ଅଭିଭାବକ-ଶିକ୍ଷକ ବୈଠକରେ ଯୋଗଦେବେ ୩୦ ଜିଲା ନୋଡାଲ ଅଫିସର

ଭୁବନେଶ୍ୱର: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଟ୍ରିକ୍‌ ପରୀକ୍ଷାକୁ ସୂଚାର ରୂପେ ପରିଚାଳନା କରିବାକୁ ଗୁରୁତ୍ବ ଦିଆଯାଇଛି। ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କର ମିଳିତ ବୈଠକ ଆସନ୍ତା ୧୩(ଶନିବାର)ରେ ଅନୁଷ୍ଠିତ ହେବ। ବିଭାଗ ଅଧୀନରେ ଥିବା ସମସ୍ତ ୮ ହଜାର ଉଚ୍ଚ ବିଦ୍ୟାଳୟରେ ଏହି ବୈଠକ କରାଯିବ। ବିଭିନ୍ନ ସ୍କୁଲ ଗସ୍ତ କରି ବୈଠକରେ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ), ସମସ୍ତ ଜିଲା ପ୍ରକଳ୍ପ ସଂଯୋଜକ,ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ସମେତ ପ୍ରତି ଜିଲା ପାଇଁ ନିଯୁକ୍ତ ନୋଡାଲ ଅଫିସର ଯୋଗଦେବେ। ଏନେଇ ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି। ଏହା ବ୍ୟତୀତ ବିଭାଗର ସମସ୍ତ ପ୍ରଶାସନିକ ଅଧିକାରୀ ମଧ୍ୟ ବିଭିନ୍ନ ସ୍କୁଲ ଯାଇ ଶିକ୍ଷକ ଓ ଅଭିଭାବକଙ୍କ ବୈଠକରେ ଯୋଗଦେବେ। ଅଭିଭାବକଙ୍କଠାରୁ ଭଲ ମନ୍ଦ ବୁଝିବା ସହ କିଭଳି ଭାବେ ସମସ୍ୟାର ତ୍ବରିତ ସମାଧାନ କରାଯିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବେ। ବିଭାଗର ଅଧିକାରୀଙ୍କୁ ପୂର୍ବରୁ ବିଭିନ୍ନ ଜିଲା ପାଇଁ ନୋଡାଲ ଅଫସର ଭାବେ ନିଯୁକ୍ତି କରାଯାଇଛି।

ଯେଉଁ ଜିଲାରେ ଯିଏ ନୋଡାଲ ଅଧିକାରୀ ଥିବେ ସେ ଅନ୍ତତଃ ପକ୍ଷେ ଗୋଟିଏ ବିଦ୍ୟାଳୟ ଗସ୍ତ କରି ବୈଠକରେ ଭାଗ ନେବେ। ପୂର୍ବରୁ ବିଭାଗ ପକ୍ଷରୁ ବୈଠକ ନେଇ ସବୁ ବିଇଓ ଓ ଡିଇଓଙ୍କୁ ଅବଗତ କରାଯାଇଥିବାବେଳେ ଆଜି ଅଭିଭାବକଙ୍କ ବୈଠକରେ ଭାଗ ନେବାକୁ କୁହାଯାଇଛି। ଶହେ ଦିନର ଏକାଡେମିକ୍ ଯୋଜନା,ବିଦ୍ୟାଳୟରେ ନିଆଯାଇଥିବା ସୁରକ୍ଷା ପଦକ୍ଷେପ, ପିଲାଙ୍କ ଶିକ୍ଷାଗତ ଯୋଗ୍ୟତା, ଶ୍ରେଣୀଗୃହ ଅଭ୍ୟାସ ଜାଣିବା ପାଇଁ ପିଲାଙ୍କୁ ଆଗାମୀ ବାର୍ଷିକ ମାଟ୍ରିକ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ପାଇଁ ମିଳିତ ବୈଠକ କରାଯିବ। ଅତିବେଶିରେ ଦୁଇ ଘଣ୍ଟା ଧରି ଏହି ବୈଠକ ହେବ। ବୈଠକ ସମୟରେ କୋଭିଡ୍‌-୧୯ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

Comments are closed.