ମହାରାଜା ସୋହେଲ ଦେବଙ୍କ ଦେଶଭକ୍ତି ଓ ସେବା ଆମ ପାଇଁ ପ୍ରେରଣାର ଉତ୍ସ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ମହାରାଜା ସୋହେଲ ଦେବଙ୍କ ଭଳି ମହାନ୍ ବ୍ୟକ୍ତିମାନଙ୍କ ଅବଦାନକୁ କେବେ ଭୁଲାଯାଇ ପାରିବ ନାହିଁ। ଦେଶ ପାଇଁ ବଳିଦାନ ଦେଇଥିବା ମହାନ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନାହିଁ ଓ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଉତ୍ତରପ୍ରଦେଶର ବହରାଇଚ୍ ଜିଲ୍ଲାସ୍ଥିତ ଚିତ୍ତୌରା ଲେକ୍ଠାରେ ମହାରାଜା ସୋହେଲ ଦେବ ସ୍ମାରକୀ ଓ ବିକାଶ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଶ୍ରୀ ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
A tribute to the great Maharaja Suheldev. https://t.co/emgua921lP
— Narendra Modi (@narendramodi) February 16, 2021
ଶ୍ରୀ ମୋଦୀ ମହାରାଜା ସୋହେଲ ଦେବଙ୍କ ନାମରେ ଏକ ମେଡ଼ିକାଲ କଲେଜକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ବସନ୍ତ ପଞ୍ଚମୀ ସମସ୍ତ ଭାରତୀୟଙ୍କ ପାଇଁ ଏକ ପବିତ୍ର ଦିବସ ଓ ଏହା ଜ୍ଞାନର ପ୍ରତୀକ ବହନ କରେ। ବସନ୍ତ ପଞ୍ଚମୀ ଦେଶପାଇଁ ଉତ୍ସାହ ଓ ଉଦ୍ଦୀପନାର ସହ କାର୍ଯ୍ୟ କରିବାକୁ ଆମକୁ ସାହସ ଓ ଶକ୍ତି ଯୋଗାଇବାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। ଯେଉଁମାନେ ଦେଶର ମଙ୍ଗଳ ପାଇଁ କାର୍ଯ୍ୟ କରୁଛନ୍ତି, ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗବେଷଣା, ନୂଆ ନୂଆ ଉଦ୍ଭାବନ, ଦେଶ ଗଠନ ଓ ଦେଶସେବା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମା’ ସରସ୍ୱତୀ ସଫଳ କରାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।
ଆଜି ମହାରାଜା ସୋହେଲ ଦେବଙ୍କ ୧୧୨ତମ ଜୟନ୍ତୀ ପାଳନ କରାଯାଇଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରକଳ୍ପ ମଧ୍ୟରେ ମହାରାଜା ସୋହେଲ ଦେବଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ ଏବଂ ପର୍ଯ୍ୟଟନସ୍ଥଳୀ, କାଫେଟେରିଆ, ଗେଷ୍ଟ୍ ହାଉସ୍ ଓ ଚିଲ୍ଡ୍ରେନ୍ସ ପାର୍କ ଭଳି ବିକାଶମୂଳକ କାର୍ଯ୍ୟମାନ ରହିଛି। ମହାରାଜା ସୋହେଲ ଦେବଙ୍କ ଦେଶଭକ୍ତି ଓ ଦେଶସେବା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି। ଏହି ସ୍ମାରକୀସ୍ଥଳୀର ବିକାଶ ସହିତ ଦେଶ ମହାରାଜା ସୋହେଲ ଦେବଙ୍କ ବୀରତ୍ୱପୂର୍ଣ୍ଣ କାହାଣୀକୁ ସର୍ବଦା ମନେରଖିବ। ଏହାର ନିର୍ମାଣ ପରେ ଦେଶରେ ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ।