କଂଗ୍ରେସରେ କୁହୁଳୁଛି ଅନ୍ତକନ୍ଦଳର ବହ୍ନି : ସିବଲଙ୍କ ପରେ ମୁହଁ ଖୋଲିଲେ ଗୁଲାମ ନବୀ,କହିଲେ-ଦଳ ସବୁଠୁ ଖରାପ ସ୍ତରରେ

ନୂଆଦିଲ୍ଲୀ : ବିହାରରେ କଂଗ୍ରେସର ଦୟନୀୟ ପ୍ରଦର୍ଶନକୁ ନେଇ ଦଳ ଭିତରେ ପ୍ରତିକ୍ରିୟା ତୀବ୍ର ହେବାରେ ଲାଗିଛି। କିଛି ନେତା ପରୋକ୍ଷରେ ହାଇକମାଣ୍ଡଙ୍କୁ ଖୋଲା ଆହ୍ବାନ ଦେବା ଦ୍ବାରା ପୁଣି ଏକ ବିଦ୍ରୋହ ମୁଣ୍ଡ ଟେକିବା ଭଳି ପରିସ୍ଥିତି ଉପୁଜିଛି। ହାଇକମାଣ୍ଡ ନାନା ପ୍ରଶ୍ନବାଚୀର ସମ୍ମୁଖୀନ ହେଲେଣି। କିଛି ଦିନ ତଳେ ଦଳର ବିରିଷ୍ଠ ନେତା କପିଳ ସିବଲ୍ କଂଗ୍ରେସ ସମ୍ପ୍ରତି ବିକଳ୍ପ ରାଜନୈତିକ ଶକ୍ତି ଭାବେ ଜନସାଧାରଣଙ୍କର ପସନ୍ଦ ହରାଇଛି ବୋଲି କହି ଦଳର ନେତୃତ୍ଵଙ୍କୁ ଅଙ୍ଗୁଳି ନିର୍ଦେଶ କରିଥିବା ବେଳେ ଆଜି ପୁଣି ମୁହଁ ଖୋଲିଛନ୍ତି ଦଳର ଆଉ ଜଣେ ବରିଷ୍ଠ ନେତା ଗୁଲାମ ନବୀ ଆଜାଦ। ସେ କହିଛନ୍ତି ଗତ ୭୨ ବର୍ଷରେ କଂଗ୍ରେସ ସବୁଠୁ ଖରାପ ସ୍ତରରେ ରହିଛି। ସ୍ଥିତି ଏମିତି ଯେ, ଗତ ଦୁଇଟି କାର୍ଯ୍ୟକାଳରେ ଲୋକସଭାରେ ଦଳ ବିରୋଧୀ ଦଳର ନେତା ପଦ ମଧ୍ୟ ପାଇନାହିଁ।


କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଆଜି ଗଣମାଧ୍ୟମରେ ବିବୃତ୍ତି ରଖି ଦଳର ନେତୃତ୍ଵଙ୍କୁ ଟାର୍ଗେଟ କରିବା ଛଳରେ କହିଛନ୍ତି କଂଗ୍ରେସର ସବୁ ସ୍ତରରେ ନିର୍ବାଚନ କରାଯାଉ। ଯଦି ଆମ ଦଳର ପ୍ରତ୍ୟେକ ସ୍ତରରେ ନିର୍ବାଚନ ନହୁଏ ତେବେ ଦଳର ସ୍ଥିତି ସୁଧୁରିବ ନାହିଁ। ଦେଶର ବିଭିନ୍ନ ବ୍ଲକ ସଭାପତି ଠାରୁ ଆରମ୍ଭ କରି ଜିଲା ସଭାପତି ପର୍ଯ୍ୟନ୍ତ ଖାଲି ଅଛି, ଏମିତି ହେଲେ ଦଳ କିଭଳି ବିଜୟୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆମ ପାର୍ଟିର ସଂଗଠନ ଭୁଶୁଡି ପଡିଛି। ଆମକୁ ଆମର ଯୋଗାଯୋଗ ପୁନଃସ୍ଥାପନ କରିବାର ଆବଶ୍ୟକତା ରହିଛି। ମାତ୍ର କେବଳ ଏହା କହି ଦେଲେ ଚଳିବ ନାହିଁ ଯେ ନେତା ବଦଳିଗଲେ ଆମେ ବିହାର, ୟୁପି, ଏମପି ନିର୍ବାଚନ ଜିତିନେବୁ। ଏମିତି ଭାବିବା ସଂପୂର୍ଣ୍ଣ ଭୁଲ।


ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଦଳ ଭିତରେ ଫାଇଭ୍ ଷ୍ଟାର କଲଚର ହଟିବା ଦରକାର। ଦଳରେ ଯିଏ ଟିକେଟ୍ ପାଉଛି ସେ ଯାଇ ୫ ଷ୍ଟାର ହୋଟେଲ୍ ବୁକ୍ କରୁଛି। ଯେ ପର୍ଯ୍ୟନ୍ତ ଏଭଳି କଲଚର ଥିବ ସେପର୍ଯ୍ୟନ୍ତ କିଛି ହେବନି ବୋଲି ସେ କହିଛନ୍ତି। ପଦାଧିକାରୀ ମାନେ ଗୁରୁ ଦାୟିତ୍ୱ ବୁଝିବା ଦରକାର। ଯେପର୍ଯ୍ୟନ୍ତ ସେମାନେ ନବୁଝିବେ ଦଳରେ କୌଣସି ପରିବର୍ତ୍ତନ ହେବନି ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ପରୋକ୍ଷରେ ନେତୃତ୍ୱକୁ ସମାଲୋଚନା କରିବାକୁ ଯାଇ ଆଜାଦ କହିଛନ୍ତି, ଯେ ପର୍ଯ୍ୟନ୍ତ ଜଣେ ନିଜ ପଦବୀକୁ ଭଲ ପାଇନି, ସେ ପର୍ଯ୍ୟନ୍ତ ସଫଳ ହୋଇପାରିବ ନାହିଁ। ଦଳ ଭିତରର କଥା କହିବାକୁ ଯାଇ ଆଜାଦ କହିଛନ୍ତି, ଦଳ ଭିତରେ ଅନେକ ବଡ଼ ନେତା, କର୍ମୀଙ୍କ ସହ ସମ୍ପର୍କ ବିଚ୍ଛିନ୍ନ କରିଛନ୍ତି। ଗୋଟିଏ ଜାତୀୟ ଦଳ, ସେଭଳି ଉଚ୍ଚା ଚିନ୍ତାଧାରାର ରହିବା ଦରକାର ବୋଲି କହିଛନ୍ତି।


ଗୁଲାମ ନବୀ ଆଜାଦ କହିଛନ୍ତି, ବ୍ଲକର ଓ ଜିଲ୍ଲାର ଲୋକଙ୍କ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଛି। ସମସ୍ୟାଟି ହେଉଛି ଯେ ଯେତେବେଳେ ଆମ ଦଳରେ ଜଣେ ପଦାଧିକାରୀ ନିଯୁକ୍ତ ହୁଏ, ସେତେବେଳେ ସେ ଅକ୍ଷର ପ୍ୟାଡ୍ ଛାପିଦେବା ସହ ଭିଜିଟିଂ କାର୍ଡ ଛଫେଇ କରିଦିଏ । ସେ ବୁଝନ୍ତି ଯେ ମୋର କାମ ଶେଷ ହୋଇଗଲା । ହେଲେ ସେହି ଦିନଠାରୁ କାମ ଆରମ୍ଭ ହେବା ଉଚିତ ବୋଲି ଆଜାଦ ନିଜ ପ୍ରତିକ୍ରିୟାରେ କହିଛନ୍ତି ।


 

 

Comments are closed.