ଶହୀଦମାନଙ୍କ ବଳିଦାନ ସର୍ବଦା ଅମର ହୋଇ ରହିଛି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚୌରୀ ଚୌରା ଘଟଣା କେବଳ ଏକ ଥାନା ଜଳାଇଦେବାର ଘଟଣା ନଥିଲା, ଏହା ବ୍ରିଟିଶ ଶାସନ ବିରୁଦ୍ଧରେ ସାମୂହିକ ପୁଞ୍ଜିଭୂତ ଅସନ୍ତୋଷର ପ୍ରତିଫଳନ ଥିଲା। ଶ୍ରୀ ମୋଦୀ କହିଛନ୍ତି ଚୌରୀ ଚୌରାର ଶହୀଦମାନେ ଇତିହାସରେ ହୁଏତ କ୍ୱଚିତ ସ୍ଥାନ ପାଇପାରି ନଥାନ୍ତି, କିନ୍ତୁ ସେମାନଙ୍କର ବଳିଦାନ ସର୍ବଦା ଅମର ହୋଇ ରହିଛି। ଚୌରୀ ଚୌରା ଶତବାର୍ଷିକୀ ଉତ୍ସବକୁ ଉଦ୍‍ଘାଟନ କରି ଶ୍ରୀ ମୋଦୀ କହିଛନ୍ତି ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ତମ ବାର୍ଷିକୀ ପାଳନ କରିବାକୁ ଯାଉଛି ଓ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବାର ଏହା ହେଉଛି ପ୍ରକୃଷ୍ଟ ସମୟ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ଚୌରୀ ଚୌରା ଶତବାର୍ଷିକୀ ଉପରେ ଏକ ଡାକଟିକଟ ଉନ୍ମୋଚନ କରିଛନ୍ତି। ସ୍ୱାଧୀନତା ସଂଗ୍ରାମ ସମୟରେ ଘଟିଥିବା ଚୌରୀ ଚୌରା ଘଟଣାର ଆଜି ଶହେବର୍ଷ ପୂରଣ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଉଦ୍‍ଘାଟନ ସହ ବର୍ଷେ ବ୍ୟାପି ଶତବାର୍ଷିକୀ ପାଳନ ଉତ୍ସବ ଆରମ୍ଭ ହୋଇଛି। ଏଥିପାଇଁ ସମଗ୍ର ଉତ୍ତରପ୍ରଦେଶରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମ୍ମୃତିରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ରାଜ୍ୟବ୍ୟାପୀ ପ୍ରବନ୍ଧ ଲିଖନ, ବିତର୍କ ଓ ଅନ୍ୟ ପ୍ରତିଯୋଗିତାମାନ କରାଯିବ। ବିଭିନ୍ନ ସରକାରୀ ବିଭାଗ ଚୌରୀ ଚୌରା ଶତବାର୍ଷିକୀର ‘ଲୋଗୋ’ ବ୍ୟବହାର କରିବେ। ଗୋରଖପୁର ଡିଭିଜନର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକର ଛାତ୍ରଛାତ୍ରୀମାନେ ଚୌରୀ ଚୌରା ଓ ଅନ୍ୟାନ୍ୟ ସ୍ମାରକୀସ୍ଥଳୀ ବୁଲି ଦେଖିବେ। ଉତ୍ତର ପ୍ରଦେଶ ସରକାର ଏହି ଅବସରରେ ଏକ ୱେବ୍‍ସାଇଟ୍‍ର ଶୁଭାରମ୍ଭ କରିଛନ୍ତି। ଏହି ୱେବ୍‍ସାଇଟ୍‍ ମାଧ୍ୟମରେ ଯୁବସମାଜକୁ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସମ୍ବନ୍ଧରେ ସୂଚନା ଦିଆଯିବ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ବୋର୍ଡ ପାଠ୍ୟକ୍ରମରେ ଏହି ଐତିହାସିକ ଘଟଣାକୁ ସ୍ଥାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୌରୀ ଚୌରା ଗସ୍ତ କରି ସ୍ମାରକୀସ୍ଥଳୀଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଚୌରୀ ଚୌରା ଘଟଣା ଦେଶର ସ୍ୱାଧୀନତା ସଂଗ୍ରାମକୁ ଏକ ନୂଆ ଦିଗ୍‍ଦର୍ଶନ ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Comments are closed.