‘ସମାଜ’ ଶତବାର୍ଷିକୀ – ଜାତୀୟ ଯୁବ ଶିବିର ୨୦୧୯ ଉଦଯାପିତ

କଟକ: ‘ସମାଜ’ ଶତବାର୍ଷିକୀ ଅବସରରେ ଆଜି ସନ୍ଧ୍ୟାରେ ଆୟୋଜିତ ହେଉଛି ଜାତୀୟ ଯୁବ ଶିବିର ୨୦୧୯ର ଉଦଯାପନୀ ସମାରୋହ। ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ହଲରେ ଆୟୋଜିତ ହେଉଥିବା ଏହି ଉଦଯାପନୀ ଉତ୍ସବରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜାତୀୟ ଯୁବ ପ୍ରକଳ୍ପର ନିର୍ଦ୍ଦେଶକ ତଥା ବିଶିଷ୍ଟ ଗାନ୍ଧିବାଦୀ ଡ. ଏସ.ଏନ ସୁବାରାଓ, ପୂର୍ବତନ ସୂଚନା ଆୟୁକ୍ତ ଜଗଦାନନ୍ଦ, ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ, ସମ୍ପାଦକ ବାମାପଦ ତ୍ରିପାଠୀ, ସମାଜର ମୁଦ୍ରାକାର ତଥା ପ୍ରକାଶକ ନିରଞ୍ଜନ ରଥ ଏବଂ ସାଧାରଣ ପରିଚାଳକ ପ୍ରିୟବ୍ରତ ମହାନ୍ତି ଯୋଗ ଦେଇଛନ୍ତି।

ସମାଜର ସାଧାରଣ ପରିଚାଳକ ପ୍ରିୟବ୍ରତ ମହାନ୍ତି ଏହି ଉତ୍ସବ ସମ୍ପର୍କରେ ସୂଚନା ଦେଇ ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନ ଆଦର୍ଶ ଓ ସାଧାରଣ ଜନ ଜୀବନ ପ୍ରତି ତାଙ୍କର ଥିବା ସରଳ ମନୋଭାବ ବିଷୟରେ ଆଲୋଚନା କରିଛନ୍ତି। ସେ କହିଛନ୍ତି, ବିଗତ ୧୦୦ ବର୍ଷ ମଧ୍ୟରେ ସମାଜ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛି।

ଏହି ଅବସରରେ ମୁଖ୍ୟ ଅତିଥି ଜଷ୍ଟିସ ଦୀପକ ମିଶ୍ର ଡକ୍ଟର ଆଶୁତୋଷ ବଳଙ୍କୁ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ନିମନ୍ତେ ‘ସମାଜ ସମ୍ମାନ’ ପ୍ରଦାନ କରିଛନ୍ତି।

ନୃତ୍ୟଗୁରୁ ଧ୍ୟାନାନନ୍ଦ ପଣ୍ଡାଙ୍କୁ ସଂସ୍କୃତି କ୍ଷେତ୍ରରେ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟ ଅତିଥି ଜଷ୍ଟିସ ଦୀପକ ମିଶ୍ର।

କ୍ରୀଡା କ୍ଷେତ୍ରରେ ଵିଭାରାଣୀ ପାତ୍ରଙ୍କୁ ଯୁବ ପ୍ରତିଭା ସମ୍ମାନରେ ସମ୍ମାନିତ କରିଛନ୍ତି ମୁଖ୍ୟ ଅତିଥି ଜଷ୍ଟିସ ଦୀପକ ମିଶ୍ର। ଏହି ଉତ୍ସବରେ ସମାଜ ଖବରକାଗଜ ସହ ଜଡିତ ସମ୍ବାଦଦାତା, ପରିଚାଳନା ଅଧିକାରୀ, ବିକ୍ରେତାମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।

ପୂର୍ବତନ ସୂଚନା ଆୟୁକ୍ତ ତଥା ସିୱାଇଏସଡିର ପ୍ରତିଷ୍ଠାତା ଜଗଦାନନ୍ଦ ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ କହିଛନ୍ତି, ଜାତୀୟ ଯୁବ ଶିବିରରେ ଯୋଗ ଦେଇଥିବା ଦେଶର କୋଣ ଅନୁକୋଣରୁ ଆସିଥିବା ଯୁବକ ଯୁବତୀମାନେ ଆଜି ଲୋକ ସେବକ ମଣ୍ଡଳ ସହିତ ସଂଶ୍ଳୀଷ୍ଟ ହୋଇ ପାରିଛନ୍ତି। ଆଗାମୀ ଦିନରେ ସମାଜ ଭଳି ଲୋକସେବକ ମଣ୍ଡଳ ମଧ୍ୟ ୧୦୦ ବର୍ଷ ପୂରଣ କରିବ ଓ ଶିବିରରେ ଯୋଗ ଦେଇଥିବା ସଭ୍ୟମାନେ ସେତେବେଳକୁ ଓଡିଶା ପାଇଁ ଅନେକ କିଛି କରି ପାରିବେ। ସେ କହିଛନ୍ତି, ଗୋପବନ୍ଧୁ ଜ୍ୟୋତି ଯାତ୍ରାରେ କୃଷକମାନଙ୍କୁ ପ୍ରାଧାନ୍ୟ ଦିଆଯିବା ଅର୍ଥ ହେଉଛି ଓଡ଼ିଶାରେ କୃଷି ଓ କୃଷକଙ୍କ କ୍ଷେତ୍ରରେ ଏକ ନୂଆ ପରିବର୍ତ୍ତନ ହେବାକୁ ଯାଉଛି।

ଏହି ଅବସରରେ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଶିବିରାର୍ଥୀମାନଙ୍କୁ ଏକ ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରିବ ସହ ନିଜର ଅଭିଭାଷଣ ଆରମ୍ଭ କରିଥିଲେ। ସେ କହିଛନ୍ତି, ଉତ୍କଳମଣିଙ୍କ ମାନବ ସମାଜ ପ୍ରତି ଅବଦାନ କେବଳ ସେବା ନ ଥିଲା, ତାହା ଈଶ୍ୱରଙ୍କ ପ୍ରତି ଥିଲା ମହାନ ସମର୍ପଣ। ଶିବିରରେ ଯୋଗ ଦେଇଥିବା ଯୁବକ ଯୁବତୀମାନେ ସେବାର ଓ ସମର୍ପଣର ପ୍ରତୀକ ହୁଅନ୍ତୁ ବୋଲି ଜଷ୍ଟିସ ମିଶ୍ର କହିଛନ୍ତି।

ଜଷ୍ଟିସ ମିଶ୍ର କହିଛନ୍ତି, ଜ୍ଞାନର ଶେଷ ନ ହେଉ, ଏହି ଜ୍ଞାନ ସେବା ଓ ସମର୍ପଣ ଭାବରେ ବିକଶିତ ହେବା ସହ ଦେଶର ଉନ୍ନତିରେ ପ୍ରମୁଖ ଭୂମିକା ଗ୍ରହଣ କରୁ। ସତ୍ୟବାଦୀ ବନ ବିଦ୍ୟାଳୟ କଥା ସ୍ମରଣ କରି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି, ସେ ହିଁ ଭବିଷ୍ୟତକୁ ନିଜ ହାତ ମୁଠାରେ ରଖିପାରେ ଯିଏ ବର୍ତ୍ତମାନକୁ ସଫଳ ଭାବରେ ଉପଯୋଗ କରେ। ସେ କହିଛନ୍ତି, କର୍ତ୍ତବ୍ୟର ଅନ୍ତ ନାହିଁ ଏବଂ ସଠିକ ଭାବେ କର୍ତ୍ତବ୍ୟ କରିପାରିଲେ ତାହା ସୁଗନ୍ଧିତ ପୁଷ୍ପ ଭଳି ସୁଗନ୍ଧ ବିତରଣ କରିଥାଏ। ଏହି ଶିବିରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଗୋଟିଏ ଜ୍ୟୋତି ସହ ତୁଳନା କରି କହିଛନ୍ତି ଯେ ସମସ୍ତଙ୍କ ମଧ୍ୟରେ ଗୋପବନ୍ଧୁଙ୍କ ଭାବନା ଜାଗ୍ରତ ହେବା ଆବଶ୍ୟକ।

ଉତ୍ସବରେ ଜଷ୍ଟିସ ମିଶ୍ର ଜୁରୀ ସଦସ୍ୟମାନଙ୍କୁ ସମ୍ମାନିତ କରିଛନ୍ତି। ପୂର୍ବତନ ସୂଚନା ଆୟୁକ୍ତ ଜଗଦାନନ୍ଦଙ୍କୁ ଜଷ୍ଟିସ ମିଶ୍ର ପୁଷ୍ପ ଗୁଛ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି।

ଜଷ୍ଟିସ ମିଶ୍ର ଜୁରୀ ସଦସ୍ୟ ପ୍ରଫେସର ଡକ୍ଟର ବିମଳେନ୍ଦୁ ମହାନ୍ତିଙ୍କୁ ପୁଷ୍ପ ଗୁଛ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି।

ଜଷ୍ଟିସ ମିଶ୍ର ଜୁରୀ ସଦସ୍ୟ ଅବସର ବେଉରିଆଙ୍କୁ ପୁଷ୍ପ ଗୁଛ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି।

ଜୁରୀ ସଦସ୍ୟ ଅବସରପ୍ରାପ୍ତ ଆଇଏଏସ ଅରବିନ୍ଦ ବେହେରାଙ୍କୁ ପୁଷ୍ପ ଗୁଛ ଓ ମାନପତ୍ର ଦେଇ ସମ୍ମାନିତ କରିଛନ୍ତି ଜଷ୍ଟିସ ଦୀପକ ମିଶ୍ର।

ଉତ୍ସବ ଶେଷରେ ସମସ୍ତ ଶିବିରାର୍ଥୀଙ୍କୁ ସାର୍ଟିଫିକେଟ ଓ ମାନପତ୍ର ପ୍ରଦାନ କରାଯାଇଥିଲା।

Comments are closed.