ଗଛକାଟିବା ପରେ ଚାରାରୋପଣ କରୁନାହିଁ ଏନଏଚଏଆଇ; ରିପୋର୍ଟ ମାଗିଲେ ଏନଜିଟି

ନୂଆଦିଲ୍ଲୀ: ଅନୁଗୁଳ ଜିଲାରେ ସବୁଜିମା ସୃଷ୍ଟି ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନଏଚଏଆଇ)ଙ୍କ ସମେତ ଅନ୍ୟାନ୍ୟ ସଂସ୍ଥା ତରଫରୁ କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେବିଷୟରେ ଅନୁଧ୍ୟାନକରି ବିସୃତ ରିର୍ପୋଟ ପ୍ରଦାନ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ନାଲକୋ ଦ୍ୱାରା ଅନୁଗୁଳ ଜିଲାରେ ସବୁଜ ବଳୟ ସୃଷ୍ଟି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଅନୁଗୁଳ ଜିଲାପାଳ, ଡିଏଫଓ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କୁ ନେଇ ଗଠିତ ତିନି ଜଣିଆ ଅନୁଧ୍ୟାନକାରୀ କମିଟି ଏନଜିଟିଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ଏନଜିଟି ବିଚାରପତି ଏସ ପି ୱାଙ୍ଗଡ଼ି ଓ ବୈଷୟିକ ସଦସ୍ୟ ଡକ୍ଟର ନାଗିନ ନନ୍ଦାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦୁଇ ମାସ ମଧ୍ୟରେ ତିନି ଜଣିଆ କମିଟି ପୁନର୍ବାର ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ନିର୍ଦେଶ ଜାରି କରିଛନ୍ତି।

ମାମଲାର ଶୁଣାଣି ବେଳେ ପିଟିସନକାରୀ ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ଓକିଲ ଶଙ୍କର ପ୍ରସାଦ ପାଣି ଦର୍ଶାଇଥିଲେ ଯେ ଅନୁଧ୍ୟାନକାରୀ କମିଟିର ରିପୋର୍ଟ ଅସମ୍ପୂର୍ଣ୍ଣ ରହିଛି। ଅନୁଗୁଳ ଜିଲାରେ ଗ୍ରୀନ ହାଇୱେଜ (ପ୍ଲାଣ୍ଟେସନ ଆଣ୍ଡ ମେଣ୍ଟେନାନ୍ସ) ପଲିସି ୨୦୧୫ ଓ ଗାଇଡ୍‌ଲାଇନ୍ସ ଅନ ଲ୍ୟାଣ୍ଡସ୍କେପିଙ୍ଗ ଆଣ୍ଡ ଟ୍ରି ପ୍ଲାଣ୍ଟେସନ-୨୦୦୯ର ସଠିକ୍‍ ଭାବେ ପାଳନ ହେଉନାହିଁ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ନିକଟରେ ଅନୁଗୁଳ ଜିଲାରେ ହଜାର ହଜାର ସଂଖ୍ୟାର ପୁରୁଣା ଗଛକୁ କାଟି ଦେଇଥିଲେ ମଧ୍ୟ ନିୟମାନୁଯାୟୀ ୧୦ ଗୁଣ ଅଧିକ ଗଛ ଲଗାଇବାରେ ବିଫଳ ହୋଇଛନ୍ତି। ଗଛ କାଟିବା ପରେ ମଧ୍ୟ ଏନଏଚଏଆଇ ବୃକ୍ଷରୋପଣ କରୁନାହିଁ ବୋଲି ଆଡ୍‌ଭୋକେଟ ପାଣି ଅଭିଯୋଗ କରିଥିଲେ। ସେହିପରି ଜିଲାରେ ଘରୋଇ କମ୍ପାନୀଗୁଡ଼ିକ ପ୍ରକଳ୍ପ ସ୍ଥାପନ ପାଇଁ ବ୍ୟାପକ ସବୁଜିମା ନଷ୍ଟ କରୁଥିଲେ ମଧ୍ୟ ନିୟମାନୁଯାୟୀ କ୍ଷତିଭରଣା ପାଇଁ ଆବଶ୍ୟକ ବୃକ୍ଷରୋପଣ କରୁନାହାନ୍ତି। ଅନୁଗୁୁଳ-ତାଳଚେର ଅଞ୍ଚଳରେ ପ୍ରଦୂଷଣକୁ ରୋକିବା ଲାଗି ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଆଡ୍‌ଭୋକେଟ ପାଣି ଏନଜିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪କୁ ଧାର୍ଯ୍ୟ ହୋଇଛି।

Comments are closed.