ରେଳବାଇର ଘରୋଇକରଣ ପ୍ରସଙ୍ଗରେ ମୁହଁ ଖୋଲିଲେ ରେଳମନ୍ତ୍ରୀ, ବର୍ତ୍ତମାନ ଚାଲୁଥିବା ଟ୍ରେନ ଉପରେ କୌଣସି ପ୍ରଭାବ ପଡିବ ନାହିଁ

ଚାଲିବ ଅତ୍ୟାଧୁନିକ ଟ୍ରେନ, ବିମାନ ଭଳି ଦିଆଯିବ ସେବା

ନୂଆଦିଲ୍ଲୀ : ଟାଟା, ଆଦାନୀ ଏବଂ ଏସେଲ ଗ୍ରୁପ ଭଳି ଘରୋଇ କମ୍ପାନୀଙ୍କ ସହଯୋଗିତାରେ ଚାଲିବ ଯାତ୍ରୀବାହୀ ଟ୍ରେନ । ରେଳବାଇକୁ ଘରୋଇକରଣ କରିବାକୁ କେନ୍ଦ୍ର ସରକାର ​ଯୋଜନା କରୁଥିବା ନେଇ କିଛି ଦିନ ହେବ ଯେଉଁ ଆଲୋଚନା ଚାଲୁଥିଲା ଏବେ ତାହା ଉପରୁ ପରଦା ହଟିଛି । ଏ ନେଇ ଆଜି ମୁହଁ ଖୋଲିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ । ଶ୍ରୀ ଗୋଏଲ କହିଛନ୍ତି ଯେ, ରେଳବାଇ ଘରୋଇକରଣ ହେବନାହିଁ । ଘରୋଇ କମ୍ପାନୀଙ୍କ ସହଯୋଗରେ ଯାତ୍ରୀବାହୀ ଟ୍ରେନ ଚାଲିଲେ ତାହା ବର୍ତ୍ତମାନ ଚାଲୁଥିବା ଟ୍ରେନର ଚଳାଚଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ରେଳମନ୍ତ୍ରୀଙ୍କ ମତରେ ଘରୋଇ ସଂସ୍ଥା ଜରିଆରେ ଟ୍ରେନ ଚାଲିଲେ ରୋଜଗାରର ନୂଆ ଅବସର ସୃଷ୍ଟି ହେବ। ଯୋଜନାନୁଯାୟୀ, ଦେଶର ୧୦୯ରୁ ଅଧିକ ରୁଟ୍‌ରେ ୧୫୧ ଟ୍ରେନ (ରେକ୍‌) ଚାଲିବ । ଅଧିକ ଚାହିଦା ଥିବା ରୁଟ୍‌ରେ ଏସବୁ ଟ୍ରେନ ଚାଲିବ। ଏଥିରେ ଯାତ୍ରୀଙ୍କୁ ସର୍ବୋତ୍ତମ ସୁବିଧା ମିଳିବ । ଏହା ଫଳରେ ଅତ୍ୟାଧୁନିକ ଟେକ୍ନୋଲୋଜି ପ୍ରୟୋଗ ହେଲେ ରେଳ ଭିତ୍ତିଭୂମିରେ ସୁଧାର ଆସିବ । ଏହାଛଡା ବିମାନ ଭଳି ଏ ସବୁ ଟ୍ରେନରେ ଯାତ୍ରୀ ନିଜ ମନ ମୁତାବକ ସୁବିଧା ପାଇପାରିବେ । ଏଥିରେ ଯାତ୍ରୀ ବିମାନ ଭଳି ଚାହୁଁଥିବା ସିଟ୍‌, ବ୍ୟାଗେଜ୍‌, ଯାତ୍ରା ସମୟରେ ଅଧିକ ସେବା ପାଇଁ ଅତିରିକ୍ତ ଚାର୍ଜ ପଇଠ କରିବେ ​ବୋଲି ଶ୍ରୀ ଗୋଏଲ କହିଛନ୍ତି । ତେବେ ଅସଲ କଥା ହେଉଛି ଏସବ ଟ୍ରେନର ଯାତ୍ରା ଭଡା ଘରୋଇ କମ୍ପାନୀ ଧାର୍ଯ୍ୟ କରିବେ । କାରଣ ରେଳବାଇ ଘରୋଇ ସଂସ୍ଥା ଉପରେ ଭଡ଼ା ନିଷ୍ପତ୍ତି ଛାଡିଦେଇଛି ।

Comments are closed.