ରାଜଧାନୀରେ ଆଜିଠୁ କାମ ଦେବନି ପୁରୁଣା ପାସ୍‍ : ୨୪ଦିନରେ ଧରାପଡ଼ିଲେଣି, ୨୮ ହଜାର ଉଲ୍ଲଘଂନକାରୀ

ଭୁବନେଶ୍ୱର : ରାଜଧାନୀରେ ବେକାବୁ ହେଲାଣି କରୋନା ସଂକ୍ରମଣ। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଲୋକେ ସଚେତନ ହେଉନାହାନ୍ତି। ବିନା କାରଣରେ ଘରୁ ବାହାରି ବୁଲାବୁଲି କରୁଛନ୍ତି। ସାମାଜିକ ଦୂରତା ମାନୁନାହାନ୍ତି କି ମାସ୍କ ବ୍ୟବହାର କରୁନାହାନ୍ତି। ଏଭଳି ଅମାନିଆଙ୍କୁ ସାବାଡ଼ ଲାଗି କମିସନରେଟ ପୁଲିସ ଅଣ୍ଟା ଭିଡ଼ିଛି। ପୂର୍ବମାସ ତୁଳନାରେ ଜୁଲାଇ ୨୪ ଦିନରେ ଉଲ୍ଲଙ୍ଘନକାରୀଙ୍କ ସଂଖ୍ୟା ଟପିଯାଇଛି। ଭୁବନେଶ୍ୱରରେ ରେକର୍ଡସଂଖ୍ୟକ ଉଲ୍ଲଙ୍ଘନକାରୀଙ୍କଠାରୁ ପୁଲିସ ଜୋରିମାନା ଆଦାୟ କରିଛି। କମିସନରେଟ ପୁଲିସ ସହରାଞ୍ଚଳରେ ଜୁଲାଇ ୧ରୁ କଟକଣା କଡ଼ାକଡ଼ି କରିଛି।

କମିସନରେଟ ପୁଲିସ ତଥ୍ୟ ଅନୁସାରେ ଜୁଲାଇ ପହିଲାରୁ ଆଜି ପର୍ଯ୍ୟନ୍ତ ସାମାଜିକ ଦୂରତା ଉଲ୍ଲଙ୍ଘନ କରି ୨୧ହଜାର ୧୫୭ଜଣ ଜୋରିମାନା ଦେଇଛନ୍ତି। ମାସ୍କ ପନ୍ଧି ନଥିବା ୬ହଜାର ୭୨୪ଜଣ ଅମାନିଆଙ୍କଠାରୁ ଜୋରିମାନା ଆଦାୟ କରିଛି ପୁଲିସ।

ଆଜିଠୁ କାମ ଦେବନି ପୁରୁଣା ପାସ୍‍

ରବିବାରଠାରୁ ପୁରୁଣା ପାସ୍‍ କାମ ଦେବନି ବୋଲି କମିସନରେଟ ପୁଲିସ ପକ୍ଷରୁ କୁହାଯାଇଛି। ନୂଆ ପାସ୍‍ ଦେଖାଇ ଲୋକେ ଯିବାଆସିବା କରିପାରିବେ। ପୁରୁଣା ପାସ୍‍ ଦେଖାଇ ଖସିଯାଉଥିବା ବ୍ୟକ୍ତିଙ୍କଠାରୁ ଜୋରିମାନା ଆଦାୟ କରାଯିବ।

Comments are closed.