ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର : ୨୮,୨୯ ଓ ୩୧ରେ ପଦୋନ୍ନତି ଅଦାଲତ

ଭୁବନେଶ୍ବର: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦିର୍ଘଦିନ ଧରି ଚାକିରିରେ ରହିଥିଲେ ମଧ୍ୟ ପଦୋନ୍ନତିରୁ ବଞ୍ଚିତ ଥିବା କର୍ମଚାରୀ ଏଣିକି ପଦୋନ୍ନତି ପାଇ ପାରିବେ। ଆଉ ଏଥିପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପଦୋନ୍ନତି ଅଦାଲତ। ଯେଉଁ ରାଜ୍ୟ ସରକାରଙ୍କ କର୍ମଚାରୀ ଦିର୍ଘଦିନ ଧରି ଚାକିରି କରିଥିଲେ ମଧ୍ୟ ପଦୋନ୍ନତି ପାଇ ନଥାନ୍ତି  ସେମାନେ ଏହି ପଦୋନ୍ନତି ଅଦାଲତରେ ଆବେଦନ କରିପାରିବେ । ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଜାନୁଆରୀ ୨୮,୨୯ ଓ ୩୧ରେ ପଦୋନ୍ନତି ଅଦାଲତ ବସିବ। ଏଣୁ ରାଜ୍ୟ ସରକାରୀ କର୍ମଚାରୀ ପଦୋନ୍ନତି ପାଇଁ ଜାନୁଆରୀ ୨୩ ସୁଦ୍ଧା ଆବେଦନ ପାଇଁ ଅନୁରୋଧ କରାଯାଇଛି। ସରକାରୀ କର୍ମଚାରୀ ପଦୋନ୍ନତି ପାଇଁ gadmin.or@nic.in ଇମେଲ ଯୋଗେ ଆବେଦନ କରିପାରିବେ।

ଆସନ୍ତା ୨୮,୨୯ ଓ ୩୧ରେ ବସିବାକୁ ଥିବା ପଦୋନ୍ନତି ଅଦାଲତରେ ୬ଜଣ ବରିଷ୍ଠ ଆଇଏଏସ ଅଫିସର ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସମସ୍ତ ଅଭିଯୋଗର ଶୁଣାଣି କରିବେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି । ଗୋପବନ୍ଧୁ ଏକାଡ଼େମୀରେ ଶୁଣାଣି କରିବେ ଆଇଏଏସ୍ ସୁରେଶ ମହାପାତ୍ର । ସେହିପରି କୃଷି ଭବନରେ ଶୁଣାଣି କରିବେ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର । କଳିଙ୍ଗ ଷ୍ଟାଡ଼ିଅମରେ ଶୁଣାଣି କରିବେ ଆଇଏଏସ୍ ଆର.କେ.ଶର୍ମା । ଏସ୍‌ଆଇଆର୍‌ଡ଼ି କନଫରେନ୍ସ ହଲରେ ଶୁଣାଣି କରିବେ ଆଇଏଏସ୍ ପ୍ରଦୀପ ଜେନା । ଇଡ଼କୋ କନଫରେନ୍ସ ହଲରେ ଶୁଣାଣି କରିବେ ଆଇଏଏସ୍ ମୋନା ଶର୍ମା।

ସୂଚନାଯୋଗ୍ୟ ଯେ, ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ପଦୋନ୍ନତି ପ୍ରଦାନ ନେଇ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। ପଦୋନ୍ନତି ବ୍ୟବସ୍ଥାକୁ ରାଜ୍ୟ ସରକାର ୫-ଟି ପରିସରଭୁକ୍ତ କରିଛନ୍ତି । ଫଳରେ କର୍ମଚାରୀମାନେ ଏ କ୍ଷେତ୍ରରେ ଉପଯୁକ୍ତ ନ୍ୟାୟ ପାଇପାରିବେ। ପଦୋନ୍ନତି କ୍ଷେତ୍ରରେ କୌଣସି ପ୍ରକାର ଅବହେଳା କଲେ ପଦୋନ୍ନତି ଅଦାଲତ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ଉତ୍ତରଦାୟୀ କରିବେ। ନିକଟରେ ପଦୋନ୍ନତି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସମୟସୀମା ଧାର୍ଯ୍ୟ କରିଥିଲେ। ଏହି ସମୟ ମଧ୍ୟରେ ଯେଉଁ ଯୋଗ୍ୟ କର୍ମଚାରୀ ପଦୋନ୍ନତି ପାଇପାରିନାହାନ୍ତି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ‘ପଦୋନ୍ନତି ଅଦାଲତ’ ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। ଡିସେମ୍ବର ୨୩ରେ ପଦୋନ୍ନତିଯୋଗ୍ୟ କର୍ମଚାରୀଙ୍କୁ ଜାନୁଆରୀ ୧ରୁ ମିଳିବ ପଦୋନ୍ନତି ଦିଆଯିବ ଏବଂ ପଦୋନ୍ନତି ପ୍ରକ୍ରିୟାରେ ବିଳମ୍ବ ନକରି ପ୍ରତିବର୍ଷ ଡିସେମ୍ବର ୩୧ ସୁଦ୍ଧା ପଦୋନ୍ନତି ପ୍ରକ୍ରିୟା ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Comments are closed.