ସଡ଼କ ଦୁର୍ଘଟଣା ମୃତ୍ୟୁହାର ୨୬.୪୧% ବୃଦ୍ଧି

ଭୁବନେଶ୍ୱର: ଲକ୍ ଡାଉନ କଟକଣା ଉଠିବା ପରେ ରାଜ୍ୟରେ ସଡକ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ଫଳରେ ପୂର୍ବବର୍ଷ ତୁଳନାରେ ମୃତ୍ୟୁହାର ବଢୁଛି। ୨୦୨୦ ମସିହାର ଶେଷ ୪ ମାସ ଓଡ଼ିଶାରେ ସଡକ ଦୁର୍ଘଟଣା ମୃତ୍ୟୁହାର ୨୬.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ ୨୦୨୦ ସେପ୍ଟେମ୍ବରରୁ ଡିସେମ୍ବର ଶେଷ ସୁଦ୍ଧା ମୃତ୍ୟୁହାର ୨୬.୪୧ ପ୍ରତିଶତ ବଢିଛି। ଯାହାକି ୨୦୧୯ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଥିବା ଦୁର୍ଘଟଣା ଜନିତ ମୃତ୍ୟୁହାରଠାରୁ ଅଧିକ। ତେବେ ନୂଆପଡା, କୋରାପୁଟ ଏବଂ ମାଲକାନଗିରିରେ ଶତପ୍ରତିଶତରୁ ଅଧିକ ମୃତ୍ୟୁହାର ରହିଛି। ୨୦୧୫ରେ ସୁପ୍ରିମକୋର୍ଟ କମିଟି ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ୧୦ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବାକୁ ନିର୍ଦେଶ ଦେଇଥିଲେ। ହେଲେ ରାଜ୍ୟରେ ବେଳକୁ ବେଳ ଦୁର୍ଘଟଣା ଜନିତ ମୃତ୍ୟୁହାର ବଢିବାରେ ଲାଗିଛି। ଯାହାକି ରାଜ୍ୟ ପାଇଁ ଉଦ୍ବେଗଜନକ ହୋଇ ପଡିଛି। ପ୍ରତିବର୍ଷ ରାଜ୍ୟରେ ସଡକ ଦୁର୍ଘଟଣା ମୃତ୍ୟୁହାର ବୃଦ୍ଧି ପାଉଥିବାରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦେଶ ଅନୁସାରେ ଦୁର୍ଘଟଣା ଜନିତ ମୃତ୍ୟୁହାର କମିବା ପରିବର୍ତ୍ତେ ୨୦୧୪ରୁ ୨୦୧୯ ମଧ୍ୟରେ ବଢ଼ି ୩୬ ପ୍ରତିଶତରେ ପହଞ୍ଚିଲାଣି ମୃତ୍ୟୁହାର। ସବୁଠାରୁ ଉଦ୍ବେଗ ଜନକ କଥା ହେଉଛି ରାଜ୍ୟରେ ଯେତିକି ଦୁର୍ଘଟଣା ଜନିତ ମୃତ୍ୟୁହାର ଘଟୁଛି ତା’ର ୪୫ ପ୍ରତିଶତ କେବଳ ବାଇକ ଆରୋହୀଙ୍କ ଜୀବନ ଯାଉଛି।

ସଡକ ସୁରକ୍ଷା ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗତ ୮ତାରିଖେର ଲୋକସେବା ଭବନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ପାୱାର ପଏଣ୍ଟ ପ୍ରେଜେନଣ୍ଟେସନ ଦର୍ଶାଇଥିଲେ ଯେ, ଲକ୍ଡାଉନ୍ କଟକଣା ଉଠିବା ପରେ ୨୦୨୦ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ଦୁର୍ଘଟଣା ବଢ଼ିଛି। ଚଳିତ ବର୍ଷ ଜାନୁଆରୀ ଏବଂ ଫେବୃଆରୀରେ ମଧ୍ୟ ଏହି ଧାରା ଜାରି ରହିଥିଲା। ୨୦୧୯ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ କେନ୍ଦୁଝରରେ ୧୦୮, ସୁନ୍ଦରଗଡରେ ୧୩୬, ଗଞ୍ଜାମରେ ୧୦୫, କଟକରେ ୯୨, ମୟୂରଭଞ୍ଜରେ ୯୮ ଏବଂ ଖୋର୍ଦ୍ଧାରେ ୯୬ ସର୍ବାଧିକ ମୃତ୍ୟୁହାର ରହିଥିଲା। ସର୍ବନିମ୍ନ କ୍ଷେତ୍ରରେ ଗଜପତିରେ ୧୨, ସୋନପୁରରେ ୧୪, ମାଲକାନଗିରି ଓ ବୌଦ୍ଧରେ ୧୫ ଜଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଏହି ୪ ମାସରେ ମୋଟ ୧୫୫୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୨୦ ସେପ୍ଟେମ୍ବରରୁ ଡିସେମ୍ବର ସୁଦ୍ଧା ସର୍ବାଧିକ ମୃତ୍ୟୁହାର କ୍ଷେତ୍ରରେ ସୁନ୍ଦରଗଡରେ ୧୮୦, କେନ୍ଦୁଝରରେ ୧୪୭, ମୟୂରଭଞ୍ଜରେ ୧୨୯, କଟକରେ ୧୧୯, ଗଞ୍ଜାମରେ ୧୧୮ ଏବଂ ଖୋର୍ଦ୍ଧାରେ ୧୦୮ ଜଣଙ୍କ ଜୀବନ ଯାଇଛି। ସର୍ବନିମ୍ନରେ ଗଜପତିରେ ୧୭, ସୋନପୁର ଓ ବୌଦ୍ଧରେ ୨୨ ରହିଛି। ଉକ୍ତ ୪ ମାସରେ ମୋଟ ୧୯୬୭ ଜଣ ଲୋକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମୀକ୍ଷାରୁ ଜଣାପଡିଛି। ୨୦୧୯ ଶେଷ ୪ ମାସର ମୃତ୍ୟୁହାର ଅପେକ୍ଷା ୨୦୨୦ ଶେଷ ୪ ମାସରେ ୪୧୧ ଜଣ ଅଧିକ ଦୁର୍ଘଟଣାଗସ୍ତ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

ମୁଖ୍ୟଶାସନ ସଚିବ ସମସ୍ତ ଜିଲାପାଳ ଏବଂ ଏସ୍ପିଙ୍କୁ ସଡକ ସୁରକ୍ଷା ନିୟମାବଳୀକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦେଇଛନ୍ତି। ୨୦୨୧ରେ ୧୦ ପ୍ରତିଶତ ଦୁର୍ଘଟଣା ଜନିତ ମୃତ୍ୟୁହାର କମାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି। ଜିଲାପାଳ, ଏସ୍ପି ଏବଂ ଆରଟିଓ ତୁରନ୍ତ ଆକ୍ସନ ପ୍ଲାନ ପ୍ରସ୍ତୁତ କରି କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ହେଲମେଟ୍ ପିନ୍ଧି ଗାଡି ଚଳାଇବା ନିମନ୍ତେ ଲୋକଙ୍କ ମଧ୍ୟରେ ସଚେତନ ଓ ଅଭ୍ୟାସରେ ପରିଣତ କରିବାକୁ ପଡିବ। ବ୍ଲାକ ସ୍ପଟ ଚିହ୍ନଟ, ସୁପ୍ରିମକୋର୍ଟଙ୍କ ନିର୍ଦେଶାବଳୀ ଅନୁସାରେ ପ୍ରତି ବ୍ଲାକ ସ୍ପଟ ଏବଂ ଦୁର୍ଘଟଣା ସ୍ଥାନରେ ଆଲୋକ ଓ ସିସିଟିଭି କ୍ୟାମେରା ଲଗାଇବାକୁ ପରାମର୍ଶ ଦିଆଯାଇଛି। ବାଲେଶ୍ବର ଜିଲାପାଳ ଏନ୍ଏଚ୍ଏଆଇ ମହାପ୍ରବନ୍ଧକଙ୍କ ସହିତ ଆଲୋଚନା କରି ଜାତୀୟ ରାଜପଥରେ ସଡକ ସୁରକ୍ଷା ଉପରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

Comments are closed.