ମନ ଭଲ ଅଛି ତ!

ବର୍ଷେ ପୂରିବାପାଇଁ ବସିଲାଣି। କରୋନା ସଂକ୍ରମଣର ଦ୍ବିତୀୟ ଲହଡ଼ି ପାଶ୍ଚାତ୍ୟରେ ଆରମ୍ଭ ହୋଇସାରିଛି। ସବୁଦିନ ଚର୍ଚ୍ଚା ହେଉଛି- ଟିକା ଆସିବ। ଦୁଃଖ ଓ ଦୁର୍ଭାବନା ହଟିଯିବ। ଉତ୍ତର-କରୋନା ପୃଥିବୀ ଏକ ଭିନ୍ନ ପୃଥିବୀ ହେବ। ତେବେ କେହି ନିଶ୍ଚିତ ନୁହନ୍ତି, ସେଇ ଶୁଭଦିନ ଆଉ କେତେ ଦୂରରେ। କେଇ ଦିନ, କେଇ ମାସ ନା କେଇ ବର୍ଷ। ଏଣେ ବିଶେଷଜ୍ଞମାନେ ଏକଥା ବି କହିଲେଣି- ସଂକ୍ରମଣର ଧାରା ଆଗକୁ ଦୁର୍ବଳ ହୁଏତ ହେବ, ପ୍ରତିଷେଧକ ଟିକା ମହାମାରୀକୁ ନିୟନ୍ତ୍ରଣରେ ରଖିବ; କିନ୍ତୁ କୋଭିଡ଼-୧୯ ସଂପୂର୍ଣ୍ଣ ହଟିଯିବ ନାହିଁ। ବିଗତ ୧୦୦ ବର୍ଷ ଧରି ମହାମାରୀଗୁଡ଼ିକର ଚରିତ୍ର ଠିକ୍‌ ଏମିତି।

ପଣ୍ଡିତମାନେ କରୋନା କ୍ଷେତ୍ରରେ ଢେର ଗାଣିତିକ ନମୁନା ପ୍ରୟୋଗ କରିପାରନ୍ତି; କିନ୍ତୁ ନିରାଟ ସତ ହେଉଛି, ଆମ ଆଧୁନିକ ଜୀବନଚର୍ଯ୍ୟା, ପ୍ରାକୃତିକ ଆବାସର ଦ୍ରୁତ ସଂକୋଚନ ଏବଂ ଜୈବ ବିବିଧତା କ୍ଷୟ ଏମିତି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିସାରିଛି ଯେଉଁଠୁ ସନ୍ତୁଳନ ଫେରି ପାଇବା ଆଦୌ ସହଜ ହେବନାହିଁ। ସଫଳ ଟିକା କେବଳ ‘ବସନ୍ତ’କୁ ମାତ୍‌ ଦେଇଛି; କିନ୍ତୁ ଏଡ୍‌ସ, ସାର୍ସ, ମର୍ସ, ଇବୋଲା, ଜିକା, ମାରବର୍ଗ ଏଯାଏ ଉଭେଇ ନାହାନ୍ତି। ୨୦୧୯ରେ ପ୍ରକାଶିତ ଏବଂ ଚର୍ଚ୍ଚିତ ‘ଦି ପାଣ୍ଡେମିକ୍‌ ସେଞ୍ଚୁରୀ’ରେ ଗବେଷକ ଓ ଲେଖକ ମାର୍କ ହନିଂସ୍‌ବମ୍‌ ଏଇ ବର୍ଷ କରୋନା ଉପରେ ନୂଆ ଅଧ୍ୟାୟଟିଏ ଯୋଡ଼ିଛନ୍ତି।

(ଡିଜିଜ୍‌-ଏକ୍ସ) ମାର୍କ ଲେଖିଛନ୍ତି, କରୋନା ପରିବାରର ୧୩,୦୦୦ରୁ କିଛି ଅଧିକ ଭୂତାଣୁ ଅଛନ୍ତି ଯେଉଁମାନଙ୍କ ବାବଦରେ ଆମ ପାଖରେ ତଥ୍ୟ ନାହିଁ। ଏକଥା ମଧ୍ୟ ସେ କହିଛନ୍ତି, ମହାମାରୀ ଭାବରେ ଅବିକଳ କୋଭିଡ଼-୧୯ ତାଣ୍ଡବ ରଚିବ ବୋଲି ହୁଏତ ବୈଜ୍ଞାନିକ ସମୁଦାୟ ଜାଣିନଥିଲେ, ତେବେ ବରାବର ଆଶଙ୍କା ପ୍ରକାଶ ପାଇଥିଲା ଯେ ଆଗକୁ ଆସୁଥବା ମହାମାରୀ ଭୟଙ୍କର ହେବ।
୧୯ ଅକ୍ଟୋବର ୨୦୧୯ରେ ଜନ୍‌ ହପ୍‌କିନ୍‌ସ ସେଣ୍ଟର ଫର୍‌ ହେଲ୍‌ଥ ସିକ୍ୟୁରିଟି, ଗେଟ୍‌ସ ଫାଉଣ୍ଡେସନ୍‌ ଏବଂ ବିଶ୍ବ ଅର୍ଥନୈତିକ ଫୋରମ୍‌ ସହଯୋଗରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଏକ କାଳ୍ପନିକ ରୋଗର ନାଁ ରଖାଯାଇଥିଲା ‘କ୍ୟାପ୍‌ସ୍‌’ (କରୋନା ଭାଇରସ୍‌ ଆସୋସିଏଟେଡ ପଲମୋନାରି ସି​‌େ​‌ଣ୍ଡ୍ରାମ୍‌)। ଆକଳନ କରାଯାଇଥିଲା, ୧୮ ମାସ ସମୟ ମଧ୍ୟରେ ଏଇ ରୋଗ ପୃଥିବୀ ଜନସଂଖ୍ୟାର ୮୦ ପ୍ରତିଶତଙ୍କୁ ସଂକ୍ରମିତ କରିବ ଏବଂ ୬୫ ନିୟୁତ ମୃତ୍ୟୁର କାରଣ ପାଲଟିବ।

ପାଠକେ, ୧୦୦ ବର୍ଷ ତଳେ ସ୍ପେନୀୟ ଫ୍ଲୁରେ ତମାମ ପୃଥିବୀରେ ଠିକ୍‌ କେତେ ସଂକ୍ରମିତ ହୋଇଥିଲେ ଏବଂ କେତେଜଣଙ୍କ ମୃତ୍ୟୁ ଘଟିଥିଲା, ତା’ର ହିସାବ ଆମ ପାଖରେ ନାହିଁ। କାରଣ ୧୦୦ ବର୍ଷ ତଳେ ସୂଚନା ବିଜ୍ଞାନର କାଉଁରୀ ସ୍ପର୍ଶ ନଥିଲା। ତଥ୍ୟ ସଂଗ୍ରହ ଜଟିଳ ଥିଲା। କରୋନା କ୍ଷେତ୍ରରେ ସେ ସମସ୍ତ ପ୍ରତିବନ୍ଧକ ନାହିଁ। ଇଣ୍ଟରନେଟ୍‌ ସାରା ପୃଥିବୀକୁ ଯୋଡ଼ି ଦେଇଛି। ଗବେଷଣା, ଚିକିତ୍ସା ବିଜ୍ଞାନର ଉତ୍କର୍ଷ ଏବଂ ପ୍ରଯୁକ୍ତିବିଦ୍ୟା ଅନେକ ଅସମ୍ଭବକୁ ସମ୍ଭବ କରେଇଛି। ତଥାପି କୁହାଯାଇଛି, ଆଗକୁ କରୋନା ହୁଏତ ନିଷ୍ପ୍ରଭ ହୋଇସାରିଥିବ; କିନ୍ତୁ ଆମେ ଜାଣିପାରିବା ନାହିଁ ଯେ କେଉଁଠି କେତେ ଜଣ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିଲେ, କେତେ ଜଣ ଆଖିବୁଜିଲେ। କାରଣ ତଥ୍ୟ ଓ ପରିସଂଖ୍ୟାନ ବିରୋଧରେ ଷଡ଼ଯନ୍ତ୍ର ରଚିବା ଏବଂ ସତ୍ୟକୁ ନିଜ ସୁବିଧା ପାଇଁ ମୋହରା କରିବା ଆମକୁ ବେଶ୍‌ ଭଲ ଭାବରେ ଜଣା। ଆପଣ କହିପାରନ୍ତି, ବିଗତ ୧୦୦ ବର୍ଷ ଭିତରେ ସଭ୍ୟତାର ବିକାଶ କ୍ରମରେ ଆମେ ସତ୍ୟର ଏକ ଗ୍ରହଣଯୋଗ୍ୟ ଲଘୁ ସଂସ୍କରଣ ଆଣିବାପାଇଁ ସକ୍ଷମ ହୋଇଛୁ।

ମଜା କଥା ହେଉଛି, ସତ୍ୟର ଅପଭ୍ରଂଶକୁ ବି ଗଣଜୀବନରେ ଗ୍ରହଣଯୋଗ୍ୟ ବୋଲି ବିବେଚନା କରାଯାଇଛି। କଥା ସେଇଠି ସରି ନାହିଁ। ବିଶେଷଜ୍ଞମାନଙ୍କ ବିଚାର ଯେ କରୋନା କେବଳ ଶାରୀରିକ ସ୍ବାସ୍ଥ୍ୟ ନୁହେଁ; ଅଧିକ ପ୍ରଭାବିତ କରିଛି ଆମ ମାନସିକ ସ୍ବାସ୍ଥ୍ୟକୁ। ଲକ୍‌ଡାଉନ ଓ ସଟ୍‌ଡାଉନ୍‌ ସହିତ ମହାମାରୀକୁ ନେଇ ଯାବତୀୟ କଟକଣା ପ୍ରଭାବିତ ଅଞ୍ଚଳମାନଙ୍କରେ ଜୀବନର ଏକ ନୂଆ ସଂସ୍କରଣକୁ ସମ୍ଭବ କରିଛି। ଯେଉଁମାନଙ୍କ ନିକଟରେ ସ୍ମାର୍ଟ ଫୋନ୍‌ ଅଛି ବା ଯେଉଁମାନେ କମ୍ପ୍ୟୁଟର ଏବଂ ନେଟ୍‌ର ପ୍ରୟୋଗ ସହିତ ଅଭ୍ୟସ୍ତ, ସେମାନେ ବାସ୍ତବ ଜୀବନରୁ ପ୍ରତୀୟମାନ ଜଗତକୁ ସ୍ବେଚ୍ଛାକୃତ ଭାବରେ ସ୍ଥାନାନ୍ତର ହୋଇସାରିଛନ୍ତି। ଏହା ସତ୍ତ୍ବେ ମାନସିକ ଅସ୍ଥିରତା ଆସିଛି। ଚାପ, ଉତ୍କଣ୍ଠା ଏବଂ ବିରକ୍ତି ଭାବ ବଢ଼ିଛି। ଏକାକୀତ୍ବ ସାମାଜିକ ଦୂରତ୍ବ ସୌଜନ୍ୟରୁ (!) ପ୍ରଭାବୀ ହୋଇଛି। ମନ ସବୁ ବାଡ଼ ଡେଇଁ, ଆକଟ ନମାନି ଉଡ଼ିବାପାଇଁ ପ୍ରସ୍ତୁତ। ଦେହ ବି; କିନ୍ତୁ ଦେହ ଉପରେ, ଗତି ଉପରେ ଅଂକୁଶ ଆଣିଛି। କରୋନା କଟକଣା ସୃଜନ ପାଇଁ ଭିତ୍ତିଭୂମି ଯୋଗେଇଛି। ବିକଳ୍ପ ଚିନ୍ତନକୁ ପ୍ରୋତ୍ସାହିତ କରିଛି; ଅଥଚ ନିଜ ଚାରିପାଖଠୁ ଓ ସେଇ ନ୍ୟାୟରେ ନିଜଠୁ ନିଜକୁ ଦୂରେଇ ବି ନେଇଛି।

ନିକଟରେ ଆଇଟିସି ଏବଂ ନିଲସେନ୍‌ ତରଫରୁ ଭାରତରେ ମାନସିକ ସ୍ବାସ୍ଥ୍ୟ ଉପରେ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡ଼ିଛି, ଆମ ଦେଶରେ ମାନସିକ ସ୍ବାସ୍ଥ୍ୟ ଉପରେ ସଚେତନତା କମ୍‌। ଅନ୍ତତଃ ୭୭ ପ୍ରତିଶତ ଏମିତି ମନେ କରୁଛନ୍ତି। ତେବେ ୮୭% ଭାବୁଛନ୍ତି, ଶାରୀରିକ ସ୍ବାସ୍ଥ୍ୟ ଯେତିକି ଗୁରୁତ୍ବପୂର୍ଣ୍ଣ, ମାନସିକ ସ୍ବାସ୍ଥ୍ୟ ସେତିକି ଗମ୍ଭୀର ବିଷୟ। ଆଉ ଏଥିପାଇଁ ଆମ ଭିତ୍ତିଭୂମି ବ୍ୟବସ୍ଥା ଜମାରୁ ଅନୁକୂଳ ନୁହେଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରିସଂଖ୍ୟାନ ଅନୁସାରେ ଭାରତରେ ପ୍ରତି ଏକଲକ୍ଷ ଜନସଂଖ୍ୟାରେ ମାନସିକ ସ୍ବାସ୍ଥ୍ୟ ବୃତ୍ତିଧାରୀ ସଂଖ୍ୟା ଏମିିତି: (କ) ମନୋଚିକିତ୍ସକ: ୦.୩ (ଖ) ମନସ୍ତତ୍ତ୍ବବିତ୍‌: ୦.୦୭ (ଗ) ନର୍ସ: ୦.୩ (ଘ) ସାମାଜିକ କର୍ମୀ: ୦.୦୭। ବିଶ୍ବରେ ମାନସିକ ସ୍ବାସ୍ଥ୍ୟକୁ ନେଇ ଗୁରୁତ୍ବ ବଢ଼ୁଛି। ପରିପୋଷଣୀୟ ବିକାଶ ଲକ୍ଷ୍ୟର (ଏସଡିଜି) ଏହା ଅନ୍ୟତମ ମାନଦଣ୍ଡ। ସର୍ବେକ୍ଷଣରୁ ଜଣାପଡ଼ିଛି: ଲକ୍‌ଡାଉନ/ସଟ୍‌ଡାଉନ ସମୟ ପ୍ରାୟ ୮୦ ପ୍ରତିଶତଙ୍କୁ ମାନସିକ ଅବସାଦ ଦେଇଥିଲା। ୟା ସହିତ ବୟସର ସମ୍ପର୍କ ନଥିଲା। ବିଶେଷଜ୍ଞମାନେ କହନ୍ତି, ମାନସିକ ଅସ୍ଥିରତା/ଅସନ୍ତୁଳନକୁ ବାରିବା ଏତେ ସହଜ ନୁହେଁ। ଜଣକ ବ୍ୟବହାର, ଚାଲିଚଳଣି ଉପରକୁ ସ୍ବାଭାବିକ ମନେ ହୋଇପାରେ; କିନ୍ତୁ ସେମିତି ଲୋକଙ୍କ ଭିତରୁ ୨୫% ମାନସିକ ସ୍ତରରେ ସୁସ୍ଥ ନୁହନ୍ତି। ମାନସିକ ସ୍ବାସ୍ଥ୍ୟର ରହିଛି ସାମାଜିକ, ଆର୍ଥିକ, ଆବେଗିକ ଏବଂ ମନସ୍ତାତ୍ତ୍ବିକ ଦିଗ। ଏହା ବାଦ୍‌ ଭଲ ସ୍ବାସ୍ଥ୍ୟ ଭଲ ମନ ସହିତ ସମ୍ପର୍କିତ। କାହା ସ୍କୋର୍‌ କେତେ, ଯଦିଓ ଏହା ଜଟିଳ ପ୍ରଶ୍ନ, (ଦେହର ନା ମନ) କିନ୍ତୁ ପ୍ରମୁଖ ମତ ହେଉଛି, ସୁସ୍ଥ ମନ ଶାରୀରିକ ଅସୁସ୍ଥତାରେ ଆପଣଙ୍କୁ ସହାୟତା ଦେଇପାରେ।

ସର୍ବେକ୍ଷଣରେ ମାନସିକ ସ୍ବାସ୍ଥ୍ୟକୁ ନେଇ ମତପାର୍ଥକ୍ୟ ଥିଲା। ସ୍ବାଭାବିକ। ମାନସିକ ସ୍ବାସ୍ଥ୍ୟକୁ ୨୬% ସକାରାତ୍ମକ ଭାବନା ସହିତ ସଂଯୁକ୍ତ କରିଥିବାବେଳେ ୨୫% କହିଥିଲେ: ଚିନ୍ତାମୁକ୍ତ ରହନ୍ତୁ, ଖୁସିରେ ରହନ୍ତୁ। ଚାରିଜଣରେ ଜଣେ ମନେ କରୁଥିଲେ, ପରିବର୍ତ୍ତିତ କାନ୍‌ଭାସ୍‌ରେ କମ୍‌ ବୟସରେ ବି ଜଣଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡ଼ି ଯାଇପାରେ। କାରଣ: ଆଧୁନିକ ଜୀବନଚର୍ଯ୍ୟାର ଚାପ। ଅନେକ କହିଛନ୍ତି ଲକ୍‌ଡାଉନ୍‌ ସମୟରେ ସେମାନେ ଅନୁଭବ କରୁଥିଲେ ଯେ ମାନସିକ ସ୍ଥିରତା (ସେମାନେ) ହରେଇ ବସିଛନ୍ତି; କିନ୍ତୁ କୌଣସି ମନୋବିଜ୍ଞାନୀଙ୍କ କ୍ଲିନିକ୍‌କୁ ସେମାନେ ଯାଇନାହାନ୍ତି। ଏହା ସେମାନଙ୍କ ସାମର୍ଥ୍ୟର ଅଭାବ କେବଳ ନୁହେଁ, ଅଧିକନ୍ତୁୁ ମାନସିକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅଭାବର। ଜଣଙ୍କ ମନ ଭଲ ରହିବା ସହିତ ତା’ର ଶାରୀରିକ ସ୍ବାସ୍ଥ୍ୟ ଓ ବୃହତ୍ତର ଅର୍ଥରେ ଜୀବନର ଯେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି, ସେ କଥାଟି ଆମ ଜାତୀୟ ସ୍ବାସ୍ଥ୍ୟ ବ୍ୟବସ୍ଥାର ନାଡ଼ିକୁ ଭେଦିନାହିଁ। ବାକି ରହିଲା ସାମାଜିକ ଗଣମାଧ୍ୟମ। ଗୁରୁତ୍ବପୂର୍ଣ୍ଣ ହେଉଛି, ଯେଉଁ ପିଢ଼ି (୧୮ରୁ ୪୫ବର୍ଷ) ସାମାଜିକ ଗଣମାଧ୍ୟମକୁ ନିଜର ବିଧାତା ମନେ କରୁଛନ୍ତି, ସେଇମାନଙ୍କ ମଧ୍ୟରୁ ୬୮%ଙ୍କ ମତ: ନେଟ୍‌ ମନସ୍କତା ସେମାନଙ୍କୁ ବାସ୍ତବ ଜୀବନର ବ୍ୟକ୍ତିଗତ ସମ୍ପର୍କମାଳାଠୁ ଦୂରକୁ ନେଇ ଯାଇଛି।

୬୬ ପ୍ରତିଶତ ଭାବନ୍ତି, ଯଦି ସେମାନଙ୍କ ବ୍ଲଗ୍‌/ପୋଷ୍ଟରେ ଯଥେଷ୍ଟ ‘ଲାଇକ୍‌’ ନହେଲା, ତେବେ ତାହା ଆତ୍ମସମ୍ମାନ ହାନି। ଅବଶ୍ୟ ଯୁବପିଢ଼ି ମନେ କରୁଛନ୍ତି ଯେ ସାମାଜିକ ଗଣମାଧ୍ୟମ ଜରିଆରେ ସେମାନେ ନୂଆ ସମ୍ପର୍କ ଯୋଡ଼ିଛନ୍ତି, ନୂଆ ଶିକ୍ଷା/ଅଭ୍ୟାସ ପାଇଁ ଏଇ ମାଧ୍ୟମ ସହାୟକ ହୋଇଛି, ତେବେ ସତସତିକା ଜୀବନ ସହିତ ସାମାଜିକ ଗଣମାଧ୍ୟମ ତୁଳନୀୟ ନୁହେଁ। ଅର୍ଥାତ୍‌ ଯଦି ମାଟି ଉପରେ, ନିଜ ଚଉହଦିରେ ଆପଣ ବ୍ୟବସ୍ଥିତ ନୁହନ୍ତି, ଯଦି ଫୁଲକୁ ଛୁଇଁ, ସବୁଜ ଧାନଖେତ ଦେଖି, ପହିଲି ବର୍ଷାରେ ଓଦା ହୋଇ, ବନ୍ଧୁଙ୍କ ସହିତ ବଣଭୋଜି କରି ଆପଣ ପୁଲକିତ ନୁହନ୍ତି, ତେବେ ସବୁଠୁ ପ୍ରଭାବଶାଳୀ ସୋସିଆଲ ମିଡ଼ିଆ ଆପଣଙ୍କ ପାଇଁ ତୁଚ୍ଛା ପ୍ରତୀୟମାନ ବାସ୍ତବିକତାରୁ ଆଦୌ ଊର୍ଦ୍ଧ୍ବକୁ ଯାଇପାରୁ ନାହିଁ। ମନୋବିଜ୍ଞାନୀଙ୍କ ମତ, ନେଟ୍‌ପ୍ରବଣତା- ସାମାଜିକ ଗଣମାଧ୍ୟମ ସହିତ ସପ୍ତାହରେ ପ୍ରାୟ ୪୦ଘଣ୍ଟାର ଅଭିସାର ଏକ ଅବରୁଦ୍ଧ ଏକ ଅସ୍ବାସ୍ଥ୍ୟକର ଅଭିଜ୍ଞତା। ପାଠକେ, ଏହା ଏକମାତ୍ର ଅଧ୍ୟୟନ ନୁହେଁ। ସଂକ୍ରମଣ ସହିତ ତାଳଦେଇ ମାନସିକ ସ୍ବାସ୍ଥ୍ୟ ଉପରେ, ମହାମାରୀର ପ୍ରଭାବ ଉପରେ ପର୍ଯ୍ୟାପ୍ତ ଅଧ୍ୟୟନ ହେଲାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ବୀକାର କରିଛି। ପ୍ରାକ୍‌-କରୋନା ସ୍ଥିତିରେ ଅଧିକାଂଶ ଦେଶ ସେମାନଙ୍କ ସ୍ବାସ୍ଥ୍ୟ ବଜେଟ୍‌ର ୨ ପ୍ରତିଶତରୁ କମ୍‌ ଉପଯୋଗ କରୁଥିଲେ ମାନସିକ ସ୍ବାସ୍ଥ୍ୟ ସେବାରେ। ପରିଣତି ଏୟା ହୋଇଛି: ବୟସ୍କ ଯୁବକ ଓ ତରୁଣ- ସମସ୍ତେ ଅସ୍ଥିରତା ଭୋଗିଛନ୍ତି। ସେମାନଙ୍କୁ ଡାକ୍ତରୀ ପରାମର୍ଶ ମିଳିନାହିଁ। ଉପଚାର, ଔଷଧ କିଛି ବି ଠିକ୍‌ଠିକ୍‌ ମିଳିନାହିଁ। ଆପଣଙ୍କ ମନ ଭଲ ଅଛି ତ? କାରଣ, କରୋନା ଶେଷ ମହାମାରୀ ନୁହେଁ।

Comments
Loading...