ଲୋକପ୍ରିୟତା ଓ ଶସ୍ତା ଲୋକପ୍ରିୟତା

ସେହିମାନଙ୍କୁ ଲୋକପ୍ରିୟ କୁହାଯାଏ ଯେଉଁମାନେ ସେମାନଙ୍କ ନିଜ କ୍ଷେତ୍ରରେ କାର୍ଯ୍ୟ କରୁଥିବାବେଳେ ବା କୃତିତ୍ୱ ହାସଲ କରୁଥିବାବେଳେ ସାଧାରଣ ଲୋକଙ୍କର ଶ୍ରଦ୍ଧାର ପାତ୍ର ମଧ୍ୟ ହୋଇଥାନ୍ତି। କବି, ଲେଖକ, ଶିଳ୍ପୀ, ପ୍ରଶାସକ, ଶିକ୍ଷକ ଇତ୍ୟାଦି ଲୋକପ୍ରିୟ ହୋଇପାରନ୍ତି ସାଧାରଣ ଲୋକଙ୍କର ମନକୁ ପାଉଥିବା ସେମାନଙ୍କର ସୃଜନଶୀଳ କଳା ଦ୍ୱାରା ବା ସେମାନଙ୍କର ଲୋକାଭିମୁଖୀ ଆଭିମୁଖ୍ୟ ପାଇଁ। ଉଚ୍ଚାଙ୍ଗ ସଂଗୀତରେ ପାରଦର୍ଶିତା ନଥିଲେ ମଧ୍ୟ ଜଣେ ସଂଗୀତ ଶିଳ୍ପୀ ଶ୍ରୋତାଙ୍କର ମନକୁ ଜିଣିବା ପରି ସଂଗୀତ ପରିବେଷଣ କରି ଖୁବ୍‍ ଲୋକପ୍ରିୟ ହୋଇପାରନ୍ତି। ସେହିପରି ଜଣେ ଶିକ୍ଷକ କେବଳ ଶ୍ରେଣୀଗୃହର ଶିକ୍ଷାଦାନର ପ୍ରଣାଳୀ ପାଇଁ ନୁହେଁ; ଛାତ୍ରବତ୍ସଳତା ଇତ୍ୟାଦି ଗୁଣ ପାଇଁ ଛାତ୍ରଛାତ୍ରୀଙ୍କର ଶ୍ରଦ୍ଧା ଭାଜନ ହୋଇପାରନ୍ତି। ଜଣେ ପ୍ରଶାସକ ଆଇନକାନୁନ୍‍ର ଶୃଙ୍ଖଳା ମଧ୍ୟରେ ଲୋକପ୍ରିୟ ହେବାର ସମ୍ଭାବନା ଅଛି ଯଦି ସେ ଲୋକଙ୍କ ସହିତ ସହଜରେ ମିଶିପାରନ୍ତି ଓ ସେମାନଙ୍କର ସମସ୍ୟା- ଗୁଡିକର ଆଶୁ ସମାଧାନ କରିବାରେ ବିଶେଷ ତତ୍ପରତା ପ୍ରକାଶ କରନ୍ତି। ନିଜ ବୃତ୍ତିରେ ଉତ୍କର୍ଷ ହାସଲ କରି ଲୋକପ୍ରିୟ ହେବା ସେମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରେ; କିନ୍ତୁ ଲୋକପ୍ରିୟତା ବିନା ରାଜନୈତିକ କ୍ଷେତ୍ରଟି ଅସାର ହୋଇଯିବା ପରି ମନେହୁଏ।

ଇଂରାଜୀରେ ଲୋକପ୍ରିୟତା ପାଇଁ ବ୍ୟବହୃତ ଶବ୍ଦଟି ହେଉଛି ‘ପପୁଲାରିଟି’। ଏହି ଲେଖାର ଶିରୋନାମାରେ ବ୍ୟବହୃତ ଶବ୍ଦ ଶସ୍ତା ଲୋକପ୍ରିୟତାର ଇଂରାଜୀ ଅନୁବାଦ ହେବ ‘ପପୁଲିଜିମ୍‍’। ପପୁଲିଜିମ୍‍, ପପୁଲିଷ୍ଟ ନେତା – ଏସବୁ ଶବ୍ଦ ଅନେକ ସମୟରେ ବ୍ୟବହାର ହୋଇଥାଏ ଏକ ଅସମ୍ମାନସୂଚକ ଅର୍ଥରେ। ପପୁଲିଷ୍ଟ ନେତାଙ୍କୁ ଇଂରାଜୀରେ ‘ଡିମାଗୋଗ୍‍’ ଆଖ୍ୟା ମଧ୍ୟ ଦିଆଯାଇଥାଏ। ଏପରି ନେତାଙ୍କୁ ଡିମାଗୋଗ୍‍ କୁହାଯାଏ ଯେଉଁମାନେ ଲୋକଙ୍କ କ୍ଷଣିକ ଅଭିଳାଷ ଓ ଭ୍ରାନ୍ତ ବିଶ୍ୱାସକୁ ପ୍ରୋତ୍ସାହନ ଦିଅନ୍ତି। ଅନ୍ୟ ଭାବରେ କୁହାଯାଇପାରେ ଯେ ସେହିମାନେ ହିଁ ପପୁଲିଷ୍ଟ ନେତା ଯେଉଁମାନେ ଲୋକଙ୍କର ଚାହିଦା ଅନୁସାରେ ନିଷ୍ପତ୍ତି ନିଅନ୍ତି, ସେ ଚାହିଦାଗୁଡିକ ସେମାନଙ୍କର ବା ସମାଜର ଦୀର୍ଘକାଳୀନ ହିତରେ ହେଉ ବା ନ ହେଉ। ଏସବୁ ବିଷୟକୁ ବିଚାରକୁ ନେଇ ଇଂରାଜୀ ‘ପପୁଲିଜିମ୍‍’ ଶବ୍ଦକୁ ଓଡିଆରେ ‘ଶସ୍ତା ଲୋକପ୍ରିୟତା’ କୁହାଯାଇ ପାରେ।

ଗଣତନ୍ତ୍ରରେ ଯେଉଁ ନେତା ବା ଦଳ ଅଧିକ ଲୋକପ୍ରିୟ ହୁଅନ୍ତି, ସେମାନେ ଲୋକଙ୍କର ଆସ୍ଥାଭାଜନ ହୋଇ ନିର୍ବାଚିତ ହୁଅନ୍ତି; କିଛି ସମୟ ପାଇଁ ଶାସନର ଦାୟିତ୍ୱ ନିଅନ୍ତି। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଗତ ଅଳ୍ପ କେତେଶହ ବର୍ଷର ଘଟଣା ନୁହେଁ। ବୌଦ୍ଧ ସଂଘଗୁଡିକ ଗଣତାନ୍ତ୍ରିକ ଶୈଳୀରେ ପରିଚାଳିତ ହେଉଥିଲା। ଗ୍ରୀସ୍‍ର ଗଣତାନ୍ତ୍ରିକ ବ୍ୟବସ୍ଥା ପରି ଆଲୋଚନା ମାଧ୍ୟମରେ ନିଷ୍କର୍ଷରେ ପହଞ୍ଚିବା ଓ ନିଷ୍ପତ୍ତି ନେବାର ପରମ୍ପରା ଭାରତୀୟ ପୁରାତନ ସଭ୍ୟତାରେ ମଧ୍ୟ ଥିଲା। ଆଧୁନିକ ଗଣତନ୍ତ୍ର କହିଲେ ରାଜନୈତିକ ପ୍ରକ୍ରିୟାରେ ନାଗରିକମାନଙ୍କର ସକ୍ରିୟ ଯୋଗଦାନ, ଆଇନର ଶାସନ, ମାନବ ଅଧିକାରର ସୁରକ୍ଷା ଏବଂ ସର୍ବୋପରି ଲୋକମତ ଭିତ୍ତିରେ ସରକାର ଗଠନ ଇତ୍ୟାଦିକୁ ବୁଝାଏ। ଏହି ଦୃଷ୍ଟିରୁ ରାଜତନ୍ତ୍ର ଓ ଏକଛତ୍ର ଶାସନଠାରୁ ଗଣତନ୍ତ୍ର ଭିନ୍ନ। ଏ ପ୍ରକାର ଗଣତନ୍ତ୍ରକୁ ଉଦାରବାଦୀ ଗଣତନ୍ତ୍ର ଆଖ୍ୟା ମଧ୍ୟ ଦିଆଯାଇଥାଏ। ଶସ୍ତା ଲୋକପ୍ରିୟତା ଉଦାରବାଦୀ ଗଣତନ୍ତ୍ରର ପରିପନ୍ଥୀ।

ଭାରତର ସ୍ୱାଧୀନତା ସଂଗ୍ରାମର ନେତାମାନେ ଏବଂ ସ୍ୱାଧୀନୋତ୍ତର ପ୍ରଥମ କେତୋଟି ଦଶନ୍ଧିର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କର ମୁଖ୍ୟ ପରିଚୟ ଥିଲା ସେମାନଙ୍କ ଲୋକପ୍ରିୟତା; କିନ୍ତୁ ସେମାନେ ଶସ୍ତା ଲୋକପ୍ରିୟତାରେ ବିଶ୍ୱାସ କରୁ ନଥିଲେ। ମହାତ୍ମା ଗାନ୍ଧୀ, ଯାହାଙ୍କ ଠାରେ ସାଧାରଣ ଜନତାଙ୍କର ଅଖଣ୍ଡ ଆସ୍ଥା ଓ ବିଶ୍ୱାସ ଥିଲା, ସେ ମଧ୍ୟ ସବୁ ସମୟରେ ଲୋକମତ ଅନୁସାରେ ପରିଚାଳିତ ହେଉ ନଥିଲେ; ବରଂ ସେ ଲୋକମତକୁ ପରିଚାଳିତ କରୁଥିଲେ ଏକ ଉଚ୍ଚତର ଲକ୍ଷ୍ୟ ପୂରଣ ପାଇଁ ଓ ଆଦର୍ଶର ପ୍ରତିଷ୍ଠା ପାଇଁ। ଏହି କାରଣରୁ ସ୍ୱାଧୀନତା ସଂଗ୍ରାମ ସମୟର ଗଣ ଆନ୍ଦୋଳନ ଚରମ ମୁହୂର୍ତ୍ତରେ ପହଞ୍ଚିବାର ସମୟରେ ହିଁ ସେ ସେଥିରୁ ଓହରି ଯିବାର ନିଷ୍ପତ୍ତି ନେଇପାରୁଥିଲେ। ଆମେରିକାର ବିଶିଷ୍ଟ ନେତା ଆବ୍ରାହମ ଲିଙ୍କନ ବା ଦକ୍ଷିଣ ଆଫ୍ରିକାର ଅବିସମ୍ବାଦିତ ନେତା ନେଲ୍‍ସନ୍‍ ମାଣ୍ଡେଲାଙ୍କର ନେତୃତ୍ୱର ଶୈଳୀ ଥିଲା ମଧ୍ୟ ସେହିପରି। ଏମାନଙ୍କର ଲୋକପ୍ରିୟତା ଥିଲା ନିଛକ୍‌ ଲୋକପ୍ରିୟତା, ଯେହେତୁ ସେମାନେ ଲୋକପ୍ରିୟତା ପାଇଁ ବୈଷମ୍ୟହୀନ ସମାଜ ଗଠନ ପରି ଆଦର୍ଶରୁ କେବେ ମଧ୍ୟ ବିଚ୍ୟୁତ ହେଉ ନଥିଲେ।

ଏହି ଆଲେଖ୍ୟର ଉପକ୍ରମଣିକା ଭାବରେ ଲୋକପ୍ରିୟତା (ପପୁଲାରିଟି) ଓ ଶସ୍ତା ଲୋକପ୍ରିୟତା (ପପୁଲିଜିମ୍‍) ମଧ୍ୟରେ ପାର୍ଥକ୍ୟକୁ ଏଇଥିପାଇଁ ଉପସ୍ଥାପନ କରାଯାଇଛି, ଯାହାଦ୍ୱାରା ରାଜନୈତିକ ନେତୃବୃନ୍ଦଙ୍କର ବ୍ୟକ୍ତିତ୍ୱ, ଆଦର୍ଶ ଓ କାର୍ଯ୍ୟାବଳୀର ଏକ ନିରପେକ୍ଷ ଅନୁଶୀଳନ କରାଯାଇ ପାରିବ। ଗତ କେତେ ବର୍ଷ ହେବ ପୃଥିବୀର ବିଭିନ୍ନ ଦେଶରେ ପପୁଲିଷ୍ଟ ନେତାମାନଙ୍କର ଆବିର୍ଭାବ ଏବଂ ସେମାନଙ୍କ କାର୍ଯ୍ୟାବଳୀ ଉପରେ ରାଜନୀତି ବିଜ୍ଞାନ ବିଶାରଦମାନେ ଆଲୋଚନା ଓ ଟିପ୍‍ପଣୀ କରିଆସିଛନ୍ତି। ଊନବିଂଶ ଶତାବ୍ଦୀର ‘ପପୁଲିଜିମ୍‍’ ଶବ୍ଦଟିର ବ୍ୟବହାର ଆରମ୍ଭ ହେଲା। ପପୁଲିଷ୍ଟମାନେ ବାମପନ୍ଥୀ ହୋଇପାରନ୍ତି ବା ଦକ୍ଷିଣପନ୍ଥୀ ହୋଇପାରନ୍ତି।

ଭେନେଜୁଏଲାର ପୂର୍ବତନ ନେତା ହ୍ୟୁଗୋ ଚାଭେଜ୍‍ ବା ରୁଷିଆର ଭ୍ଲାଦିମିର୍‍ ପୁତିନ୍‍ଙ୍କୁ ବାମପନ୍ଥୀ ପପୁଲିଷ୍ଟ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇପାରେ। ଆମେରିକାର ଡୋନାଲ୍‌ଡ ଟ୍ରମ୍ପ, ଫ୍ରାନ୍‌ସର ମାରିନ୍‍ ଲେ ପେନ୍‍, ତୁର୍କୀର ଏର୍ଡୋଗାନ୍‍, ହଙ୍ଗେରୀର ଭିକ୍ଟର ଅର୍‍ବାନ, ବ୍ରାଜିଲ୍‍ର ବଲ୍‍ସୋନାରୋ, ଇଂଲଣ୍ଡର ବୋରିସ୍‍ ଜନ୍‌ସନ ଇତ୍ୟାଦି ଦକ୍ଷିଣପନ୍ଥୀ ପପୁଲିଷ୍ଟ ନେତା ଭାବରେ ପରିଚିତ। ନିକଟ ଅତୀତରେ ଘଟିଯାଇଥିବା ଅନେକ ଘଟଣାରୁ ମନେହୁଏ ଯେପରି ପପୁଲିଷ୍ଟ ନେତାମାନଙ୍କର ପ୍ରାଧାନ୍ୟ ବୃଦ୍ଧି ସହିତ ଗଣତନ୍ତ୍ରର ଅବକ୍ଷୟ ଘଟିଚାଲିଛି ଏବଂ ଏହା ଫଳରେ ପୃଥିବୀରେ ଏକ ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି। ଏକବିଂଶ ଶତାବ୍ଦୀ, ଯାହା ମାନବ ସଭ୍ୟତାର ଉତ୍ତରଣରେ ଏକ ବିଶେଷ ଅଧ୍ୟାୟ ହୋଇଥାନ୍ତା, ଆଜି ସେହି ଶତାବ୍ଦୀଟି ଯେପରି ହୋଇ ଉଠିଛି ଅବିଶ୍ୱାସ, ଅନିଶ୍ଚିତତା ଓ ସଂଶୟର ଶତାବ୍ଦୀ। ଏହା ଯେପରି ଅଭିନୀତ ହୋଇଚାଲିଛି ଗ୍ରାମ ପଞ୍ଚାୟତ ସ୍ତରରୁ ବିଶ୍ୱ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ।

ବିଶିଷ୍ଟ ସମାଜ ବିଜ୍ଞାନୀ ଫ୍ରାନ୍‍ସିସ୍‍ ଫୁକୁୟାମା ଶସ୍ତା ଲୋକପ୍ରିୟତାର ତିନିଟି ଗୁଣକୁ ଚିହ୍ନଟ କରିଛନ୍ତି। ପ୍ରଥମଟି ହେଉଛି ପପୁଲିଷ୍ଟମାନେ ଭୋଟରମାନଙ୍କୁ ତାତ୍କାଳିକ ସନ୍ତୋଷ ଦିଅନ୍ତି; କିନ୍ତୁ ଏହି ସନ୍ତୋଷ ଦୀର୍ଘକାଳ ପାଇଁ ରହେ ନାହିଁ। ପପୁଲିଷ୍ଟ ନେତାମାନେ ଭୋଟରମାନଙ୍କ ସହିତ ସଂପର୍କ ରଖନ୍ତି ନିଜ ବ୍ୟକ୍ତିତ୍ୱର ଚମକ ଦ୍ୱାରା। ଏହା ଫଳରେ ଅନୁଷ୍ଠାନଗୁଡିକ ଗୌଣ ହୋଇଯାଆନ୍ତି ଏବଂ ବ୍ୟକ୍ତିଟି ଅନୁଷ୍ଠାନଠାରୁ ବଡ଼ ଭାବରେ ପ୍ରତିଭାତ ହୁଏ। ରାଜନୀତିର ମୁଖ୍ୟ ଉଦ୍ଦେଶ୍ୟ ହେବା କଥା ସମଗ୍ର ଜନସମାଜର ବୃହତ୍ତର ଓ ଦୀର୍ଘକାଳୀନ ହିତ ପାଇଁ ଲୋକମତ ସୃଷ୍ଟି କରିବା; କିନ୍ତୁ ଏଥିପାଇଁ ଶସ୍ତା ଲୋକପ୍ରିୟତାକୁ ଆଦର୍ଶ ଭାବରେ ଗ୍ରହଣ କରିଥିବା ପପୁଲିଷ୍ଟ ନେତାମାନଙ୍କର ଧୈର୍ଯ୍ୟ ବା ଆଗ୍ରହ ନଥାଏ। ସେମାନଙ୍କର ଉଦ୍ଦେଶ୍ୟ ଥାଏ ଯେ କୌଣସି ଉପାୟରେ ନିର୍ବାଚିତ ହୋଇ ଶାସନ କରିବା ଏବଂ ରାଜନୈତିକ ପ୍ରତିଦ୍ୱନ୍ଦ୍ବୀଙ୍କୁ ଶତ୍ରୁ ଭାବରେ ଚିତ୍ରଣ କରି ଏକଚାଟିଆ ଭାବରେ କ୍ଷମତା ଉପଭୋଗ କରିବା। ଫୁକୁୟାମାଙ୍କ ମତରେ ଜଣେ ପପୁଲିଷ୍ଟ ନେତା ଯେତେବେଳେ ଜନତାକୁ ସମ୍ବୋଧନ କରନ୍ତି, ସେ ଧର୍ମ, ଜାତି ଇତ୍ୟାଦି ନିର୍ବିଶେଷରେ ସମସ୍ତଙ୍କୁ ସମ୍ବୋଧନ କରନ୍ତି ନାହିଁ। ସେମାନେ ସମ୍ବୋଧନ କରନ୍ତି ଏକ ନିର୍ଦିଷ୍ଟ ପରିଚୟ ବହନ କରୁଥିବା କିଛି ଶ୍ରେଣୀର ଲୋକଙ୍କୁ, ଯେଉଁମାନଙ୍କ ସମର୍ଥନ ଉପରେ ସେମାନଙ୍କର ଅତ୍ୟଧିକ ବିଶ୍ୱାସ ଥାଏ। ସେହିମାନଙ୍କ ସମର୍ଥନରେ ହିଁ ପପୁଲିଷ୍ଟମାନେ କ୍ଷମତା ଅକ୍ତିଆର କରନ୍ତି। ଅନ୍ୟ ଭାବରେ କହିଲେ ସମାଜର ବା ରାଷ୍ଟ୍ରର ଜନସାଧାରଣଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରି ତା’ର ଲାଭ ସେମାନେ ଉଠାଇଥାନ୍ତି।

ପପୁଲିଷ୍ଟ ନେତା ପାରମ୍ପରିକ ବିଜ୍ଞତାକୁ ପରିହାର କରି ସଂଖ୍ୟାଧିକ ଲୋକଙ୍କୁ ସୁହାଇବା ପରି କାର୍ଯ୍ୟମାନ କରନ୍ତି। ସାଂପ୍ରତିକ ସମସ୍ୟାଗୁଡିକର ସମାଧାନକୁ ପ୍ରାଥମିକତା ନ ଦେଇ ଏମାନେ ଅତୀତର ‘ଗୌରବ କାହାଣୀ’ ବଖାଣିବାରେ ସିଦ୍ଧହସ୍ତ। ପପୁଲିଷ୍ଟ ଶାସକମାନେ ବୁଦ୍ଧିଜୀବୀମାନଙ୍କୁ କେବଳ ଘୃଣା କରନ୍ତି ନାହିଁ; ବରଂ ବୁଦ୍ଧିଜୀବୀ ଓ ଅନ୍ୟ ବିଶିଷ୍ଟ (ଏଲିଟ୍‍) ଶ୍ରେଣୀର ଲୋକଙ୍କୁ ସାଧାରଣ ଜନତାଙ୍କ ଶତ୍ରୁ ଭାବରେ ଚିତ୍ରଣ କରନ୍ତି। ପପୁଲିଷ୍ଟ ନେତାଙ୍କ ନିକଟରେ ଥାଏ ସାଧାରଣ ଲୋକଙ୍କୁ ଆକର୍ଷିତ କରିପାରୁଥିବା ପରି ବ୍ୟକ୍ତିତ୍ୱ। ସେମାନେ ତାଙ୍କର ଦଳ ବା ସାମାଜିକ ଆନ୍ଦୋଳନର ନେତୃତ୍ୱ କେବଳ ନିଅନ୍ତି ନାହିଁ; ସେମାନେ ‘ଜନତାଙ୍କ ସ୍ୱର’ ଭାବରେ ନିଜକୁ ଉପସ୍ଥାପନ କରନ୍ତି।

ଦକ୍ଷିଣପନ୍ଥୀ ପପୁଲିଷ୍ଟମାନଙ୍କର ଉତ୍‍ଥାନର ଅନେକ କାରଣ ମଧ୍ୟରୁ ଜଗତୀକରଣ ଅନ୍ୟତମ। ଜଗତୀକରଣ ପୃଥିବୀର ବହୁ ଦେଶର ସଂଖ୍ୟାଧିକ ଲୋକଙ୍କ ପାଇଁ ସମୃଦ୍ଧି ଆଣିଥିଲେ ମଧ୍ୟ ବିଭିନ୍ନ ଶ୍ରେଣୀ ମଧ୍ୟରେ ବୈଷମ୍ୟ ମଧ୍ୟ ସୃଷ୍ଟି କରିଛି। ଏହାଦ୍ୱାରା ସ୍ୱଳ୍ପ ବା ମଧ୍ୟମ ଧରଣର କୁଶଳୀ ଶ୍ରମିକମାନଙ୍କ ବ୍ୟତୀତ ମଧ୍ୟବିତ୍ତଙ୍କ ମଧ୍ୟରେ ଏକପ୍ରକାର ଅସୁରକ୍ଷିତ ଭାବ ସୃଷ୍ଟି ହୋଇଛି, ଯାହାର ଫାଇଦା ନେଇଛନ୍ତି ପପୁଲିଷ୍ଟ ନେତାମାନେ। ବ୍ରିଟେନ୍‍ ଇଉରୋପୀୟ ସଂଘରୁ ବାହାରିଯିବା ପ୍ରକ୍ରିୟାକୁ ‘ବ୍ରେକ୍‌ଜିଟ୍‍’ ବୋଲି କୁହାଯାଉଛି। ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ମତରେ ବ୍ରେକ୍‌ଜିଟ୍‍ ଫଳରେ ବ୍ରିଟେନ୍‍ର ଲାଭଠାରୁ ଅଧିକ କ୍ଷତି ହେବ। ଏହା ସତ୍ତ୍ବେ ପପୁଲିଷ୍ଟ ନେତାମାନେ ବ୍ରେକ୍‌ଜିଟ୍‍ ସପକ୍ଷରେ ଜନମତ ସୃଷ୍ଟି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏହିପରି କାରଣରୁ ଆମେରିକାରେ ଟ୍ରମ୍ପଙ୍କ ସପକ୍ଷରେ ଏକ ବିପୁଳ ଜନମତ ରହିଥିବାର ପ୍ରମାଣ ନିକଟରେ ମିଳିଛି, ଯଦିଓ ତାଙ୍କର ନୀତି ଓ ଆଭିମୁଖ୍ୟ ଆନ୍ତର୍ଜାତିକ ସହଯୋଗ, ମୁକ୍ତ ବାଣିଜ୍ୟ, ଜଳବାୟୁ ପରିବର୍ତ୍ତନ ଓ କରୋନା ଭୂତାଣୁ ବିରୋଧୀ ସଂଗ୍ରାମ ଇତ୍ୟାଦି ପାଇଁ କଦାପି ଅନୁକୂଳ ନୁହେଁ। ବିଂଶ ଶତାବ୍ଦୀରେ ଇଟାଲୀର ମୁସୋଲିନି ଓ ଜର୍ମାନୀର ହିଟଲର ଯେପରି ସେମାନଙ୍କ ଦେଶର ଲୋକଙ୍କର ଅସନ୍ତୋଷକୁ ଭିତ୍ତିକରି ପପୁଲିଷ୍ଟ ନେତା ଭାବରେ ସେମାନଙ୍କ ପ୍ରଭାବ ବିସ୍ତାର କରିଥିଲେ, ଏବେ ମଧ୍ୟ କେତେକ ଦେଶର ନେତୃବୃନ୍ଦ ସେହିପରି ପନ୍ଥା ଅନୁସରଣ କରୁଥିବା ଦେଖାଯାଏ। ପପୁଲିଷ୍ଟମାନେ ବିଦେଶାଗତ ଲୋକ ଓ ଶରଣାର୍ଥୀମାନେ ତାଙ୍କ ଦେଶର ସମସ୍ୟା ପାଇଁ ଦାୟୀ ବୋଲି ଚିତ୍ରଣ କରିଥାନ୍ତି, ଯଦିଓ ବାସ୍ତବରେ ଏହା ସତ୍ୟ ନୁହେଁ।

ଅନେକ ସମୟରେ ପପୁଲିଷ୍ଟ ନେତା ସଂବିଧାନ ଓ ଆଇନ୍‍ର ଶାସନକୁ ବ୍ୟଙ୍ଗ କରୁଥିବା ପରି ମନେହୁଏ। ପାରମ୍ପରିକ ଗଣମାଧ୍ୟମ ଓ ସାଂପ୍ରତିକ କାଳରେ ପ୍ରଭାବ ବିସ୍ତାର କରିଚାଲିଥିବା ସାମାଜିକ ଗଣମାଧ୍ୟମକୁ ଏମାନେ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତି। ଫଳରେ ବାସ୍ତବ ପରିସ୍ଥିତି ଯାହା ହେଉନା କାହିଁକି ନେତୃତ୍ୱକୁ ପ୍ରଶ୍ନ କରିବା ତ ଦୂରର କଥା, ପ୍ରକୃତ ସମସ୍ୟାଗୁଡିକ ଲୋକଲୋଚନକୁ ଆସେନାହିଁ। ଆମ ଦେଶରେ ୮୫୦ଟି ଟିଭି ଚ୍ୟାନେଲ୍‍ ଥିବାବେଳେ ପ୍ରାୟ ୨୦ କୋଟି ଟେଲିଭିଜନ ରହିଛି। ଏହି ମାଧ୍ୟମ ଜରିଆରେ ଲୋକ ଶିକ୍ଷା ପାଇଁ ସତ୍ୟନିଷ୍ଠ ସମ୍ବାଦ ପରିବେଷିତ ହୋଇ ପାରୁଛି ବା ଅପେକ୍ଷାକୃତ ଗୌଣ ବିଷୟଗୁଡିକୁ ନେଇ ଅତ୍ୟଧିକ ଚର୍ଚ୍ଚା ଚାଲିଛି ତାହା ବିଚାର କରିବା କଥା। ପପୁଲିଷ୍ଟ ନେତା ଓ ଶସ୍ତା ଲୋକପ୍ରିୟତାରେ ବିଶ୍ୱାସ କରୁଥିବା ଗଣମାଧ୍ୟମଗୁଡିକ ଉଦାରବାଦୀ ଗଣତନ୍ତ୍ର ଆଦର୍ଶର ପରିପନ୍ଥୀ; ସେମାନଙ୍କ ସହଯୋଗରେ ହିଁ ସୃଷ୍ଟି ହେଉଛି ଅଣଉଦାରବାଦୀ ଗଣତନ୍ତ୍ର।

Comments
Loading...