କୁଖ୍ୟାତ ନିଶା ମାଫିଆଙ୍କ ଉପରେ ଲାଗିପାରେ ଏନ୍ଏସ୍ଏ

ବଲାଙ୍ଗିର : ବଲାଙ୍ଗିରରେ ଉତ୍ପାତିଆ କାର୍ଯ୍ୟକଳାପ ପାଇଁ ହାତ ଗଣତି ଲୋକଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ ହୋଇଛି। ସେମାନଙ୍କ ମଧ୍ୟରେ ଆଗ ଧାଡିରେ ରହିଛନ୍ତି କଣ୍ଟାବାଞ୍ଜି ବିଜେପି ନେତା ଲକ୍ଷ୍ମଣ ବାଗ। ତେବେ ବଲାଙ୍ଗିର ଜିଲାରେ ବେଧଡକ ଭାବେ ନିଶା କାରବାର ଚଳାଇଥିବା ଓ ବାରମ୍ବାର ଜେଲ୍ ଯାଉଥିଲେ ବି ସୁଧୁରୁ ନଥିବାରୁ ୨ଜଣ କୁଖ୍ୟାତ ନିଶା ମାଫିଆଙ୍କ ବିରୋଧରେ ଏନ୍ଏସ୍ଏ ଲାଗିପାରେ। ସେମାନଙ୍କୁ ଜିଲାରୁ ତଡିପାର କରାଯିବାର ସମ୍ଭାବନା ଅଧିକ ରହିଥିବା ଜଣାପଡିଛି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି।

ବରପାଲିପଡ଼ା ଅଞ୍ଚଳର ସାନ ନେଗୀ। ୩/୪ ବର୍ଷ ତଳେ ବଲାଙ୍ଗିର ସହରରୁ ନିଶା କଫ୍ ସିରପ ରାକେଟ ଜିଲା ଓ ଜିଲା ବାହାରେ ଚଳାଇଥିଲା। ବେଶ ସାଧାରଣ ଜଣାପଡୁଥିବା ସାନ ନେଗୀ ଆସିଥିଲା ସାମ୍ନାକୁ। ନିଶା ସାମ୍ରାଜ୍ୟ ଯେ ସାନ ଚଳାଉଛି ତାହା ଅନେକେ ବିଶ୍ୱାସ କରୁ ନଥିଲେ। କିନ୍ତୁ ରାଜା ଆଚାର୍ଯ୍ୟ ସହ ସାନ ନେଗୀର ଫଟୋ ଭାଇରାଲ ହେବା ଏବଂ ନିଶା କଫ୍ ସିରପ ବିରୋଧରେ ‘ସାମଜ’ର ବାରମ୍ବାର ଅନୁସନ୍ଧାନ ମୂଳକ ରିପୋର୍ଟ ପରେ ସାନ ନେଗୀ ପୁଲିସ କବ୍ଜାରେ ପଡିଥିଲା। ଜଣେ କି ଅଧେ ନୁହେଁ, ସାନ ନେଗୀ ନେଟୱାର୍କ ଥିଲା ଢେର ଲମ୍ବା। ଯେଉଁଥିରେ ସବୁ ବର୍ଗର ଯୁବକ ସାମିଲ ଥିଲେ। ନିଶା ଔଷଧ ଚାଲାଣକାରୀଠାରୁ ଜିଲା ବାହାରୁ କେମିତି ଅନାୟସରେ କଫ ସିରପ ଚୋରା ଚାଲାଣ ହେଉଥିଲା ତାର ମାଷ୍ଟର ମାଇଣ୍ଡ ସାଜିଥିଲା ସାନ ନେଗୀ। ‘ସମାଜ’ର ପ୍ରସାର ପ୍ରତିନିଧି ପ୍ରତାପ ମହାପାତ୍ରଙ୍କ ହତ୍ୟା ପରେ ନିଶା ବିରୋଧରେ ସ୍ୱର ଜୋରଦାର ଉତ୍ତୋଳନ ହୋଇଥିଲା। ଲ’ କଲେଜ ନିକଟରେ ନିଶା କାରବାର ପାଇଁ ଯୁବକଙ୍କୁ ଜୀବନ୍ତ ପୋଡି ଦେଇ ହତ୍ୟା, ନିଶା ପାଇଁ ଲୁଟ୍ ତରାଜ୍ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାନ ନେଗୀ ଗୋଷ୍ଠୀ ବେଶ ସକ୍ରିୟ ହୋଇ ଉଠିଥିଲେ। ଏହାପରେ ପୁଲିସର ସ୍ୱତନ୍ତ୍ର ଟିମ୍ ଲଗାତାର ଚଢଉ ପରେ ଚଢଉ କରିବା ଫଳରେ ସିଧାସଳଖ ପୁଲିସ ଜାଲରେ ଛନ୍ଦି ହୋଇଥିଲା ସାନ ନେଗୀ ଜେଲ୍ ଯାଇଥିଲା।

ସାନ ନେଗୀର ଅନ୍ୟତମ ସହଯୋଗୀ ତଥା ମାଲପଡ଼ାର ପ୍ରଶାନ୍ତ କ୍ଷେତୀ ମଧ୍ୟ ବେଶ ସାଧାରଣ ଓ ସ୍ୱାଭାବିକ ଜଣାପଡୁଥିବା ବେଳେ ସେ ମଧ୍ୟ ସାମିଲ ରହିଥିଲା ଏହି ନିଶା କାରବାରରେ। ସାନ ନେଗୀ ଭଳି ପ୍ରଶାନ୍ତ ବି ଚଳାଇଥିଲା ନିଶା କଫ୍ ସିରପ କାରବାର। ସାନ ଅନୁପସ୍ଥିତିରେ ଦ୍ୱିତୀୟ ମୁଣ୍ଡି ଭାବେ ପ୍ରଶାନ୍ତ ଥିଲା ସର୍ବେସର୍ବା। ସେ ବି ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜରିଆରେ ଧରାପଡିଥିଲା। କେବଳ ସେତିକି ନୁହେଁ, ନୟାଗଡ, ଖୋର୍ଦ୍ଧାରୁ ସିଧାସଳଖ କଫ୍ ସିରପ୍ ଅଣା ଯାଉଥିବା ବେଳେ ଭୁବନେଶ୍ୱରରରୁ ବଲାଙ୍ଗିର ଆସୁଥିବା ବସ୍ଗୁଡ଼ିକରେ ମଧ୍ୟ ବେଆଇନ ଭାବେ ଜାଲ୍ କାଗଜପତ୍ରରେ ବହୁ ପରିମାଣର କଫ୍ ସିରପ ଚାଲାଣ କରାଯାଉଥିବା ଜାଣିବାକୁ ପାଇଥିଲା ପୁଲିସ। ତେବେ ପ୍ରଶାନ୍ତ ନିଶା କାରବାର ମାମଲାରେ ବି ପୁଲିସ ତାକୁ ଗିରଫ କରିଥିଲା। ସାନ, ପ୍ରଶାନ୍ତ ଭଳି ଅଭିଷେକ ନନ୍ଦ ଓ ଅନ୍ୟମାନେ ବି ପଡିଥିଲେ ପୁଲିସ ଜାଲରେ ଜଣେ ପରେ ଜଣେ ଜେଲ୍ ଯାଇଥିଲେ। ବହୁ କସ୍‌ରତ କରି ସେମାନେ ଚଳାଇଥିଲେ ସେମାନଙ୍କ ସାମ୍ରାଜ୍ୟ। ଏଇ ନିକଟରେ ବିବିଏମ୍ସିଏଚ୍‌ର ଡା.ସୀମାଞ୍ଚଳ ଡାକୁଆଙ୍କୁ ଆକ୍ରମଣ କରି ୨ଜଣ ଯୁବକ ଏନ୍ଏସ୍ଏରେ ଗିରଫ ହୋଇଥିଲେ। ସେହିପରି କମିଶନରେଟ୍ ପୁଲିସ କୁଖ୍ୟାତ ଅଭିଯୁକ୍ତମାନଙ୍କୁ ତଡିପାର ପାଇଁ ଯୋଜନା କରୁଥିବା ଜଣାପଡିଥିଲା। ଏହିକ୍ରମରେ ନିକଟରେ ଅମିତ ନନ୍ଦ ନାମକ ଜଣେ ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ କରି ସାନ, ପ୍ରଶାନ୍ତ, କାହ୍ନା ସହ ଅନ୍ୟ ୨ଜଣ ଜେଲ୍ ଯାଇଛନ୍ତି। ଯେହେତୁ ଏହି ଅଭିଯୁକ୍ତମାନେ ନିୟମିତ ନିଶା କାରବାରରେ ସଂପୃକ୍ତ ରହୁଛନ୍ତି ତେଣୁ ଏମାନଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରିବା ସହ ତଡିପାର କରିବାକୁ ଯୋଜନା କରାଯାଉଥିବା ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହାକୁ ଖୁବଶୀଘ୍ର ଲାଗୁ କରାଯିବ ବୋଲି ମଧ୍ୟ ଜଣାପଡିଛି।

Comments are closed.