ବରଫ ହେଲା ଡାଲ୍‌; ୩୦ବର୍ଷରେ ରେକର୍ଡ ଥଣ୍ଡା

ଶ୍ରୀନଗର/ନୂଆଦିଲ୍ଲୀ: କାଶ୍ମୀରରେ ରେକର୍ଡ ଶୀତ ଅନୁଭୂତ ହେଉଛି। ଶ୍ରୀନଗରରେ ଏହା ଗତ ୩୦ବର୍ଷର ରେକର୍ଡ ଭାଙ୍ଗିଛି। ଏଠାରେ ଗୁରୁବାର ସକାଳର ତାପମାତ୍ରା ବିଯୁକ୍ତ ୮.୪ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି। ବୁଧବାର ରାତିରେ ପ୍ରସିଦ୍ଧ ଡାଲ୍‌ ହ୍ରଦ ବରଫ ପାଲଟି ଯାଇଥିବା ଲକ୍ଷ୍ୟ କରାଯାଇଛି। ୧୯୯୧ ପରଠାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇ ନ ଥିବା କୁହାଯାଉଛି। ସେହି ବର୍ଷ ତାପମାତ୍ରା ଥିଲା ବିଯୁକ୍ତ ୧୧.୮ ସେଲ୍‌ସିୟସ୍‌। ଏତଦ୍‌ବ୍ୟତୀତ ୧୯୯୫ର ଏହି ସମୟରେ ଏହା ବିଯୁକ୍ତ ୧୧.୩ ସେଲ୍‌ସିୟସ ଥିଲା। ଏହା ପୂର୍ବରୁ ୧୮୯୩ରେ ରେକର୍ଡ ସର୍ବନିମ୍ନ ତାପମାତ୍ରା ଥିଲା ୧୪.୪ ସେଲ୍‌ସିୟସ୍‌।

ଅପରପକ୍ଷରେ ରାଜଧାନୀ ଦିଲ୍ଲୀର ଅବସ୍ଥା ମଧ୍ୟ ଅସମ୍ଭାଳ ହୋଇପଡ଼ିଛି। ଗୁରୁବାର ସକାଳେ ଏଠାକାର ତାପମାତ୍ରା ମାତ୍ର ୨ ଡିଗ୍ରି ସେଲ୍‌ସିୟସ ରେକର୍ଡ କରାଯାଇଛି; ଯାହାକି ଚଳିତ ଶୀତ ଋତୁରେ ସର୍ବନିମ୍ନ ଅପେକ୍ଷା ସାମାନ୍ୟ ଅଧିକ। ନୂଆ ବର୍ଷ ଜାନୁଆରୀ ୧ରେ ଏହା ୧.୧ ଡିଗ୍ରି ଥିଲା। ଏଥିଯୋଗୁଁ ରାଜଧାନୀ ଘନ କୁହୁଡ଼ିର ଆସ୍ତରଣ ତଳେ ରହିଥିବା ଦେଖାଯାଇଥିଲା। ସଫଦରଜଙ୍ଗ ଅଞ୍ଚଳରେ ସବାଧିକ ଥଣ୍ଡା ଅନୁଭୂତ ହୋଇଥିଲା। ଦିଲ୍ଲୀ ସମେତ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ପ୍ରବଳ ଶୀତ ସହିତ ଘନ କୁହୁଡି ଲାଗିଛି। ଘନ କୁହୁଡି ଯୋଗୁଁ ଯମୁନା ଏକ୍ସପ୍ରେସ୍‌ ୱେରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି। କୁହୁଡି ଯୋଗୁଁ ଦୃଶ୍ୟମାନ ଦୂରତା କମ୍ ରହିବାରୁ ଏହି ଦୁର୍ଘଟଣା ହୋଇଥିବା ପୁଲିସ କହିଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ଆହତ ହୋଇଛନ୍ତି।

Comments are closed.