେମାନଙ୍କ ଅତ୍ୟାଚାରକୁ ବିରୋଧ କରି ଆନ୍ଦୋଳନ ହୋଇଛି ତ କେବେ ପୁଣି ସରକାରଙ୍କ ସିଦ୍ଧାନ୍ତକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀମାନେ। ମାର୍କସବାଦୀ ଓ ସମାଜବାଦୀଙ୍କ ଦ୍ୱାରା ତେଲଙ୍ଗାନା ଆନ୍ଦୋଳନ (୧୯୪୬-୫୧), ତେଭାଗା ଆନ୍ଦୋଳନ (୧୯୪୬), କାଗଡୁ ସତ୍ୟାଗ୍ରହ (୧୯୫୧), ନକ୍ସଲବାଦୀ ଆନ୍ଦୋଳନ (୧୯୬୭) ତଥା ୨୦୦୯ର ଲାଲଗଡ଼ ଆନ୍ଦୋଳନ ମଧ୍ୟ ଏ ଦିଗରେ ଗୋଟିଏଗୋଟିଏ ମାଇଲଖମ୍ବ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୧୭ର ଚମ୍ପାରଣ ସତ୍ୟାଗ୍ରହ, ଖେଡ଼ା କୃଷକ ଆନ୍ଦୋଳନ, ଗୁଜରାଟର ବର୍ଦ୍ଦୋଳି ଆନ୍ଦୋଳନ ଓ ମାଲବାରର ମୋପ୍ଳା ଆନ୍ଦୋଳନ ମଧ୍ୟ ଭାରତରେ ଚାଷୀ ବିଦ୍ରୋହର ଗୋଟିଏଗୋଟିଏ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ଚାଷ କ୍ଷେତରେ କାମ କରୁଥିବା ଶ୍ରମିକମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ନ ଦେଇ ୟୁରୋପୀୟମାନେ ଯେପରି ଖଟାଉଥିଲେ, ତା ବିରୋଧରେ ଶ୍ରମଜୀବୀ କୃଷକଙ୍କୁ ଠିଆ କରାଇ ସେମାନଙ୍କ ଉଚିତ ପ୍ରାପ୍ୟ ପାଇବା ଥିଲା ଚମ୍ପାରଣ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ। ଭୂମି କର ବୃଦ୍ଧି, ନୀଳଚାଷ ପାଇଁ ଉର୍ବର ଜମିର ବ୍ୟବହାର ପାଇଁ ବାଧ୍ୟ କରିବା ତଥା ଇଂରେଜଙ୍କ ଅତ୍ୟାଚାର ମଧ୍ୟ ଏହି ବିଦ୍ରୋହର ଗୋଟିଏଗୋଟିଏ କାରଣ। ୧୯୧୯ର ଏହି ଆନ୍ଦୋଳନର ଅନ୍ତିମ ଭାଗରେ ଚୌରିଚୌରା ଘଟଣା ଅବଶ୍ୟ ଏକ ଦୁଃଖଦ ପରିଣତି ଥିଲା, ତେବେ କୃଷକମାନଙ୍କ ମନୋବଳକୁ ଏହା ବହୁଗୁଣିତ କରିଥିଲା ଓ ଇଂରେଜ ସରକାର ଏଥିରେ ମଥାନତ କରି ଚମ୍ପାରଣ କୃଷି ଆଇନ ପାସ କରିଥିଲେ। ଖେଡ଼ା ଆନ୍ଦୋଳନ ମୁଖ୍ୟତଃ ପଟିଦାରମାନେ କରିଥିଲେ, ଯେଉଁମାନେ ଧୂଅାଁପତ୍ର ଓ କପାଚାଷରେ ବେଶ୍‌ ଅଭିଜ୍ଞ ଥିଲେ। ଦୁର୍ଭିକ୍ଷ ସତ୍ତ୍ବେ ସରକାର ଖେଡ଼ାର ଚାଷୀମାନଙ୍କ ଉପରେ ଭୂମି କର ଜୋର ଜବରଦସ୍ତ ଲଦିବା ଦ୍ୱାରା କୃଷକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଗାନ୍ଧିଜୀ, ସର୍ଦାର ପଟେଲ ଓ ଏନ୍‍.ଏମ୍‍.ଯୋଶୀ ପ୍ରମୁଖଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ମଧ୍ୟ ସଫଳ ହୋଇଥିଲା। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଭୂକର ଛାଡ଼ କରାଯାଇଥିବାରୁ ଅଧିକାଂଶ କୃଷକ ଆନନ୍ଦିତ ହୋଇଥିଲେ।

ବର୍ଦ୍ଦୋଳିର କୃଷକ ଆନ୍ଦୋଳନ ଭାରତ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ୧୯୨୫ର ଏହି ଆନ୍ଦୋଳନ ମଧ୍ୟ ସେହି ଭୂମିକରକୁ ନେଇ ସୂତ୍ରପାତ ହୋଇଥିଲା। ଗୁଜରାଟର ବର୍ଦ୍ଦୋଳି ତାଲୁକରେ ଭୀଷଣ ବନ୍ୟା ଓ ଦୁର୍ଭିକ୍ଷରେ କୃଷି କ୍ଷେତ ଉଜୁଡ଼ି ଯାଇଥିବାବେଳେ ବମ୍ବେ ପ୍ରେସିଡେନ୍ସି କରଛାଡ଼ କରିବା ପରିବର୍ତ୍ତେ ୩୦ ଶତକଡ଼ା ଭୂକର ବୃଦ୍ଧି କରିବା ନେଇ ତୀବ୍ର ଅସନ୍ତୋଷ ପ୍ରକଟିତ ହୋଇଥିଲା କୃଷକଙ୍କ ମଧ୍ୟରେ। ବହୁ ନିବେଦନ ଓ ଆବେଦନ ନିଷ୍ଫଳ ହେବାପରେ ଖେଡ଼ା ସତ୍ୟାଗ୍ରହରେ ସଫଳତା ପାଇଥିବା ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱ ପାଇଁ କୃଷକନେତା ନରହରି ପାରିଖ, ରବିଶଙ୍କର ବ୍ୟାସ ଓ ମୋହନଲାଲ ପାଣ୍ଡ୍ୟା ପ୍ରମୁଖ ତାଙ୍କୁ ନିବେଦନ କଲେ; କିନ୍ତୁ ପଟେଲଙ୍କ ନିବେଦନକୁ ମଧ୍ୟ ବମ୍ବେ ପ୍ରେସିଡ଼େନ୍‍ସିର ଗଭର୍ଣ୍ଣର ପ୍ରତ୍ୟାଖ୍ୟାନ କଲେ ଓ ଓଲଟି ତୁରନ୍ତ ଟିକସ ଆଦାୟ ପାଇଁ କର୍ମଚାରୀଙ୍କୁ ନିର୍ଦେଶ ଦେଲେ। ସର୍ଦାର ପଟେଲ ଏପଟେ କୃଷକଙ୍କୁ ଟିକସ ଦେବାକୁ ମନା କରିଦେଲେ। ସରକାର ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ଶହଶହ ଟିକସ ଆଦାୟକାରୀଙ୍କୁ ନିଯୁକ୍ତ କଲେ। ସେମାନେ ଯାଇ କୃଷକମାନଙ୍କ ଘର ଉପରେ ଚଢ଼ାଉ କରି ଗୃହପାଳିତ ପଶୁ ତଥା ଧନ ସମ୍ପତ୍ତି ଲୁଟ କରିନେଲେ। ଏପରିକି ଘର ଓ ଜମି ନିଲାମ କରିବାକୁ ମଧ୍ୟ ସରକାର ଆୟୋଜନ କଲେ। ତେବେ ସର୍ଦାରଙ୍କ ନିଷ୍ପତ୍ତି ଅନୁସାରେ ଗୁଜରାଟ ବା ମହାରାଷ୍ଟ୍ରର କୌଣସି ବ୍ୟକ୍ତି ଏହି ନିଲାମରେ ଅଂଶଗ୍ରହଣ କଲେ ନାହିଁ ବା ଡାକରା ଧରିଲେ ନାହିଁ। ସ୍ବେଚ୍ଛାସେବୀଙ୍କୁ ଗାଁ ଗାଁରେ ନିଯୁକ୍ତ କରାଗଲା। ସରକାରୀ କର୍ମଚାରୀ ଗାଁରେ ପହଞ୍ଚିବା ପୂର୍ବରୁ ସେମାନେ ଖବର କରିଦେଲେ ଗ୍ରାମବାସୀଙ୍କୁ। ଗାଁ ଲୋକେ ଘରଦ୍ୱାର ଛାଡ଼ି ଜଙ୍ଗଲରେ ଲୁଚିଲେ। ଶେଷରେ ସରକାର ମଥାନତ କଲେ ଓ ଜବତ ଧନସମ୍ପତ୍ତି ଫେରସ୍ତ ଦେବା ସହ ୩୦ ଶତକଡ଼ା ଭୂକର ବୃଦ୍ଧି ମଧ୍ୟ ରଦ୍ଦ ହେଲା।

କେରଳର ମାଲାବାର ଅଞ୍ଚଳରେ ୧୯୨୧ରେ ହୋଇଥିବା ଆନ୍ଦୋଳନ ମୁସଲମାନ କୃଷକଙ୍କ ପକ୍ଷରୁ ସରକାର ଓ ହିନ୍ଦୁ ଜମିଦାରଙ୍କ ବିପକ୍ଷରେ ହୋଇଥିଲା। ଅଧିକ କର, ନବୀକରଣ ଫିସ୍‍ ତଥା ଅନ୍ୟାନ୍ୟ କାରଣ ପାଇଁ ଏହା ସୂତ୍ରପାତ ହୋଇଥିଲା। ଜେନ୍‍ମିସ କୁହାଯାଉଥିବା ଜମିଦାର ଓ କୃଷକ ମୋପଲାମାନଙ୍କ ଭିତରେ ଥିବା ଦୀର୍ଘଦିନର ତିକ୍ତ ସମ୍ପର୍କର ଏହା ପରିପ୍ରକାଶ ଥିଲା। ପ୍ରଥମ ବିଶ୍ୱଯୁଦ୍ଧ ପରେ ଇଂରେଜମାନେ ଦୁର୍ବଳ ଥିବା ସହ ଖିଲାଫତ ଆନ୍ଦୋଳନରୁ ସହଯୋଗ ପାଇଁ ଏହି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ତେବେ ଏଥିରେ ସାମ୍ପ୍ରଦାୟିକତା ସୃଷ୍ଟି ହେବା ସହ ହିଂସାତ୍ମକ ଉପାୟର ଅବଲମ୍ବନ ହୋଇଥିବାରୁ ପୁଲିସ ଏହି ସୁଯୋଗ ନେଇ ଗୁଳିଚାଳନା କରି ବହୁ ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଥିଲେ। ଆନ୍ଦୋଳନକାରୀଙ୍କ ହିଂସାତ୍ମକ ଓ ସାମ୍ପ୍ରଦାୟିକ ଆଚରଣ ପାଇଁ ଏହା ଜନସମର୍ଥନ ନ ପାଇ ଶେଷରେ ସମାପ୍ତ ହୋଇଯାଇଥିଲା।

ସେହିପରି ୧୯୪୬ର ତେଲଙ୍ଗାନାରେ ମୁଣ୍ଡ ଟେକିଥିବା କୃଷକ ଆନ୍ଦୋଳନ ପଛରେ ଦୀର୍ଘଦିନର ଅତ୍ୟାଚାର ହିଁ କାରଣ। ଜାଗିରଦାରୀ ପ୍ରଥା ଅନୁସାରେ ନିଜାମଙ୍କ ଦ୍ୱାରା ନିଯୁକ୍ତ ଜାଗିରଦାର ଓ ଏଜେଣ୍ଟମାନେ କ୍ଷୁଦ୍ର ଚାଷୀଙ୍କ ଉପରେ ନିର୍ମମ ଭାବେ ନିର୍ଯାତନା ଦେଉଥିଲେ। ସେମାନେ କୃଷକଙ୍କଠାରୁ ବିବିଧ ପ୍ରକାର ଟିକସ ଆଦାୟ କରୁଥିଲେ। ୧୯୪୯ ମସିହାରେ ଜାଗିର ପ୍ରଥା ଉଚ୍ଛେଦ ପର୍ଯ୍ୟନ୍ତ ଏହା ଚାଲିଥିଲା। ସେହିପରି ଖାଲସା ବା ରୟତବାରି ପ୍ରଥାରେ ଟିକସ ସଂଗ୍ରାହକ ଦେଶମୁଖ ଓ ଦେଶପାଣ୍ଡେମାନେ ଜମି କାଗଜପତ୍ରରେ ଠକେଇ କରିବା ସହ କୃଷକମାନଙ୍କୁ ମିଛ କହି ଦହଗଞ୍ଜ କରୁଥିଲେ। ଉଭୟ ପ୍ରଥାରେ ହଜାରହଜାର ଏକର ଜମି ହଡ଼ପ କରିଥିବା ଏହି ଜମିଦାରମାନଙ୍କୁ ‘ଡୋରା’ କୁହାଯାଉଥିଲା। ସିପିଆଇ ପକ୍ଷରୁ ଏହି ଆନ୍ଦୋଳନର ନେତୃତ୍ୱ ନିଆଯାଉଥିବାବେଳେ ପ୍ରଫେସର ଏନ୍‍.ଜି. ରଙ୍ଗା ଏହାର ଦିଗ୍‍ଦର୍ଶନ ଦେଉଥିଲେ। ୫୦୦୦ ଗରିଲା କୃଷକ ସୈନ୍ୟ ଜମିଦାରଙ୍କୁ ଅନେକ ସ୍ଥାନରେ ମାରିଦେଲେ ବା ତଡ଼ିପାର କରିଦେଲେ। ୧୫୦୦୦ ବର୍ଗ ମାଇଲରେ କିଛି ବର୍ଷ ଧରି ସଶସ୍ତ୍ର କୃଷକଙ୍କ ଶାସନ ଚାଲିବା ବିଶ୍ୱ ଇତିହାସରେ ଏକ ଅଭିନବ ଅଧ୍ୟାୟ ଥିଲା, ତେବେ ଏଥିରେ ୨୫୦୦୦ କୃଷକ ଗିରଫ, ୨୦୦୦ ମୃତ୍ୟୁବରଣ କରିବା ପରେ ଆନ୍ଦୋଳନରେ ଭଟ୍ଟା ପଡ଼ିଥିଲା।
ସ୍ୱାଧୀନତା ପରେ ମଧ୍ୟ ଛୋଟ ବଡ଼ ଅନେକ କୃଷକ ଆନ୍ଦୋଳନ ଆରମ୍ଭ ହୋଇଛି ଓ ଅନେକ ସଫଳତା ଉପଲବ୍ଧ ହୋଇଛି ତଥା କୃଷକଙ୍କ ସମସ୍ୟା ପ୍ରତି ସରକାରମାନେ ସଚେତନ ହୋଇଛନ୍ତି।

କୃଷି ଆଇନ-୨୦୨୦କୁ ବିରୋଧ କରି ଯେଉଁ ଆନ୍ଦୋଳନ ଚାଲିଛି ତା ପଛରେ ମୁଖ୍ୟ କାରଣ ହେଉଛି ଯେ କୃଷକମାନଙ୍କୁ ଏହା କୃଷକବିରୋଧୀ ବୋଧ ହେଉଛି। ସରକାରଙ୍କ ହସ୍ତକ୍ଷେପକୁ ରୋକ ଲଗାଇ ଏହି ବିଲ୍‍ରେ କୃଷକଙ୍କୁ ଅଧିକ ସ୍ୱାଧୀନତା ଦିଆଯିବାର ବ୍ୟବସ୍ଥା ହୋଇଛି ବୋଲି ସରକାର କହୁଛନ୍ତି, ପରୋକ୍ଷରେ ଏହାକୁ ବୃହତ୍‍ ବ୍ୟବସାୟୀଙ୍କ କବ୍‍ଜା ଭିତରକୁ ଠେଲି ଦେଇ ଦେଶରେ ଖାଦ୍ୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରାଯାଉଛି ବୋଲି ମତ ପ୍ରକାଶ ପାଉଛି। ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‌ପି) ନ ରହିଲେ କୃଷକମାନେ ବ୍ୟବସାୟୀଙ୍କ ଏକଚାଟିଆ ମନୋଭାବର ଶିକାର ହୋଇ ସମୟ ପଡ଼ିଲେ କ୍ଷତି ସହି ମଧ୍ୟ ସେମାନଙ୍କୁ ଶସ୍ୟ ବିକିବାକୁ ବାଧ୍ୟ ହେବେ। ଏହି ବ୍ୟବସ୍ଥା ମହଜୁଦକାରୀ ଓ ମୁନାଫାଖୋରଙ୍କ ପାଇଁ ସୁଯୋଗ ମଧ୍ୟ ସୃଷ୍ଟି କରିପାରେ।
ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୨୦୨୦ରେ କେତେକ ନିର୍ଦ୍ଦିଷ୍ଟ କୃଷିଜାତ ଦ୍ରବ୍ୟର ଯୋଗାଣ ଓ ମହଜୁଦ ଉପରେ ବ୍ୟବସ୍ଥା ଅଛି କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସମୟରେ ଯେପରି କି ଅତ୍ୟଧିକ ମୂଲ୍ୟ ବୃଦ୍ଧି ଓ ପ୍ରାକୃତିକ ଦୁର୍ବିପାକ ସମୟରେ। ଏହା ପୁଣି ରପ୍ତାନିକାରୀଙ୍କ ପାଇଁ ଲାଗୁ ହେବ ନାହିଁ। ଏହି ଆଇନର ପ୍ରୟୋଗ ପାଇଁ ଯେଉଁ ବ୍ୟବସ୍ଥା ଅଛି ତାହା କାର୍ଯ୍ୟକ୍ଷେତ୍ରରେ ପ୍ରୟୋଗ ହେବା ସମ୍ଭବ ନୁହେଁ ବୋଲି କୃଷକ ନେତାମାନଙ୍କ ଅଭିଯୋଗ।

କୃଷି ଉତ୍ପାଦନ ବାଣିଜ୍ୟ ଓ ବ୍ୟବସାୟ ଆଇନ ୨୦୨୦ରେ କୃଷକମାନଙ୍କୁ କୃଷିଜାତ ଦ୍ରବ୍ୟ ବିପଣନ କମିଟି (ଏପିଏମ୍‍ସି)ରୁ ମୁକ୍ତ କରିଛି ଓ କୃଷକମାନଙ୍କୁ ଦେଶ ଭିତରେ ସ୍ୱାଧୀନ ଭାବେ କୃଷି ଉତ୍ପାଦ କ୍ରୟ ବିକ୍ରୟକୁ ଅନୁମତି ଦେଇଛି। ଏହି ଆଇନ ଅନୁସାରେ ଏ.ପି.ଏମ୍‍.ସି. ସେମାନଙ୍କ ଏହି ବ୍ୟବସାୟ ପାଇଁ କୌଣସି ଦେୟ ମଧ୍ୟ ଆଦାୟ କରିପାରିବେ ନାହିଁ। କ୍ଷୁଦ୍ର ଚାଷୀମାନେ କମ୍‍ ଉତ୍ପାଦନକୁ ନିଜ ଅଞ୍ଚଳ ବାହାରକୁ ପଠାଇ ବିକ୍ରି କରିବା ସମ୍ଭବ ନୁହେଁ । ଏହା ବରଂ ବ୍ୟୟସାପେକ୍ଷ ହୋଇଥିବା ବେଳେ ଏ.ପି.ଏମ୍‍.ସି ବିନା ନିଜ ଅଞ୍ଚଳରେ ଏତେ ଶସ୍ୟ ଠିକ୍‍ ଦାମରେ ବିକ୍ରୟ ପାଇଁ ବଜାର ମଧ୍ୟ ନଥିବା ଯୋଗୁ ଏଥିନେଇ ସଂଶୟ ସୃଷ୍ଟି ହେଉଛି।
କୃଷକ ସୁରକ୍ଷା ଓ ସଶକ୍ତୀକରଣ ଆଇନ ୨୦୨୦ ଅନୁସାରେ କୃଷକ ଓ ବ୍ୟବସାୟୀଙ୍କ ମଧ୍ୟରେ ହେଉଥିବା ବୁଝାମଣାକୁ ଏକ ଆଇନର ପରିଧିରେ ରଖାଯିବାର ବ୍ୟବସ୍ଥା ହୋଇଛି। ତେବେ ବ୍ୟକ୍ତିଗତ ଭାବେ ଜଣେ କୃଷକ ବଡ଼ ବ୍ୟବସାୟୀଙ୍କ ସହ ସରକାରଙ୍କ ବିନା ମଧ୍ୟସ୍ଥତାରେ କେତେଦୂର ନିଜ ସ୍ୱାର୍ଥ ପାଇଁ ଲଢ଼ିପାରିବେ ତା ମଧ୍ୟ ସଂଶୟ ସୃଷ୍ଟି କରିଛି। କୃଷିଜାତ ଦ୍ରବ୍ୟର ଗୁଣବତ୍ତା ଦୁଇ ପକ୍ଷଙ୍କ ମତ ଅନୁସାରେ ରହିବା ପାଇଁ ବ୍ୟବସ୍ଥା ସିନା ଅଛି; କିନ୍ତୁ ଏ କ୍ଷେତ୍ରରେ ମଧ୍ୟ କିଛି ଖରିଦକାରୀ ବ୍ୟବସାୟୀମାନେ ଏକଜୁଟ ହୋଇଗଲେ କୃଷକମାନେ ଏଥିରେ ମଧ୍ୟ ଅସହାୟ ହୋଇପଡ଼ିବେ।

ତେଣୁ କେନ୍ଦ୍ର ସରକାରଙ୍କ ଏହି କୃଷି ଆଇନ ବାହାରକୁ ବେଶ୍‌ କୃଷକ କଲ୍ୟାଣମୂଳକ ଦୃଶ୍ୟମାନ ହେଉଥିଲେ ମଧ୍ୟ ଏହାର ଭବିଷ୍ୟତର ପ୍ରୟୋଗାତ୍ମକ ଦିଗଟି ଧୂମାଭ। ପ୍ରତ୍ୟେକ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ହିଁ ଏହି ଉଦାର ବ୍ୟବସ୍ଥାର କୃଷକଙ୍କୁ ପ୍ରକୃତ ପକ୍ଷେ ସୁରକ୍ଷା ଦେଇପାରିବ ଓ ସଶକ୍ତ କରିପାରିବ।

ପ୍ରଭାସ ଆଚାର୍ଯ୍ୟ (ସମ୍ପାଦକ, ଲୋକସେବକ ମଣ୍ଡଳ)
ଗୋପବନ୍ଧୁ ଭବନ, କଟକ-୧
ମୋ: ୯୪୩୭୦୨୦୩୪୮

Comments are closed.