ପଛୁଆ ପାଠ : ଶ୍ରେଣୀକକ୍ଷରେ ଶିକ୍ଷାଦାନ ଏବେ ବି ବଡ଼ ଆହ୍ବାନ

ସମଗ୍ର ବିଶ୍ବର ଶିକ୍ଷା ବ୍ୟବସ୍ଥାକୁ ମହାମାରୀ କରୋନା ଗଭୀର ଭାବେ ପ୍ରଭାବିତ କରିଛି। ଶୈକ୍ଷିକ ବାତାବରଣ ଭିତରେ ଶିକ୍ଷା ଗ୍ରହଣ କରିବା ପିଲାଙ୍କ ପାଇଁ ସର୍ବୋତ୍କୃଷ୍ଟ; କିନ୍ତୁ ସ୍କୁଲ୍‌କଲେଜ ସଂପୂର୍ଣ୍ଣ ବନ୍ଦ ରହିବା ଦ୍ବାରା ଛାତ୍ରଛାତ୍ରୀ ଶ୍ରେଣୀକକ୍ଷରେ ପାଠ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି। ତେବେ ବହୁ ଦେଶରେ ଧୀରେଧୀରେ ମହାମାରୀର ପ୍ରକୋପ ହ୍ରାସ ପାଇବା ପରେ ବିଦ୍ୟାଳୟଗୁଡ଼ିକ ଖୋଲିବାରେ ଲାଗିଛି। ଏଥିପାଇଁ ପ୍ରତିଷେଧମୂଳକ କଟକଣା ଜାରି କରାଯାଉଛି, ଯାହା ଅତି ଆବଶ୍ୟକ। ଭାରତର ଅନେକ ରାଜ୍ୟରେ ଅନ୍‌ଲକ୍‌-୬ରେ ଚଳିତ ମାସରେ ବିଦ୍ୟାଳୟ ଖୋଲିବା ପାଇଁ ଚିନ୍ତା କରାଯାଉଛି। ଆନ୍ଧ୍ରପ୍ରଦେଶ ଓ ଆସାମରେ ୨ ନଭେମ୍ବରରୁ ସ୍କୁଲ୍‌ ଖୋଲାଯାଇଥିବାବେଳେ ଆମ ରାଜ୍ୟରେ ଆସନ୍ତା ୧୬ ତାରିଖରୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କେବଳ ନବମ ଓ ଦଶମ ଶ୍ରେଣୀର ପିଲା ସ୍କୁଲ୍‌କୁ ଆସିପାରିବେ। ଅନ୍ୟମାନଙ୍କ ପାଇଁ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଆପାତତଃ ସ୍ଥିର ହୋଇଛି। କେନ୍ଦ୍ର ସରକାର ଜାରି କରିଥିବା ନିର୍ଦେଶାବଳୀ ଅନୁସାରେ ରାଜ୍ୟ ସରକାରଗୁଡ଼ିକ ସ୍ଥାନୀୟ ସ୍ଥିତିକୁ ଦେଖି ବିଦ୍ୟାଳୟ ଖୋଲିପାରିବେ। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ୍‌ ପଠାଇବେ ନା ନାହିଁ, ତାହା ନିଷ୍ପତ୍ତି ନେବେ। ଅନ୍ୟପକ୍ଷରେ ରିସର୍ଚ ସ୍କଲାର୍‌ ଏବଂ ପ୍ରାକ୍ଟିକାଲ୍‌ ପାଠ୍ୟକ୍ରମ ଥିବା ଛାତ୍ରଛାତ୍ରୀଙ୍କୁ ଅକ୍ଟୋବର ୧୫ରୁ କଲେଜ ଆସିବାକୁ ଅନୁମତି ଦିଆଯାଇଛି; ତେବେ ସମସ୍ତ ପିଲାଙ୍କୁ ଶ୍ରେଣୀକକ୍ଷରେ ଶିକ୍ଷାଦାନ କରିବା କଲେଜଗୁଡ଼ିକ ପାଇଁ ମଧ୍ୟ ବର୍ତ୍ତମାନ ସ୍ଥିତିରେ ଏକ ବଡ଼ ଆହ୍ବାନ। ଏଥିପ୍ରତି ସତର୍କ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ଆମ ଦେଶରେ କରୋନା ସଂକ୍ରମଣ ଶୀର୍ଷକୁ ଛୁଇଁସାରିଥିବା କୁହାଯାଉଛି; କିନ୍ତୁ ଏହାର ଦ୍ବିତୀୟ ଲହଡ଼ି ବିଦେଶରେ ଯେଉଁଭଳି ଭୟଙ୍କର ରୂପ ନେଇ ଆସିଛି, ସେଥିରୁ ଆମେ ଶିକ୍ଷା ନେଇ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରୀ। ବିଶେଷତଃ, ଆଗକୁ ଶୀତଦିନ ଆସୁଥିବାରୁ ଏହାର ପ୍ରକୋପ ବଢ଼ିବ ବୋଲି ଆଶଙ୍କା ରହିଛି। ତେଣୁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ଭଳି ଶାରୀରିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା, ହାତ ଧୋଇବା ଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ବିଧେୟ। ୟୁରୋପ ଓ ଅନ୍ୟ କେତେକ ପାଶ୍ଚାତ୍ୟ ଦେଶରେ ସଂକ୍ରମଣ ବୃଦ୍ଧି ପାଇବାରୁ ଏବେ ପୁଣିଥରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍ ଆଦି ଘୋଷଣା କରାଯାଉଛି; ଅର୍ଥାତ୍‌ ପୂର୍ବରୁ ଖୋଲାଯାଇଥିବା ସ୍କୁଲ୍‌ଗୁଡ଼ିକୁ ପୁଣିଥରେ ବନ୍ଦ କରିବାକୁ ପଡ଼ୁଛି। ଆମ ଏଇଠି ସେଭଳି ସ୍ଥିତି ନ ଉପୁଜୁ। ପିଲାଙ୍କ ପ୍ରତି କରୋନା ସଂକ୍ରମଣର ବିପଦ କମ୍‌ ଥିବା କୁହାଯାଉଛି; କିନ୍ତୁ ଏହା ଭାବି ସଂପୂର୍ଣ୍ଣ ବେପରୁଆ ହୋଇଗଲେ ସ୍ଥିତି ଅଧିକ ସଂଗିନ ହେବା ନିଶ୍ଚିତ। ଇଉରୋପରୁ ଆମେ ସେହି ଶିକ୍ଷା ପାଇସାରିଛୁ। ଅଗଷ୍ଟ ମାସରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୭ଟି ଇଉରୋପୀୟ ଦେଶରେ ମୋଟ ସଂକ୍ରମଣର ପ୍ରାୟ ୫ ଶତାଂଶ ପିଲାଙ୍କଠାରେ ଦେଖାଦେଇଥିଲା। ଏଥିରୁ ଜଣାପଡ଼ୁଛି ଯେ ଏହି ସଂକ୍ରାମକ ରୋଗରୁ ସେମାନେ ମଧ୍ୟ ସଂପୂର୍ଣ୍ଣ ମୁକ୍ତ ନୁହନ୍ତି। ବ୍ରିଟେନରେ ପାଠରେ ଦୁର୍ବଳ ଥିବା ପିଲାଙ୍କୁ ହିଁ ସ୍କୁଲ୍‌କୁ ଆସିବାକୁ କୁହାଯାଇଛି। ଏହା ଆଦୌ ବାଧ୍ୟତାମୂଳକ ନୁହେଁ। ସେହିପରି ଫ୍ରାନ୍ସରେ କୁନିପିଲାଙ୍କ ସହ ଶିକ୍ଷକଙ୍କୁ ମଧ୍ୟ ମାସ୍କ ପିନ୍ଧିବାପାଇଁ କୁହାଯାଇଛି। ଏସବୁ ପ୍ରତିଷେଧମୂଳକ ବ୍ୟବସ୍ଥା ନିହାତି ଜରୁରୀ; କାରଣ ସ୍କୁଲ୍‌ରୁ ପିଲା ଯଦି ଘରକୁ ସଂକ୍ରମଣ ନେଇ ଆସିବେ, ତେବେ ତାହା ସଂଗିନ ପରିସ୍ଥିତି ସୃଷ୍ଟି କରିବ। ତେଣୁ ବହୁତ ଭାବିଚିନ୍ତି ସ୍କୁଲ୍‌ରେ ପାଠ ପଢ଼ାଇବା କଥା ଚିନ୍ତା କରିବାକୁ ହେବ।

ଏହା ସତ ଯେ ଶିକ୍ଷକମାନଙ୍କର ଶତଚେଷ୍ଟା ସତ୍ତ୍ବେ ଅନ୍‌ଲାଇନ୍ ଶିକ୍ଷା ପିଲାଙ୍କ ପାଇଁ ସେତେଟା ପ୍ରଭାବଶାଳୀ ହୋଇପାରୁନାହିଁ। ପ୍ରତିବର୍ଷ ପରି ପ୍ରଥମ୍‌ ସଂସ୍ଥା ପକ୍ଷରୁ ନିକଟରେ ପ୍ରକାଶିତ ଅସର୍‌ (ଆନୁଆଲ୍‌ ଷ୍ଟାଟସ୍‌ ଅଫ୍‌ ଏଜୁକେସନ୍‌ ରିପୋର୍ଟ) ବିବରଣୀରୁ ଏହା ପ୍ରମାଣିତ ହୋଇଯାଇଛି। ଅନ୍ୟବର୍ଷ ଗ୍ରାମାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ପିଲାଙ୍କ ଶିକ୍ଷା କିପରି ଚାଲିଛି, ସାରା ଭାରତରୁ ତଥ୍ୟ ନେଇ ଏହି ରିପୋର୍ଟ ପ୍ରକାଶ ପାଉଥିଲା। ଚଳିତବର୍ଷ ମହାମାରୀ ସମୟରେ ପିଲା କିଭଳି ଶିକ୍ଷାଗ୍ରହଣ କରିଛନ୍ତି, ତା’ରି ଉପରେ ମଧ୍ୟ ସର୍ବେକ୍ଷଣ ହୋଇଛି। ୮,୯୬୩ଟି ବିଦ୍ୟାଳୟର ୫ରୁ ୧୬ ବର୍ଷର ୫୯,୨୫୧ ଜଣ ପିଲାଙ୍କୁ ନେଇ ଏହି ସର୍ବେକ୍ଷଣ ହୋଇଥିଲା। ଏଥିରୁ କେତେକ ଚିନ୍ତାଜନକ କଥା ସାମ୍ନାକୁ ଆସିଛି। ‘ଅସର୍‌’ ରିପୋର୍ଟ ଅନୁଯାୟୀ, ସର୍ବେକ୍ଷଣରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୧୧ ଶତାଂଶ ହିଁ ଲାଇଭ୍‌ ଅନ୍‌ଲାଇନ୍‌ କ୍ଲାସ୍‌ରେ ପାଠ ପଢ଼ୁଥିଲେ। ବିଦ୍ୟାଳୟଗୁଡ଼ିକ ପକ୍ଷରୁ ୮୦ ଶତାଂଶ ପିଲାଙ୍କୁ ପାଠ୍ୟ ଉପକରଣ ଯୋଗାଇ ଦିଆଯାଇଥିବାବେଳେ ୨୪.୩ ଶତାଂଶ ପିଲା ପାଠପଢ଼ାରୁ ସଂପୂର୍ଣ୍ଣ ବଞ୍ଚିତ ହୋଇଥିଲେ। ସେମାନଙ୍କ ପାଖରେ ସ୍ମାର୍ଟଫୋନ୍‌ ନଥିବା ଏହାର ମୁଖ୍ୟ କାରଣ ବୋଲି ସେମାନେ ଦର୍ଶାଇଥିଲେ। ପ୍ରାୟ ୨୫ ଶତାଂଶ ପିଲା ଶିକ୍ଷାଗ୍ରହଣରୁ ସଂପୂର୍ଣ୍ଣ ବଞ୍ଚିତ ରହିବା ଉଦ୍‌ବେଗଜନକ ନିଶ୍ଚୟ। ପ୍ରାୟ ବର୍ଷକର ପାଠ ସେମାନେ ପଢ଼ିପାରିନାହାନ୍ତି। ଆମ ରାଜ୍ୟରେ ଅନ୍‌ଲାଇନ୍‌ ଶିକ୍ଷାର ଦୁଃସ୍ଥିତି ବିଷୟରେ ଆମେ ‘ସମାଜ’ରେ କ୍ରମାଗତ ରିପୋର୍ଟ ପ୍ରକାଶ କରିଆସିଛୁ। ସେଥିରୁ ଆମେ କହିପାରିବା ଯେ ଆମ ରାଜ୍ୟର ବହୁ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ ଶିକ୍ଷା ଏବେ ବି ଅପହଞ୍ଚ। ସେମାନଙ୍କ ପାଇଁ ଅନ୍ୟ ବିକଳ୍ପ ମଧ୍ୟ ନାହିଁ।

ଏପରି ସ୍ଥିତିରେ ପିଲାଏ ଯେଉଁ କ୍ଷତି ସହିଛନ୍ତି, ତା’ର ଭରଣା କରିବା ଦାୟିତ୍ବ ସଂପୃକ୍ତ ବିଦ୍ୟାଳୟ ଓ ଶିକ୍ଷକଙ୍କର। ଅନ୍ତତଃ ପାଠରେ ଦୁର୍ବଳ ଥିବା ପିଲାଙ୍କୁ ଅଧିକ ଧ୍ୟାନ ଦେବା ସହ ସେମାନଙ୍କର ସ୍ବତନ୍ତ୍ର କ୍ଲାସ୍‌ ନେବାର ବ୍ୟବସ୍ଥା କରାଯିବା ଉଚିତ; ନଚେତ୍‌ ସେମାନେ ସୁବିଧାସୁଯୋଗ ହାସଲ କରିଥିବା ଅନ୍ୟ ପିଲାଙ୍କ ତୁଳନାରେ ବହୁ ପଛରେ ପଡ଼ିଯିବା ନିଶ୍ଚିତ। ଦାରିଦ୍ର୍ୟ ପରି ଏ​‌େ​‌ବ ମହାମାରୀ ଦ୍ବାରା ସୃଷ୍ଟ ଶିକ୍ଷା-ବିଭେଦକୁ ଦୂର କରିବା ଜରୁରୀ। ଓଡ଼ିଶା ସରକାର ଦୁର୍ବଳ ପିଲାଙ୍କ ଉନ୍ନୟନ ପାଇଁ ପ୍ରାଥମିକ ସ୍ତରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମସବୁ ପ୍ରଚଳନ କରିଛନ୍ତି। ସେଗୁଡ଼ିକର ଉପଯୁକ୍ତ କାର୍ଯ୍ୟାନ୍ବୟନ ଆବଶ୍ୟକ।

Comments
Loading...