ବେଙ୍ଗା ନଦୀ ପାଲଟିଛି ଦୁଃଖ; ତିନି ଗ୍ରାମର ବାସିନ୍ଦାଙ୍କ ସାହାରା ବାଉଁଶ ଚାର

କଣ୍ଡିଆହାଟ: ବେଙ୍ଗା ନଦୀ ତିନିଟି ଗ୍ରାମବାସୀଙ୍କ ପାଇଁ ଦୁଃଖ ପାଲଟିଛି । ବର୍ଷକ ବାର ମାସ ଗମନାଗମନରେ ଏହା ଅନ୍ତରାୟ ସୃଷ୍ଟି କରୁଛି । ବର୍ଷାଋତୁରେ ପୂର୍ଣ୍ଣଗର୍ଭା ବେଙ୍ଗା ନଦୀରେ ପାରଉତରା ପାଇଁ ଲୋକେ ହୁଲି ଡଙ୍ଗା ଉପରେ ନିର୍ଭର କରୁଥିଲା ବେଳେ ଖରାଦିନେ ବାଉଁଶ ଚାର ସାହାଭରସା ପାଲଟିଛି । ସ୍ବାଧୀନତାପ୍ରାପ୍ତିର ୫ ଦଶନ୍ଧି ପରେ ବି କେନ୍ଦ୍ରାପଡା ଜିଲାର ଉପାନ୍ତ ଅଞ୍ଚଳ ପଧାନପଡା ପଞ୍ଚାୟତର ବଡହଳପଡା, ସାନହଳପଡା ଓ ବାଲିସାହି ଗ୍ରାମବାସୀଙ୍କ ଗମନାଗମନ ସମସ୍ୟା ଦୂର ହୋଇପାରି ନାହିଁ । ଫଳରେ ୨ ହଜାରରୁ ଊର୍ଦ୍ଧ୍ବ ଦଳିତ ଜାତିର ଲୋକେ ଯାତାୟତ ପାଇଁ ହନ୍ତସନ୍ତ ହେଉଛନ୍ତି।
ଖରସ୍ରୋତାର ଶାଖା ବେଙ୍ଗା ନଦୀ ଯାଜପୁର ଜିଲାର ନୂଆମାହାରରୁ ବାହାରି କନପୁରଠାରେ ବୈତରଣୀରେ ମିଶିଛି। ନଦୀଟି ଚିରସ୍ରୋତା । ବର୍ଷାଦିନେ ଏହା ଉଗ୍ରଭୂପ ଧାରଣ କରେ । ସ୍ଥାନୀୟ ପଲୋକେ ପଡୋଶୀ ଅଞ୍ଚଳ ହାଟସାହିକୁ ଯିବା ପାଇଁ ହୁଲି ଡଙ୍ଗାରେ ନଦୀରେ ପାରଉତାର ହେବାକୁ ପଡ଼ିଥାଏ। ଛାତ୍ରଛାତ୍ରୀ ହାଟସାହି ହାଇସ୍କୁଲ ଓ ବି.ଆର. ସାଇନ୍ସ କଲେଜକୁ ଡଙ୍ଗାରେ ଯାତାୟତ କରିଥାନ୍ତି। ଘାଟିଆ ନ ରହିଲେ ଲୋକଙ୍କୁ ପହଁରୁ ନଦୀ ପାର ହେବାକୁ ପଡ଼ିଥାଏ ା ରାତି ଅଧରେ କାହାର ଦେହ ଖରାପ ହେଲେ ରୋଗୀକୁ କଣ୍ଡିଆହାଟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା କାଠିକର ପାଠ ହୋଇଥାଏ। ବର୍ଷାଦିନକୁ ଛାଡି ଦେଲେ ଖରାଦିନରେ ଲୋକେ ନଦୀରେ ବାଉଁଶ ଚାର ପକାଇ ଯିବାଆସିବା କରଥାନ୍ତି। ଲୋକଙ୍କ ଜମିବାଡି ହାଟସାହି ଅଞ୍ଚଳରେ ଥିବାରୁ ସେମାନଙ୍କୁ ଦୈନିକ ହାଟସାହି ଅଞ୍ଚଳକୁ ଆସିବାକୁ ପଡିଥାଏ।

ଏହି ତିନିଟି ଗ୍ରାମର ଲୋକଙ୍କ ମୁଖ୍ୟ ଜୀବନ ଜିବିକା ହେଉଛି କୃଷି ଓ ମାଛ ବେପାର। ନଦୀରୁ ମାଛ ମାରି ମହିଳାମାନେ ଗାଁ ଗଣ୍ଡା ବୁଲି ବିକିଥାନ୍ତି। ମତ୍ସ୍ୟଜୀବୀଙ୍କ ପାଇଁ ନଦୀଟି ବରଦାନ ସଦୃଶ୍ୟ ହୋଇଥିବା ବେଳେ ଅନ୍ୟ ଲୋକଙ୍କ ପାଇଁ କାଳ ସାଜିଛି । ପଡ଼ି ସାମଗ୍ରୀ ପାଇଁ ଲୋକଙ୍କୁ ୪ କିଲୋମିଟର ଦୂର ଦୁର୍ଗାଦେବୀ ପଡାକୁ ଯିବାକୁ ପଡ଼ିଥାଏ । ରେସନ ସାମଗ୍ରୀ ମୁଣ୍ଡରେ ବୋହି ଆଣିବାକୁ ପଡ଼ୁଥିଲା ବେଳେ ନଦୀ ପାର ସେମାନଙ୍କ ପାଇଁ କାଳ ହେଉଛି। ରାଜ୍ୟ ସରକାର ଗାଁକୁ ଗାଁ ଯୋଡିବା ପାଇଁ ପୋଲ ନିର୍ମାଣ କରୁଥିବା ବେଳେ ଭାରତ ସ୍ୱାଧୀନତାର ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ବେଙ୍ଗା ନଦୀ ପରେ ସେତୁଟିଏ ନିର୍ମାଣ ହୋଇପାରି ନାହିଁ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ଜନନେତାଙ୍କ ଇଛାଶକ୍ତି ଅଭାବକୁ ଦାୟୀ କରିନ୍ତି ଲୋକେ। ଏଠାରେ ପୋଲ ନିର୍ମାଣ କରିବା ପାଇଁ କେନ୍ଦ୍ରାପଡା ଜିଲା ପରିଷଦ ସଭ୍ୟ ଜୟଦେବ ଦାସ ବହୁ ବାର ଜିଲା ପରିଷଦ ବୈଠକରେ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନ କର୍ଣ୍ଣପାତ କରିନାହିଁ। କେନ୍ଦ୍ରାପଡା ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲାପରିଷଦ ସଭ୍ୟ ଶ୍ରୀ ଦାସ, ପ୍ରାକ୍ତନ ସମିତି ସଭ୍ୟ ସନାତନ ଦାସ ଓ ଚାଷୀ ନିରାକାର ଦାସ ପ୍ରମୁଖଙ୍କ ସମେତ ୩ ଗ୍ରାମର ବାସିନ୍ଦା ଦାବି କରିଛନ୍ତି।

Comments are closed.